ତ୍ରାହି ମାଂ
ତ୍ରାହି ମାଂ
ତ୍ରାହି ମାଂ
ଆଭାକାନ୍ତ ମହାନ୍ତି
ମନଘୋଡ଼ା ପରେ ଅହଂ ସଇସ ଲୋ
ହାତେ ଯଉବନ-ଖଣ୍ଡା,
ସ୍ୱଇଚ୍ଛା ଯାତ୍ରାର ଆରମ୍ଭେ ପାଇଛି
ନୀତି-ହତେଶ୍ୱର ଧଣ୍ଡା ।
କୁଙ୍କୁରିକାଙ୍କୁରି ସମାଜ ଶୋଇଛି
ଅନୁତାପ-ଗଛ ତଳେ,
ହେଇତି ତ ତଳ ନଈପଠାଟାରେ
ନିୟମର ଜୁଇ ଜଳେ ।
କେଇଜଣ ବସି ପସ୍ତାଇ କାନ୍ଦନ୍ତି
କା' ଆଖିରେ ଲୁହ ନାହିଁ,
କଞ୍ଚା ହାଡ଼ମାଂସ ଜଳିଯାଉଅଛି
ସିଇଁସାଆଁ-ରିଇଁଝିଇଁ ।
ଗୁମୁରା ଗପରେ ଗଣତି ଚାଲିଛି
ଭାଇମାନେ ହେବେ ପ୍ରାୟେ,
ସେ ପାଉତି କାହିଁ, ସେ ଥଳିଟା ନାହିଁ
ସେ ବିଲଟା ଗଲା ହାଏ !
ଅହଂ ପଛେ ତା'ର ଅଛନ୍ତି ସଇନେ
ଏକୁ ଏକ ବଳୀୟାର,
ମାନ୍ୟ ପୁଣ୍ୟ ଦଳି ଦୋକତା ଖାଆନ୍ତି
ମଦହୋସେ ଭରପୂର ।
ଦୂରଦୃଷ୍ଟି କଥା ଦୁଆର ମାଡ଼େନି
କର୍ମଫଳେ ଚିନ୍ତା ନାହିଁ,
ଯାହା ହେବ ଦେଖାଯିବ, ଡରିବାଟା
ସ୍ୱାର୍ଥସାଧନରେ କାହିଁ ?
ବିବେକ ବିରୁଦ୍ଧେ ଯୁଦ୍ଧ କରିବେ ସେ
ଲୋଡ଼ା ନାହିଁ ତା ଜୀବନେ,
ବ୍ରହ୍ମାଣ୍ଡେ ସୀମିତ କରିଛି ବିଜ୍ଞାନ
ବିବେକକୁ କିଏ ଗଣେ ?
ବିବେକ ସଇନେ ବାର ବାର କରି
ହରାଇଛି କେତେଥର,
ସମାଜ ନାମରେ ବଞ୍ଚିଯାଉଛି ସେ
ଦେଖିନେବ ଏଇଥର ।
ସମାଜ, ସମାଜ, କି ସମାଜ କି ହେ
କି ମିଳିବ ସମାଜରୁ,
ପାଶେ ଧନ ଥିଲେ ସମାଜଟା ବାନ୍ଧି-
ପାରିବ ଯେସନେ ଗୋରୁ ।
ତେଣୁ ଅଯଥାରେ ବିବେକ କାହିଁକି
ଜମାଇଛି ତା ଆସନ,
ସେ'ପାଇଁକି ଅହଂ ବାଛି ବରିଅଛି
ଆଜି ଉଦଣ୍ଡିଆ ମନ ।
ତେଣୁ ଇଚ୍ଛା ଆଜି ଫୁଙ୍ଗୁଳା ସାଜିଛି
ହୋଇ ଫୁଲା ଫାଉଁତିଆ,
ତ୍ରାହି ମାଂ ତ୍ରାହି ମାଂ ସମାଜ ଡାକୁଛି
ହୋଇ ବୁଲା ବାଉତିଆ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****