ଅନ୍ଧାରେ ଆଲୁଅ ଭଳି
ଅନ୍ଧାରେ ଆଲୁଅ ଭଳି
ଶୀତୁଆ ସକାଳେ ଥରୁଛୁ କିପାଇଁ
ସୂରୁଯ ଆସିନି ଉଇଁ
କାଠିକୁଟା ଗଣ୍ଡେ ଜାଳିଛି ରେ ପୁଅ
ବସି ଯା' ନିଆଁକୁ ପୁଇଁ ।
କାମ ସିନା ମୋର ପାଣି କାଦୁଅରେ
ଗଢିବାକୁ ହେବ ଇଟା
ତୁ କିନ୍ତୁ ଧନରେ ପାଠ ପଢିବାକୁ
ବହିର ବସ୍ତାନି ଫିଟା ।
ଖରା ବର୍ଷା ଶୀତ ଲାଗିଥିବ ଧନ
ଏସବୁ ଆସିବ ଯିବ
ଜୀବନ ପଥରେ କଷଣ ସହିବା
ସମସ୍ୟା ନିଶ୍ଚୟ ଥିବ ।
ଗରିବ ହେଲେ ବି ଅଭାବକୁ ଦେଖି
ଊଣା କରିବୁନି ମନ
ପାଠ ପଢି ବଡ଼ ଚାକିରୀ କରିଲେ
ଅରଜିବୁ ନିଜେ ଧନ ।
ଆଉ ଘଡିକରେ ଶୀତ ଛାଡିଯିବ
ଖରା ବି ହୋଇବ ଟାଣ
ସହଳ ଯାଇ ତୁ ନିତ୍ୟକର୍ମ ସାରି
ପଢିବୁ ରହିଲା ରାଣ ।
ଚାଟଶାଳୀ ତୋର ଖୋଲିବା ଆଗରୁ
ଯାହା ଅଛି ଦେବି ରାନ୍ଧି
ଖାଇ ସାରି ଧନ ଚାଲିଯିବୁ ନିଜେ
ଖାତାବହି ସବୁ ବାନ୍ଧି ।
ବାପା ଯାଇଛନ୍ତି ମାଟି ଆଣିବାକୁ
ଚକଟିବେ ପାଦେ ଦଳି
ତୋର ଭବିଷ୍ୟତ ସପନ ଦେଖୁଛୁ
ଅନ୍ଧାରେ ଆଲୁଅ ଭଳି ।