ବୋଉ
ବୋଉ
ତୋ ଛାତିର ଶବ୍ଦ ସବୁ
ଏବେ ଶୁଣି ଲାଗୁଛି
ତୁ ଅଛୁ ମୋ ଚାରିପାଖ ଶୂନ୍ୟତାରେ
ତୋ ମିଠା ମିଠା ହାତର ପରଶ
ତୋ ଚିରା ଫଟା ପଣତର
ଅସରନ୍ତି ଭାବର ଉଚ୍ଛ୍ୱାସ
ଆଜିର ଏ ତାଳିପକା ଯୁଗର
ସେ କାଇଁଚ ମାଳିଆ ସ୍ବପ୍ନ ଆଉ କାହିଁ
ମିଛରେ ତୁ ଡାକୁଥିବା ନିଦ ମାଉସୀ
ଆଖିପତା ଘୋଡେଇ ଦେଉନି
ସତରେ ଜହ୍ନମାମୁଁ ଘରକୁ ନେବୁ କହି
କୁଆଡେ ଲୁଚିଗଲୁ, ବୋଉ ଶବ୍ଦ
ବର୍ଣ୍ଣବୋଧରେ ଖୋଜି ଖୋଜି ବେଦମ
ବୋଉ ନଥିବା ଆଖିପତାରେ ନିଦ ନାହିଁ
ସ୍ବପ୍ନ ବି ତାଜାମହଲ ଗଢୁନି
ବାଲିଘର ଭୁଶୁଡି ଗଲାଣି କେବେଠୁ
ସମୟର ରାଜରାସ୍ତାରେ
ବେଧଡକ ଚାଲିବାର ଆଶା ତୁ
ଯୋଜନ ଯୋଜନ ନିଶାରେ
ବଞ୍ଚିବାର ରାହା ଏକା ତୁ
ଜୀବନଟା ରଙ୍ଗହୀନ
ତୋ ବିନା ସଂସାରରେ ଜହ୍ନରାତି ନାହିଁ
ସମୟର ତତଲା ଶବ୍ଦମାନଙ୍କଠୁ
ଚଟକଣି ଖାଇ ଖାଇ
ବଢିବାର ସାହାସ ଜୁଟାଇବା ଅସମ୍ଭବ
ତୋ ପଣତ ମନ୍ଦିର ନେତ ହେଲା କି ନାହିଁ
ମୁଁ କେମିତି ପାରିବି ଜିଇଁ
ସମୟ ସାଥିରେ ସାଲିସ କରି
ଅନ୍ତିମ ଯାତ୍ରା ସରିବା ଯାଏଁ!
ଅଚାନକ ଶୁଭେ ତୋ ନିରଳସ ଉଦାସ କଣ୍ଠ
ମାଆଟିଏ ହୋଇଗଲେ ବଞ୍ଚିଯିବୁ ଆପେ ଆପେ
ପିଇ ପିଇ ସମୟର ଉଦାସୀ ବିଷ ଓ ପିୟୁଷ ।
