ଆକର୍ଷଣ ବନାମ ଆତ୍ମୀୟତା
ଆକର୍ଷଣ ବନାମ ଆତ୍ମୀୟତା
ଆକର୍ଷଣ ଯେବେ ଆତ୍ମୀୟତା ରୂପ ନିଏ
ସାକ୍ଷାତର ଲଗ୍ନ ଦିକ୍-ବଳୟେ ଯାଏ ଲୁଚି
ପ୍ରତୀଚୀପ୍ରାନ୍ତରେ ମୁଁ ଜଣେ ଭ୍ରାନ୍ତ ପଥିକ
କାହିଁକି ଖୋଜିବି ଶୁଭ୍ରତାରେ ଭରା ପ୍ରାଚୀ ।
ପ୍ରାଚୀଗଗନରେ ଅରୁଣଙ୍କ ଅରୁଣିମା
ଉଦ୍ଭାସିତ କରେ ଦେଇ ନୂଆ ଆଶାଲୋକ
ପ୍ରତୀଚୀ ଉପାନ୍ତେ ମୁଁ ଅନାମଧେୟ ନର
ତଥାପି ଆଶାୟୀ ଛୁଇଁବାକୁ ସେ ଆଲୋ ।
ନିଶାର୍ଦ୍ଧ ଲଗ୍ନର ଜ୍ୟୋତ୍ସ୍ନାବିଧୌତ ରଜନୀ
ଖୁଲଣାସୁନ୍ଦରୀ ପରି ହୋଇ ସୁସଜ୍ଜିତା
ସନ୍ତର୍ପଣତାରେ ସ୍ୱାଗତେ ମଧୁଯାମିନୀ
ବଧୂ ନିରୁପମା ଲଗ୍ନେ ନବପରିଣୀତା ।
ସୌନ୍ଦର୍ଯ୍ୟବୋଧକୁ ଅନୁଭବେ ଆଙ୍କିନିଏ
ଆଙ୍କିବାପାଇଁ ଯେ ଦିବ୍ୟଦୃଷ୍ଟି ଆବଶ୍ୟକ
ପ୍ରାଚୀ ହେଉ ଅବା ହେଉ ପ୍ରତୀଚୀ ଦିଗନ୍ତ
ସୌନ୍ଦର୍ଯ୍ୟ ପିପାସୁ ନୁହେଁ କେବେ ଆରଣ୍ୟକ ।
ଆତ୍ମୀୟତା ତୁମେ କାହିଁକି ଏତେ ନିଷ୍ଠୁର
ଇନ୍ଦ୍ରଧନୁ ରଙ୍ଗେ ସହଜେ ରଙ୍ଗେଇଦିଅ
ଅଭ୍ର ଅଭିଳାଷ କଳ୍ପନାରେ ଉଙ୍କିମାରେ
ବାସ୍ତବତା ବକ୍ଷେ ସଙ୍କୁଚିତ ହୋଇଯାଅ ।
ସାଇତିଥିଲି ମୁଁ ଅର୍ଦ୍ଧମୁକୁଳିତ ସ୍ୱପ୍ନ
ନିରୁଦ୍ଦିଷ୍ଟ ହୋଇ କରିଲା ମୋତେ ଉଦ୍ବିଗ୍ନ
ଗଢ଼ିଥିଲି କେଡ଼େ ମନଲାଖି ଶ୍ରୀମନ୍ଦିର
ସୁନାମି ଝଡ଼ରେ ପାଲଟିଲା ଦିବାସ୍ୱପ୍ନ ।
ସୁନାମି ଆସିବ ଜାଳିଦେଇ ଯିବ ଚାଲି
ତଥାପି ମୋ' ଦମ୍ଭ ମଉଳିଯିବନି କେବେ
ସଂଘର୍ଷ ଯେ ମୋର ଚିରନ୍ତନ ସହଚର
ସଜେଇଚାଲିବି ନିଜ ସଦ୍ୟ ଅନୁଭବେ ।
ନିଜ ପାଇଁ କିଛି ଭାବିନି ମୁଁ କରିବାକୁ
ଯାହା ବି କରିବି ରୁଗ୍ଣ ସମାଜର ପାଇଁ
ସମାଜକୁ ନେଇ ସେଇ ସମାଜ ହିତରେ
ଆଙ୍କିଯିବି କିଛି କ୍ଷୁଦ୍ର ଶିଳ୍ପୀଟିଏ ହୋଇ ।
ମୋ' ଶିଳ୍ପରେ ଥିବ ଆମ ଆତ୍ମୀୟତା ଚିତ୍ର
ନୁହେଁ ତାହା ଅର୍କ କୋଣାର୍କର ନୃତ୍ୟାଙ୍ଗନା
ଚିତ୍ରର ଇଙ୍ଗିତେ ପଥର ଉଠିବ ହସି
ସତେ କି ତା' ହସେ ନାଚି ଉଠିବ ଲଳନା ।
ନିରାଶା ଭିତରେ ଆଶା ଉଙ୍କିମାରୁଥାଏ
ଜୀବନଟା ନୁହେଁ ନିରାଶାର ମରୁଦ୍ୟାନ
ହେ ମୋର ଆତ୍ମୀୟ ଭାଙ୍ଗିପଡ଼ିବନି କେବେ
ଆମରି ମନ୍ଦିର ହେବ ଅଶାର ଉଦ୍ୟାନ ।
ଆକର୍ଷଣ ସଦା ମାୟାରୂପୀ କୁହୁକିନୀ
ଆତ୍ମୀୟତା ଆଗେ ନଇଁଯାଏ ତା'ର ମଥା
ଛନ୍ଦି ହେବି କିମ୍ପା ଆକର୍ଷଣ-ମାୟାଜାଲେ
ବରଂ ମୋ' ପାଇଁକି ଶ୍ରେୟଃ ଆମ ଆତ୍ମୀୟତା ।