Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୯)

ସରଯୂ ନଦୀର ତୀରେ (୧୨୯)

4 mins
269



ରଣକ୍ଷେତ୍ରରେ ପଡିଥିଲା ରାବଣର ପର୍ବତ ସମାନ ବିଶାଳ ଶରୀର।ରାବଣର ମୃତ୍ୟୁ ପରେ ରଣକ୍ଷେତ୍ରରେ ବାକି ଯେଉଁ ରକ୍ଷସ ସୈନ୍ୟ ଥିଲେ ନିଜ ନିଜର ପ୍ରାଣ ବଞ୍ଚାଇ ପଶ୍ଚାତ୍'ଧାବନ କଲେ। ବାନର ସୈନ୍ୟ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବଧ କଲେ।


ବିଜୟର ଉଲ୍ଲାସ କ୍ଷୀଣ ହେବାପରେ ବିଭୀଷଣଙ୍କ ହୃଦୟସିନ୍ଧୁ ଘୋର ଦୁଃଖରେ ଉଛୁଳି ପଡ଼ିଲା।ଅଗ୍ରଜ ରାବଣର ଶବକୁ ଆଲିଙ୍ଗନ କରି ବାଳକ ଭଳି ରୋଦନ କରି ବିଭୀଷଣ କହୁଥାନ୍ତି..ହେ ମହାନ ବୀର ! ହେ ସର୍ବଶାସ୍ତ୍ର ଜ୍ଞାତା,ହେ ତ୍ରିପୁରର ରାଜାଧିରାଜ ! କାହିଁକି ଆଜି ନୀରବ ନିସ୍ପନ୍ଦ ଧୂଳି ଧୂସରିତ ତୁମର ବିଶାଳ କଳେବର ! ଯେଉଁ ଦଶ ମସ୍ତକ ଏବଂ ବିଂଶ ବାହୁର ଶକ୍ତି ସ୍ବର୍ଗର ଦେବତାମାନଙ୍କୁ ମଧ୍ୟ ଥରହର କରି ରଖିଥିଲା, କିପରି ଆଜି ତାହା ଅହଂକାର ନାମକ ଶତ୍ରୁ ଆଗରେ ବିବଶ ହୋଇଗଲା ! ମୋର ଛୋଟ ଉପଦେଶଟିଏ ମାନିଥିଲେ ଆଜି ନିଜ ସହିତ ଲଙ୍କାଗଡକୁ ରକ୍ଷା କରିପାରିଥାନ୍ତ ଅଗ୍ରଜ।


ନିଜର ନିଧନ ପାଇଁ ନିଜେ ଦାୟୀ ହେବା ସଙ୍ଗେ ସଙ୍ଗେ ମୋତେ ଅପଯଶ ଦେଇଗଲ । ସଂସାରରେ ସମସ୍ତେ ମୋତେ "କୁଳବୁଡା"କହି ତାତ୍ସଲ୍ୟ କରିବେ।କିଏ ବା ବୁଝିବ ଯେ  ଲଙ୍କାରେ ଅଧର୍ମର ବିଲୋପ ପାଇଁ ବିଭୀଷଣ ପ୍ରାଣସମ ଅଗ୍ରଜଙ୍କୁ ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲା ?କିଏ ବା ବୁଝିବ ଯେ ଚାଟୁକାର ମାନଙ୍କ ଦ୍ଵାରା ପରିବେଷ୍ଠିତ ହୋଇ ମୋର ପ୍ରିୟ ଭ୍ରାତା ମୋର ଉପଦେଶକୁ ପଦାଘାତ କରିବା ସଙ୍ଗେ ସଙ୍ଗେ ମୋ ଅବନତ ମଥାରେ ପାଦ ପ୍ରହାର କରି ଲଙ୍କାରୁ ମୋତେ ବିତାଡିତ କରି ଶତ୍ରୁ ଶିବିରକୁ ଚାଲିଯିବା ପାଇଁ କହିଥିଲେ । ଶ୍ରୀରାମଙ୍କ ଅସୀମ ଶକ୍ତି ବିଷୟରେ ମୁଁ ଆପଣଙ୍କୁ ବାରମ୍ବାର ଚେତାବନୀ ଦେବା ସତ୍ତ୍ବେ ଆପଣ ସତ୍ୟ ଦର୍ଶନ କରିବାକୁ ପ୍ରସ୍ତୁତ ନଥିଲେ ଅଗ୍ରଜ। ମହାଲକ୍ଷ୍ମୀଙ୍କୁ ଅପହରଣ କରି ତାଙ୍କ ଉପରେ କୁଦୃଷ୍ଟି ପକାଇବାର ଫଳ ଆଜି ଭୋଗ କଲେ ସିନା।ମୋର ଛୋଟ

 ଉପଦେଶ ଶୁଣିଥିଲେ ସୁବର୍ଣ୍ଣ ଲଙ୍କା ଧ୍ବଂସ ମୁଖରୁ ନିଶ୍ଚୟ ରକ୍ଷା ପାଇଯିବ ଥାନ୍ତା ।"


ବିଭୀଷଣଙ୍କୁ ପ୍ରବୋଧନା ଦେଇ ଶ୍ରୀରାମ କହିଲେ..ଶୋକ ପରିତ୍ୟାଗ କର ଲଙ୍କେଶ୍ବର ବିଭୀଷଣ।ବିଧିଙ୍କର ବିଧାନକୁ କେହି ଅନ୍ୟଥା କରି ପାରିବେ ନାହିଁ।ରାବଣ ଅହଂକାରର ପ୍ରତୀକ ଥିଲା। ଅହଂକାରକୁ ବିନାଶ କରିବା ମଧ୍ୟ ଏତେ ସହଜ ନୁହେଁ।ଦେଖିଲ ତ ସତ୍ୟ ବିରୁଦ୍ଧରେ ଅସତ୍ୟ ଓ ଅହଂକାର କିପରି ଭୀଷଣ ସଂଗ୍ରାମ କରୁଥିଲା। ମହାନ୍ ଯୋଦ୍ଧା ଭଳି ବୀରଗତି ପ୍ରାପ୍ତ ହୋଇଛି ରାବଣ।ରାବଣର ଆତ୍ମା ସ୍ବର୍ଗଗାମୀ ହୋଇଛି।

ଜ୍ୟେଷ୍ଠ ଭ୍ରାତାଙ୍କର ଶେଷ କ୍ରିୟା ସମ୍ପାଦନ କରନ୍ତୁ ଲଙ୍କେଶ।ରାବଣର ମୃତ୍ୟୁ ସହିତ ମୋର ତା ସହିତ ଥିବା ଶତ୍ରୁତାର ମଧ୍ୟ ମୃତ୍ୟୁ ହୋଇଯାଇଛି।ଆପଣ ମୋର ମିତ୍ର ଏବଂ ରାବଣ ଆପଣଙ୍କର ଭ୍ରାତା ହୋଇଥିବାରୁ ରାବଣ ମୋର ଭ୍ରାତା ସହିତ ସମାନ।ରାବଣର ଅନ୍ତେଷ୍ଟି କ୍ରିୟାରେ ମୁଁ ମଧ୍ୟ ଆପଣଙ୍କ ସହାୟତା କରିବି ଲଙ୍କେଶ।"


ଅନ୍ତଃପୁରର ନାରୀ ମାନଙ୍କ ସହିତ ପାଟରାଣୀ ମନ୍ଦୋଦରୀ ରଣକ୍ଷେତ୍ରରେ ପହଞ୍ଚି ରାବଣର ଶବକୁ କୋଳରେ ଧରି ଘୋର ବିଳପନରେ ପରିବେଶ କରୁଣାକ୍ତ କରିଦେଲେ।କ୍ରନ୍ଦନ କରି ମନ୍ଦୋଦରୀ କହୁଥାନ୍ତି....ତ୍ରିପୁର ବିଜୟୀ ହେ ମୋର ସ୍ବାମୀ,ଦେବ ଦାନବ ରାକ୍ଷସ ଗନ୍ଧର୍ବ ତୁମ ନାମ ଶୁଣି ଭୟଭୀତ ହୋଇ ଯାଉଥିଲେ।ମୃତ୍ୟୁର ଦେବତା ଯମରାଜ ମଧ୍ୟ ତୁମ ନାମ ଶୁଣି ଭୟରେ କମ୍ପମାନ ହେଉଥିଲେ;ଆଜି କିପରି ଜଣେ ସାମାନ୍ୟ ବନବାସୀଙ୍କ ହାତରେ ତୁମର ମୃତ୍ୟୁ ସମ୍ଭବ ହୋଇ ପାରନ୍ତା !! ସେ ଯେ ସାମାନ୍ୟ ବନବାସୀ ନୁହଁନ୍ତି, ଅନେକ ଥର ସେ କଥା ବୁଝାଇବାକୁ ଚେଷ୍ଟା କଲି ସ୍ବାମୀ, ବୁଝି ମଧ୍ୟ ବୁଝିଲ ନାହିଁ।ଏତେ ଅତ୍ୟାଚାର କାହିଁକି ବା ପୃଥିବୀ ସହ୍ୟ କରନ୍ତା !


ବିନା ରଥରେ,,ଭୂମିରେ ଦଣ୍ଡାୟମାନ ହୋଇ ଯେତେବେଳେ ଶ୍ରୀରାମ ଦଣ୍ଡକାରଣ୍ୟରେ ଖର ଦୂଷଣ ତ୍ରିଶିରାଙ୍କ ସହିତ ଜନସ୍ଥାନର ୧୪ ହଜାର ରାକ୍ଷସଙ୍କୁ ବଧ କଲେ, ସେହି ସମୟରୁ ତୁମକୁ ମୁଁ ଚେତାବନୀ ଦେଇ କହିଥିଲି, ଶ୍ରୀରାମ ସାମାନ୍ୟ ମନୁଷ୍ୟ ନୁହଁନ୍ତି,ନରରୂପୀ ନାରାୟଣ ସେ।ତାଙ୍କ ସହିତ ଶତ୍ରୁତା ଉଚିତ ନୁହେଁ।ମୋ ଚେତାବନୀ ନଶୁଣି ସୀତାଙ୍କ ରୂପରେ ମୃତ୍ୟୁକୁ ଡାକି ଆଣି ନିଜ ଉଦ୍ୟାନରେ ଆଶ୍ରୟ ଦେଲ।ଏବେ ମୁଁ କ'ଣ କରିବି ? କେଉଁଆଡେ ଯିବି? ଇନ୍ଦ୍ର ସମାନ ମୋର ବୀରପୁତ୍ର ଇନ୍ଦ୍ରଜିତ ସମେତ ଅକ୍ଷୟ କୁମାର ଓ ଅତିକାୟ ମଧ୍ୟ ବୀରଗତି ପ୍ରାପ୍ତ ହୋଇଛନ୍ତି।ମୋର ସମସ୍ତ ପୁତ୍ର, ଭାଇ, ବନ୍ଧୁ କୁଟୁମ୍ବ ମୃତ୍ୟୁ ପଥର ଯାତ୍ରୀ ହୋଇଛନ୍ତି।ଲଙ୍କା ଶ୍ମଶାନରେ ପରିଣତ ହୋଇଛି। ମୋପ୍ରତି ମୃତ୍ୟୁ କାହିଁକି ଏତେ ନିର୍ଦ୍ଦୟ ?"


ମନ୍ଦୋଦରୀକୁ ଶାନ୍ତ୍ବନା ଦେଇ ଶ୍ରୀରାମ କହିଲେ..ଶୋକ ପରିତ୍ୟାଗ କର ମହାରାଣୀ ମନ୍ଦୋଦରୀ,ରାବଣ ଭଳି ମହାନ ବୀରର ପତ୍ନୀ ପାଇଁ ବର୍ତ୍ତମାନ ଏହା ଶୋକ କରିବା ସମୟ ନୁହେଁ। ରାଜକୀୟ ପ୍ରଥା ଅନୁଯାୟୀ ସେ ମହାନ ଆତ୍ମାର ଶେଷକୃତ୍ୟ ସମାପନ କରି ପରିବାରବର୍ଗଙ୍କୁ ଶାନ୍ତ୍ବନା ଦେବା ଏବେ ତୁମର କର୍ତ୍ତବ୍ୟ। ତୁମେ ଲଙ୍କାର ପାଟରାଣୀ ଥିଲ ଏବଂ ରହିବ ମଧ୍ୟ। ମିତ୍ର ବିଭୀଷଣ ବର୍ତ୍ତମାନ ଲଙ୍କାର ନୂତନ ରାଜା।ଲଙ୍କା ମୋର ନଥିଲା କିମ୍ବା ଲଙ୍କା ଅଧିକାର କରି ଶାସନ କରିବା ଉଦ୍ଦେଶ୍ୟ ମୋର ନାହିଁ।ମୋ ଜନ୍ମଭୂମି ଅଯୋଧ୍ୟା ମୋ ପାଇଁ ସ୍ୱର୍ଗ। ବିଭୀଷଣଙ୍କର ପତ୍ନୀ ତଥା ଲଙ୍କାର ମହାରାଣୀ ଭାବରେ ଲଙ୍କାରେ ଧର୍ମ ସଂସ୍ଥାପନା କରି ଦେଶର ପୁନର୍ଗଠନ କର। "


ତତ୍ପରେ ଶ୍ରୀରାମ ହନୁମାନଙ୍କୁ କହିଲେ..ବାୟୁ ପୁତ୍ର ! ନୂତନ ରାଜାଙ୍କ ଅନୁମତି ନେଇ ତୁମେ ଶୀଘ୍ର ଅଶୋକ ବନରେ ପ୍ରବେଶ କରି ଜାନକୀଙ୍କୁ ଯୁଦ୍ଧର ପରିଣାମ ବିଷୟରେ ଅବଗତ କରାଅ।" ବିଭୀଷଣଙ୍କ ଅନୁମତି ନେଇ ହନୁମାନ ଅଶୋକ ବନରେ ପହଞ୍ଚି ସୀତାଙ୍କୁ ଯେତେବେଳେ ଶ୍ରୀରାମଙ୍କ ବିଜୟ ସମ୍ବାଦ ଜଣାଇଲେ ଆନନ୍ଦ ଆତିଶଯ୍ୟରେ ଜାନକୀଙ୍କ କଣ୍ଠ ରୁଦ୍ଧ ହୋଇଗଲା,ନେତ୍ରରୁ ବହିଗଲା ଅବାରିତ ଅଶ୍ରୁ;ନିର୍ବାକ ହୋଇ ହନୁମାନଙ୍କୁ କେବଳ ଚାହିଁ ରହିଲେ ଜାନକୀ।ଆଖି ଅନ୍ତରର ସବୁ କଥା କହୁଥିଲା।ଯୋଡହସ୍ତରେ ହନୁମାନ କହିଲେ..ନୀରବ କାହିଁକି ମାତା ! କିଛି କହନ୍ତୁ।"


 ବାଷ୍ପ ରୁଦ୍ଧ କଣ୍ଠରେ ଜାନକୀ କହିଲେ..କଣ ଆଉ କହିବି ପୁତ୍ର,ଖାଲି ଭାବୁଛି କିପରି ମୁଁ ତୁମର ଋଣ ଶୁଝିବି ?ତୁମର ବୀରତା, ବୁଦ୍ଧିମତା,ଧୈର୍ଯ୍ୟ,ବିନମ୍ରତା ଏବଂ ଅତୁଳନୀୟ ପ୍ରଭୁଭକ୍ତି ଯୋଗୁଁ ମୁଁ ମୋ ସ୍ବାମୀଙ୍କୁ ଫେରି ପାଇଲି। ତିନି ପୁରରେ ତୁମର ତୁଳନା ନାହିଁ ଆଞ୍ଜନେୟ।" ସୀତାଙ୍କ ଆଖିରେ କୃତଜ୍ଞତା ସହିତ ହନୁମାନଙ୍କପ୍ରତି ସ୍ନେହ ଢଳ ଢଳ ହୋଇ ଦୃଶ୍ୟମାନ ହେଉଥିଲେ।


ହନୁମାନ, ରାକ୍ଷସୀ ପରିବେଷ୍ଠିତା ସୀତାଙ୍କୁ କହିଲେ..ମାତା ଏମାନଙ୍କ କ୍ରୂର ବ୍ୟବହାର କଥା ମନେ ପଡିଲେ ମୋର ରକ୍ତ ତାତି ଯାଉଛି,ଆଦେଶ ଦିଅନ୍ତୁ,ଏମାନଙ୍କୁ ଏହିଠାରେ ଶେଷ କରିଦେବି।"


ବାଧା ଦେଇ ସୀତା କହିଲେ..ନା ପୁତ୍ର ! ସେମାନଙ୍କର କିଛି ଦୋଷ ନାହିଁ।ସେମାନେ ରାଜାଜ୍ଞା ପାଳନ କରୁଥିଲେ। ଦୁନିଆଁରେ କିଏ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ? କିନ୍ତୁ ତୁମପରି ମହାତ୍ମାମାନେ ଉଦାର ହୃଦୟରେ , ଦୋଷୀ ଓ ନିର୍ଦ୍ଦୋଷ,ସମସ୍ତଙ୍କୁ କ୍ଷମା କରିଦିଅନ୍ତି।ଏହି ମହାନତା ମଧ୍ୟ ମୋର ସ୍ବାମୀ ମୋତେ ଶିଖାଇଛନ୍ତି।ତୁମେ ତ ତାଙ୍କର ପ୍ରିୟ ଭକ୍ତ;ତୁମେ ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ, ମୁଁ ଜାଣେ।ତୁମେ ଦେଖିବ ହନୁମାନ, କିପରି ଲଙ୍କାର ସମସ୍ତ ରାକ୍ଷସଙ୍କୁ କ୍ଷମାଦାନ କରିବେ ପ୍ରଭୁ ଶ୍ରୀରାମ।ପ୍ରଭୁ ମୋର ପରମ ଦୟାଳୁ"।


ହନୁମାନ କହିଲେ..ମାତା ! ମୋର ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ସହଧର୍ମିଣୀ ଅନୁରୂପ ଆପଣଙ୍କର ଚରିତ୍ର। ଯେଉଁ ପାପୀ ରାକ୍ଷସୀମାନେ ଆପଣଙ୍କୁ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ଦେଉଥିଲେ ସେମାନଙ୍କୁ ଉଦାର ହୃଦୟରେ କ୍ଷମା କରିବା ଏତେ ସହଜ ନୁହେଁ।ଆପଣଙ୍କ ମହାନତାକୁ ପ୍ରଣାମ ଜଣାଉଛି ମାତା।"

ଅଳ୍ପ ନୀରବତା ପରେ ହନୁମାନ ପ୍ରଶ୍ନକଲେ..ଏଠାରୁ ଫେରିଯାଇ ପ୍ରଭୁଙ୍କୁ କଣ କହିବି ମାତା ?"

ସୀତା ଉତ୍ତର ଦେଲେ.. କିଛି ନୁହେଁ ପୁତ୍ର,ପ୍ରଭୁଙ୍କୁ ମୋର ଏତିକି ମାତ୍ର କହିବ...ଦାସୀ ତାଙ୍କ ଦର୍ଶନ ପାଇଁ ଉତ୍କଣ୍ଠା ସହିତ ଅପେକ୍ଷା କରିଛି।"


ହନୁମାନ ଶ୍ରୀରାମଙ୍କ ପାଖକୁ ଫେରିଆସି ସୀତାଙ୍କ ସହିତ କଥୋପକଥନର ସମସ୍ତ ବିବରଣୀ ପ୍ରଦାନ କଲେ। ହଠାତ ଗମ୍ଭୀର ହୋଇଗଲେ ଦାଶରଥି। ପୂର୍ଣ୍ଣଚନ୍ଦ୍ରଙ୍କୁ ସତେ ଅବା ଆଂଶିକ ଗ୍ରହଣ ଗ୍ରାସକଲା।ଗଭୀର ଭାବନାରେ କିଛି ସମୟ ପାଇଁ ନିମଜ୍ଜିତ ହୋଇ ତତ୍ପରେ ବିଭୀଷଣଙ୍କୁ ଶ୍ରୀରାମ କହିଲେ..ଲଙ୍କେଶ,ଆପଣଙ୍କ ନବରର ପରିଚାରିକାମାନଙ୍କୁ ଆଦେଶ ଦିଅନ୍ତୁ ,ସୀତାଙ୍କୁ ଶୁଦ୍ଧପୁତ ଭାବରେ ସ୍ନାନ କରାଇ ଅଳଙ୍କାର ବିଭୂଷିତା କରାଇ ମୋ ନିକଟକୁ ନେଇ ଆସିବେ।"


କ୍ରମଶଃ


Rate this content
Log in

Similar oriya story from Classics