ସମ୍ପର୍କ କେବେ ବି ନୁହେଁ ବାଲିଘର
ସମ୍ପର୍କ କେବେ ବି ନୁହେଁ ବାଲିଘର


ତୁମେ ତ ରହିଲ ତୁମ ଜଞ୍ଜାଳରେ ,
ମୋ' ପାଇଁ ସମୟ କାହିଁ
ମୁଁ ଅବା କାହିଁକି ଖୋଜିବି ତୁମକୁ
ଶ୍ରଦ୍ଧାରେ ବିଲୀନ ହୋଇ ।
ଜଞ୍ଜାଳ ବି ଏତେ ଜଘନ୍ୟ ଜହ୍ଲାଦ
କ୍ଷତାକ୍ତ ,ରକ୍ତାକ୍ତ କରେ
ଦରଦ-ଢେଉରେ ଡୁବାଇ ଡୁବାଇ
ଦହଗଞ୍ଜ କରି ମାରେ ।
ଦୋଷ ତ ତୁମକୁ ଦେଇ ପାରିବିନି
ନିର୍ଦୋଷ ବି ନୁହଁ ତୁମେ
ସାରା ଦୁନିଆର ନିମ୍ନ ନଜରରେ
ଦେଖୁଛ ମୋତେ ନିର୍ମମେ ।
ସେଇଥିପାଇଁ ମୁଁ ଶପଥ ନେଇଛି
ଖୋଜିବିନି କେବେ ଆଉ
ସୁଖରେ ତ ନୁହେଁ ଦୁଃଖରେ ବି ନୁହେଁ
ଭୋଗିବି ବିରହ ଦାଉ ।
ଖୋଜିବିନି ଭାବି ଆଖି ବୁଜିଦେଲେ
ତୁମ ଛବି ଊଙ୍କିମାରେ
ପ୍ରତିବିମ୍ବ ତା'ର ଆଇନାରେ ନାଚେ
ମଉନାବତୀ ରୂପରେ ।
ଓଠ ତ ମଉନ ନିରବ ନୟନ
ହୃଦୟ ଯେ ଉଦ୍ବେଳିତ
ହୃଦୟକୁ ତୁମେ ଠକି ପାରିବନି
ସେ ପ୍ରଣୟାଭିପ୍ରେରିତ ।
ଆକାଶ ହରାଏ ନାହିଁ ତା ନୀଳିମା
ଅନାୟାସେ ଦିଏ ଢାଙ୍କି
ଆକାଶର ଅଙ୍କେ ନୀଳିମା ହଜେନି
ହସେ ଯାଏନାହିଁ ଶଙ୍କି ।
ସମ୍ପର୍କ-ସଉଧ ଗଢିବା ପାଇଁକି
ହେଲ ତୁମେ ଆଗଭର
ଅଳପ ଦିନରେ ଆକସ୍ମିକ ଭାବେ
କରିନେଲ ଯେ ନିଜର ।
ଭାବି ନେଇଗଲ ସମ୍ପର୍କର ଶେଯ
କୋଣାର୍କର ଶିଳାନ୍ୟାସ
ଭାବପ୍ରବଣତା ବିବଶ କଲା କି
ମିଳିଲାନି ଜୀବନ୍ୟାସ ।
ସଂସାରକୁ ସିନା କହିଦେବ ତୁମେ
ପାର୍ଥିବ କ୍ଷଣଭଙ୍ଗୁର
ସମ୍ପର୍କ କେବେ ବି ନୁହଁ ବାଲିଘର
ଚିରସ୍ଥାୟୀ ତା'ର ସ୍ୱର ।
ରହିଥାଅ ତୁମେ ତୁମରି ଜଞ୍ଜାଳେ
ସଂଜ୍ଞାହୀନ ତା'ର ସ୍ଥିତି
ମୁଁ ତ ସାଧାରଣ ଜଣେ ଆଗନ୍ତୁକ
ଆକଷ୍ମିକ ଉପସ୍ଥିତି ।
ଯେଉଁ ପଥେ ମୋତେ କରିଲ ସ୍ୱାଗତ ,
ସେ ପଥେ ଦିଅ ବିଦାୟ
ସୀମାହୀନ ତୁମ ଜଞ୍ଜାଳକୁ ନେଇ
ଦୀର୍ଘଜୀବୀ ହୋଇ ଥାଅ ।