ମାନସରୋବର ତୁ ପରା ମୋର
ମାନସରୋବର ତୁ ପରା ମୋର
ପଠାଣି ସାମନ୍ତ ମୁଁ ନୁହେଁ ଲୋ ବୋଉ
ଆଙ୍କି ପାରିବିନି
ତୋ' ଭାଗ୍ୟରେଖା ।
ମୁଁ ନିମିତ୍ତ ମାତ୍ର ସୁନାପୁଅ ତୋ'ର
କରିବୁନି କେବେ
ତୁ ଅଣଦେଖା ।
ଅଣଦେଖା ମୋତେ କରିବୁ କେମିତି
ମୁଁ ପରା ତୋହର
କୁଳନନ୍ଦନ ।
ଜୀବନଶଙ୍ଖାଳି କରି ରଖିଥିଲୁ
ଡାକୁଥିଲୁ ମୋତେ
ବିଶିକେଶନ ।
ଭାଗ୍ୟରେଖା ମୋ'ର ଏବେ ବି ରହିଛି
ତୋ' ମମତାମୟୀ
ପଣତତଳେ ।
ମମତାରେ ତୋ'ର ମୋ' ନାମାଙ୍କନର
ପ୍ରମାଣପତ୍ରଟି
ସର୍ବଦା ଝଳେ ।
ଚାଲିଗଲୁ ସିନା ତୋ' ନିଜ ବାଟରେ
ରଖି ଦେଇଗଲୁ
ମୁଠେ ମହକ ।
ସେଇ ମମତାର ମୃଦୁ ଆସ୍ତରଣ
ମୋ' ଭାବନା କରେ
ସକାରାତ୍ମକ ।
ତ୍ରିବେଣୀତୀର୍ଥ ମୁଁ ନୁହେଁ ଆଲୋ , ବୋଉ
ନାହିଁ ସାମର୍ଥ୍ୟ ତୋ'
ପାପ ଧୋଇବି ।
ମୋ' ପାଇଁ ତୁ ପରା ପୁଣ୍ୟତୋୟା ଗଙ୍ଗା ,
ତୋ' ଅମୃତକୋଳେ
ଆଶ୍ରୟ ନେବି ।
ଜନମ ଦେଲୁ ତୋ' ନିର୍ମାଲ୍ୟ-କୋଳରେ ,
କୈବଲ୍ୟପସରା
ମେଲାଇଦେଇ ।
ଜଗନ୍ନାଥଧାମ ଯିବି ମୁଁ କାହିଁକି
ଜଗାକୁ ପାଇଛି
ତୋ' ପୁଅ ହୋଇ ।
ସକାଳରୁ ସଞ୍ଜ ଶ୍ରୀଜଗନ୍ନାଥଙ୍କ
ଚରଣ ସେବାରେ
ଥିଲା ତୋ' ମନ ।
ତୋ' ଠାରୁ ଶିଖିଛି ଶ୍ରୀକ୍ଷେତ୍ରବନ୍ଦନା
ଆଖି ବୁଜିଦେଇ
ହୁଏ ନିମଗ୍ନ ।
ଚନ୍ଦନ ସାଙ୍ଗକୁ କଳା ତୁଳସୀର
ମହମହ ବାସ
ତୋ' ପାଖେ ଥିଲା ।
ସେଇଥିପାଇଁ ତୋ' ଅଗଣାରେ ରହି
କାଳିଆ ତୁଳସୀ
ଖୋଜୁ ନ ଥିଲା ।
ବଡଦାଣ୍ଡଠାରୁ ବିଶାଳ ବକ୍ଷ ତୋ
ବାଇଶିପାହାଚ
ତୋ'ରି ଅଗଣା ।
ସବୁ ତ ପାଇଲି ମମତା ବନ୍ଧନେ
ତୋ' ପଣତ ମୋ'ର
ମୁଖ୍ୟ ଗହଣା ।
ଆନନ୍ଦବଜାର ଟଙ୍କତୋରାଣିଠୁ
ତୋ' ଅମୃତ ବାଣୀ
ଆହୁରି ମିଠା ।
ସେଥିରେ ରହିଛି ଅମର୍ତ୍ତ୍ୟ-ମହୁର
ଖାଇବାକୁ ଇଚ୍ଛା
ତୋ'ର ଅଇଁଠା ।
ମହାସାଗର ମୁଁ ନୁହେଁ ଲୋ ,ଜନନୀ
ମାନସରୋବର
ତୁ ପରା ମୋର ।
ମନକଥା ଜାଣି ବାଢ଼ିଦେଉଥିଲୁ
ମନ ପସନ୍ଦର
ଖାଦ୍ୟ ଅପାର ।
ରହିଥା ଲୋ , ବୋଉ ସ୍ୱର୍ଗ ସିଂହାସନେ
ଆର ଜନମକୁ
ପୁଣି ଆସିବୁ ।
ପ୍ରତୀକ୍ଷାରେ ଅଛି ତୋ' କୁଳନନ୍ଦନ
ସୁନାପୁଅ କରି
କୋଳେଇ ନେବୁ ।