ସେ ପାହାଡ ତଳ ଗାଁଟି
ସେ ପାହାଡ ତଳ ଗାଁଟି
ହୁଏତ
ସମୟର ବିବର୍ତ୍ତନ ପରେ
ଅଣଦେଖା ଧୂଳି ଧୂସରିତ ମୁଠାଏ ସ୍ମୃତି
ପଡିରହିଥାଇ ପାରେ
ସେ ଗାଁ ମୁଣ୍ଡ ଇମାରତରେ ।
ହୁଏତ
ରାଜନେତା ପ୍ରତିଶ୍ରୁତି ଡିବିରି ଆଲୁଅ
ମିଞ୍ଜି ମିଞ୍ଜି ହୋଇ ହସୁଥାଇ ପାରେ
ଆମ ଗାଁ ନଣ୍ଡା ପାହାଡ ଚୂଳ ଉପରେ ।
ହୁଏତ
ଅତ୍ୟାଧୁନିକ ଚିକିତ୍ସକଙ୍କ ଅସ୍ତ୍ରୋପଚାର
ଖୋଳି ତାଡି ଫିଙ୍ଗି ଦେଇଥାଇପାରେ
ଜଙ୍ଗଲୀ ଜୀବନର ସରଳ ହୃଦୟଟିକୁ
ସଭ୍ୟତାର ନିହାଣ ମୁନରେ ।
ହୁଏତ
ଛୋଟିଆ ଆଖିର ବଡ ବଡ ସ୍ୱପ୍ନ ସବୁ
ଟୁକ୍ ଟୁକ୍ ଚାହୁଁଥିବେ
ତୁମ ସହରୀ ଆଲୋକ ତାରା ମେଳରେ ।
ହୁଏତ..
ବେଙ୍ଗ ବେଙ୍ଗୁଲି ମଧୁମିଳନ ରାଗିଣୀ ତୋଳୁନଥିବେ
ପହିଲି ଆଷାଢ ନହୁଲି ବର୍ଷା ଛିଟାରେ ।
ହୁଏତ
ରାଧୁଆ ଭାଇନା କଳାଧଳା ଭେଜାଲ୍ ବିହୀନ ହସରେ
ରାଧେଶ୍ଯାମ ମହାଜନର ସାତ ପ୍ରାଣୀ କୁଟୁମ୍ବ ଜଞ୍ଜାଳ ଦରିଆ
ପହଁରି ଯାଉଥିବେ ଅନାୟାସରେ ।
ହୁଏତ
ଆତ୍ମନିର୍ଭର ଦାନା ଖୋଜୁ ଖୋଜୁ
ଗୋଠ ଛାଡି ଏକା ଏକା ଚାଲିବା ଶିଖିଯାଇଥିବେ
ସବୁ ଗୁହାଳେ ସ୍ନେହ ମମତା ବନ୍ଧନ ବନ୍ଧା ବାଳୁତ ବାଛୁରୀମାନେ ।
ତଥାପି
ମୋ ଗାଁ ହସୁଛି
ରଙ୍ଗ ବେରଙ୍ଗର ସୁନେଲି ପାଟ ପିନ୍ଧା
ଚକଖଡି ଅଙ୍କା ମନ ସିଲଟ ଚିତ୍ରପଟ୍ଟରେ ।
ବାତୁଳ ପ୍ରେମିକ ଲେଖନୀ ମୁନରେ
କେଇଗୋଟି ଶବ୍ଦ, କେଇ ବୁନ୍ଦା ଆବେଗ ଗୁନ୍ଥା ଫୁଲମାଳରେ ।
ସେ ପାହାଡ ତଳ ମୋ ଛୋଟିଆ ଗାଁଟି
ଏବେବି
ମହମହ ହୋଇ ମହକି ଉଠୁଛି
ପହିଲି ବର୍ଷାର ଓଦା ସରସର ଭିଜାମାଟି ବାସ୍ନା ସାଥିରେ ।