ବୈଧବ୍ୟ ତୁ ଅବୈଦିକ
ବୈଧବ୍ୟ ତୁ ଅବୈଦିକ
ଧରିତ୍ରୀ !
ତୁ ସର୍ବଂସହା
ତୋ' ବକ୍ଷରେ ନାରୀତ୍ବର
ଅପରୂପ ଅନିନ୍ଦ୍ୟ ସମ୍ଭାର
ଏକରେ ଅନେକ, ଅନେକରେ ଏକ !
ତୁ
ନାରୀ !
ନାରୀର ଚିତ୍ରକଳ୍ପ
ନାରୀ ତୋ'ର ପ୍ରତିକଳ୍ପ !
ତୁ ନାରୀର ପ୍ରତିଛବି
ସିଏ ତୋ'ର ପ୍ରତିବିମ୍ବ !
ତୁ ନାରୀର ପ୍ରତିସ୍ୱର,
ନାରୀ ତୋ'ର ରୂପାନ୍ତର !
ରଜନୀରେ
ଲାଜକୁଳୀ କୁଳବୋହୂ ସାଜି,
ଲାଜୁକୀ ଲାଜୁକୀ ଆଖି ନେଇ,
କଣେଇ କଣେଇ କଳ୍ପନାର
କାମିନୀ ତୁ ସାଜୁ ।
ଜହ୍ନ ଜୋଛନାରେ
ମାନିନୀ ଯାମିନୀ ସାଜି
ନିଜେ ଭିଜି, ଭିଜାଇଦେଉ ତୁ
କୋଣ, ଅନୁକୋଣ !
ଋତୁରେ ଋତୁରେ,
କେତେବେଳେ ସନ୍ଧ୍ୟାରାଗ
କେତେବେଳେ ପୁଣି ସପ୍ତରଙ୍ଗୀ,
ଫଗୁଣରେ ବର୍ଣ୍ଣିଳ ବାସନ୍ତୀ
ଶ୍ରାବଣରେ ଦିବ୍ୟ ନୃତ୍ୟାଙ୍ଗନା ।
...
ଦୁଃଖ ଲାଗେ
ଝଡ଼ ଆସେ ଯେବେ
ତୋ'ର ସଂଭ୍ରମ ଜୀବନେ ।
ବିଧାତାର ଅତର୍କିତ,
ଅସଂଯତ, ଅନାହୂତ ଆକ୍ରମଣ
ଅନୈତିକ ନିଷ୍ଠୁରତା
ଦିଏ ତୋତେ ବୈଶାଖରେ
ଅସହିଷ୍ଣୁ, ଅକାଳ ବୈଧବ୍ୟ ।
...
ବୈଧବ୍ୟ
ନାରୀତ୍ବରେ
ନର୍କର ପ୍ରଲେପ,
ଭାଗ୍ୟର ଏ ବର୍ବର ପ୍ରକ୍ରିୟା
ବିଧାତାଙ୍କ ନିଷ୍ଠୁର ବିଧାନ
ସୌନ୍ଦର୍ଯ୍ୟବୋଧର ଜୀବନ୍ତ ସମାଧି
ପରମ୍ପରାର ତାତ୍ସଲ୍ୟ ତର୍ପଣ
ସମ୍ବିଧାନ ପାଇଁ ଅସାମ୍ବିଧାନିକ ଲଜ୍ଜା ।
ବୈଧବ୍ୟର ସଂଜ୍ଞା
ଶତଦୃର ସତ୍ୟ ପରି
ବୈଧବ୍ୟର ରୂପ
ଜହ୍ନର କଳଙ୍କ ପରି
ବୈଧବ୍ୟର ରଙ୍ଗ
ଶିଥିଳ ଶ୍ରାବଣୀ ପରି
ବୈଧବ୍ୟ ଯେ ନାରୀପାଇଁ
ନିର୍ବାକ୍, ଆଉ କରୁଣ ବିଳାପ
ଜର୍ଜରିତ, ଅବ୍ୟକ୍ତ ଯନ୍ତ୍ରଣା
ଅବୈଦିକ, ଅନାର୍ଯ୍ୟ ବିଧାନ !