କୀଟ ଦଂଶନ ପର ଧାରା ବିବରଣୀ
କୀଟ ଦଂଶନ ପର ଧାରା ବିବରଣୀ


କେମିତି ଥାଏ ପରିସ୍ଥିତି
ପରଭୋଜୀ କୀଟଟିଏ ରକ୍ତ ଶୋଷିବା ବେଳେ
କୁହତ ?
ଯନ୍ତ୍ରଣା ଜର୍ଜରିତ ତୁମେ
ଓଃ କରି ବ୍ୟକ୍ତ କର ପ୍ରତିକ୍ରିୟା
ଫନ୍ଦା ଛନ୍ଦି ବସ ସେ ଶୁଭ ଲଗ୍ନକୁ
ଯେବେ ଦାନା ଖୁଣ୍ଟିବାକୁ ଆସିଥିବା ଜୀବ
ଖୁଣ୍ଟ ବଂଧା ଜାଲରେ ଜାବୁଡ଼ିବାକୁ ଦେବ ତା' ଅସ୍ଥିର ପାଦ ।
ଅବା ଶାଣ ଦେଉଥାଏ ଆଖି ଗୋଟିଏ ଶକ୍ତ ଚୋଟ
ସମସ୍ତ ଶକ୍ତି ସାମର୍ଥ୍ୟ ଏକଜୁଟ କରି
ତୁମ ଭିତରେ
ଗଜୁରାଉଥାଏ ଟୋପେ କୀଟନାଶକ ।
କ'ଣ ଥାଏ ସେ ସମୟେ ମାନସିକ ସ୍ଥିତି,କୁହତ
ଯେତେବେଳେ ମାଂସକୁ ମାଟି ମନେକରି
ସହୁଥାଅ ତୁମେ ଦଂଶନ
ବିନା ପ୍ରତିବାଦରେ
ବନ୍ଦ୍ କରିନିଅ ଆଖି ନାକ କାନ
ନପହଞ୍ଚୁ ପୀଡ଼ିତ ରକ୍ତ-ଗଂଧ-ଚିତ୍କାର ବୋଲି ।
ଅଥବା ଖାଦ୍ୟଚକ୍ର ଆଳରେ ବଞ୍ଚିବାକୁ ଦିଅ
ଚିରାଚରିତ ଢଙ୍ଗରେ କୀଟ ଜିଉଁ ସ୍ବତନ୍ତ୍ର କହି ,
କ'ଣ ଥାଏ ତୁମ ଚୂଡାନ୍ତ ନିଷ୍ପତ୍ତି ।
ଅବା ଧରିନିଅ
ଅଲଣା ଏ ବୁନ୍ଦାଏ ରକ୍ତ କିଛି ନୁହେଁ ମ
ଆମେ ଶୋଷି ଚାଲିଥିବା
ଖଟିଖିଆଙ୍କ ବାଲତି ବାଲତି ଲୁଣଯୁକ୍ତ ରକ୍ତ ଆଗରେ
କୁହତ ,କ'ଣ ଥାଏ ପ୍ରତିକ୍ରିୟା କୀଟ ଟିଏ ଦଂଶିଲା ପରେ ।