ଚାଲ ନା ,ଫେରିଯିବା
ଚାଲ ନା ,ଫେରିଯିବା


ଚାଲ ନା!
ଫେରିଯିବା ଆମେ!!
ସେଇ ଭିଟାମାଟିକୁ
ଆମ ଗାଆଁଦାଣ୍ଡକୁ
ସେଇ ମାଆକୋଳକୁ!!
ସେଇଠି ପଖାଳିବା
ଅତୀତର ମୁଠା ମୁଠା
ମିଠା ସ୍ମୃତିମାନଙ୍କୁ!
ଯାହାକୁ ଗଣ୍ଠିରେ
ବାନ୍ଧିରଖିଛୁ ଏବେଯାଏ
ଏତେ କଟକଣା ସତ୍ତ୍ୱେ !!
ଏଇଠି
ଅଯଥା ଚାକଚକ୍ୟରେ
ଆମ ସୂକ୍ଷ୍ମ ମନଟି
ସତେ କି ,ପେଷି ହୋଇଯାଉଛି !
ଆସିଥିଲେ ଆମେ ,
ଚୂନା ଚୂନା ସ୍ବପ୍ନମାନଙ୍କୁ
ରୂପ ଦେବାକୁ!
ଭାବିଥିଲେ ଗଢ଼ିଦେବାପାଇଁ
ଏକ ସୁଦୃଢ଼ ଅଟ୍ଟାଳିକା!!
କୀର୍ତ୍ତିର ,ଯଶର , ସୁନାମର !!
ଅଟ୍ଟାଳିକା ତ ହେଲା ,
କି
ନ୍ତୁ ଅହର୍ନିଶ ନିଃଶବ୍ଦ ବିସ୍ଫୋରଣ
ନିସ୍ତବ୍ଧ କରିଦେଉଛି ମୋତେ!
ମେଞ୍ଚାଏ ଅପଯଶ!
କୀର୍ତ୍ତିର କ୍ରମିକ ଅବକ୍ଷୟ
ଦୁର୍ନାମର ପ୍ରଲେପରେ ଧ୍ୱସ୍ତପ୍ରାୟ!
ଭଲ ଲାଗୁନି
ଏଇ ପ୍ରତାରଣାର ସହର!
ଏଇ ମିଥ୍ୟାର ଆଭୂଷଣ !
ଏଇ ପ୍ରହେଳିକାର ପ୍ରେମପତ୍ର!!
ୟା'ଠୁ ଭଲ ଥିଲା ,
ସେଇ ଗାଆଁମାଟି!
ତା' ବହଳିଆ ଆମ୍ବତୋଟା
ସେଇ ନିର୍ଜନ ନଈକୂଳ
ସେଇ ମଧୁମୁଖରିତ ଗାଆଁଦାଣ୍ଡ
ସର୍ବୋପରି ,
ଆମ ଭିଟାମାଟି ,
ଆମ ମାଆକୋଳ !
ଏଇଠି ଯେ ମୁଁ ଶ୍ୱାସରୁଦ୍ଧ!
ଏକ ଜୀବନ୍ତ କଣ୍ଢେଇ!
ଏହାଠାରୁ ବରଂ ଶ୍ରେୟଃ!
ଆମ ସେଇ ଗାଆଁର ମଶାଣି !!!