ସେଦିନର ଜହ୍ନିଓଷା କଥା
ସେଦିନର ଜହ୍ନିଓଷା କଥା
ମନେ ପଡେ
ସେଦିନର ଜହ୍ନିଓଷା କଥା
ମୋ ପ୍ରିୟା ଓଷା କରୁଥାଏ
ଆମ ଗାଁ ମଝି ଦାଣ୍ଡରେ
ତା ସାଙ୍ଗ ସାଥି ମେଳେ ।
ଏ ଆଖି କେତେ ଝୁରୁଥିଲା
ଦେଖିବାକୁ ତା ଶାଢ଼ୀ ପିନ୍ଧା ଦେହ
ଦୁଇ ହାତରେ ଭୋଗ ଥାଳି,
ପାଦରେ ଅଳତା, କେଶ କହଁରା ।
ତା ହାତରୁ ଭୋଗ ଖାଇବା ପାଇଁ
ତାକୁ ଆଖିଭରି ଦେଖିବା ପାଇଁ
ତା ସାଥେ ଲୁଚି ଛପି କଥା ହେବା ପାଇଁ
ମୁଁ ୩୦ ଦିନ ଯାକ
ତା ଓଷା ଘର ଚାରିପାଖେ ଲୁଚି ଛପି ରହୁଥାଏ ।
ଭାରି ମନେ ପଡେ
ପୂଜା ସରିଲେ ତା କଥା ସବୁ
ମୁଁ ତା ଘର ବାଟରେ ଲୁଚି ରହିଥାଏ
ସେ ଆସିଲେ ମୋ ହାତରେ ଭୋଗ ଦେବ
ଆଉ କିଛି ତା ହାତରେ ମୋତେ ଖୁଆଇଦେବ ।
ଆଉ ରାଗି କି କହୁଥିବ,
ଏତେ ଡରୁଛ କି' ମ
ମୋତେ ଏ ଗାଆଁରୁ ଉଠେଇ ନେଇ
ଆଉ କେମିତି ବାହା ହେବ ?
ହେଲେ ପ୍ରିୟା, ମୁଁ ତ ଏବେ ଆଉ ଆଦୌ ଡରୁନି
କିନ୍ତୁ ତୁମକୁ ମୁଁ ଉଠେଇବା ଆଗରୁ
ତୁମେ ଉଠିଗଲ କାହା ସବାରୀରେ ।