STORYMIRROR

Shiba Charan Mahapatra

Tragedy Others

4  

Shiba Charan Mahapatra

Tragedy Others

ରାଜ୍ୟାଭିଷେକ

ରାଜ୍ୟାଭିଷେକ

2 mins
451


ଆର୍ତ୍ତରବ ଓ କ୍ରନ୍ଦନ ପାର୍କ ଭିତରେ

ନେଇ ଚାଲନ୍ତି ଆପଣ ପାଉଚ ତିଆରି ସେଲଫି 

ଅପଡେଟ ଦେବାକୁ ସହର ଷ୍ଟାଟସ୍..!


ଆମେ ଲହୁ ଲୁହାଣ ଫଟୋ ଗ୍ୟାଲେରୀ,ଲାଗିପାରେ ନିଆଁ 

ପାଳଗଦା ଭଳି ଘଞ୍ଚ ଅରଣ୍ୟ ଭଳି ପ୍ରେମିକ ହୃଦୟ ଭଳି

ତୁମ ଚିରୁଡାଏ ଲାଇକ୍ ହାଲକା କମେଣ୍ଟରେ..!


ଯେପରି ଅନ୍ଧାରର ରଂଗ ଯେପରି ପୃଥିବୀର ଗତିପଥ 

ଯେପରି ସମୁଦ୍ରର ଧର୍ମ ଅପରିବର୍ତ୍ତନୀୟ 

ଠିକ୍ ସେପରି ଆମ କର୍ମ ପଥଧାର ଭାଗ୍ୟର ଫଳକ,

ଏତେ ଅସହାୟ..!?


ତଥାପି ,ଆପଣ ଆଶ୍ୱସ୍ତ 

ଆଶୀର୍ବାଦ ବର୍ଷା ହେବ ପାର୍କ ଛାତିରେ

ଚଢ଼ା ଦର ଦେଇ ଅଚିହ୍ନା ମୁଲକୁ କିଣା ହେବ ପାଣି 

କିନ୍ତୁ ଆମେ ଭଲଭାବେ ଜାଣୁ

କେତେ କାଳୁ ସେ ମୁଲକ ପାଣି ପାଇଁ ଋଣୀ..!?


କେତେ କାଳୁ ସେ ମୁଲକ ଦେଖିନାହିଁ ବର୍ଷା କି ବସନ୍ତ 

ସେ ମୁଲକ ବିଧବାଙ୍କ ରଙ୍ଗହୀନ ସିନ୍ଥି,ବନ୍ଧୁର ଓ ରୁକ୍ଷ ପର୍ବତ..!


କେତେ କାଳୁ ସେ ମୁଲକେ ମଣିଷ ସବୁ ମୃତ

ସହରଟା ଲଙ୍ଗଳା ପିଲା ତା' ଖିର ଶୂନ୍ୟ ସ୍ତନରେ ରେକଟୁଥାଏ

ହାତେ ନେଇ ରଫୁ ଭବିଷ୍ୟତ..!


ଏତିକି ଆଶ୍ଚର୍ଯ୍ୟ,ଆମେ ସବୁକିଛି ଜାଣୁ..!

ତତ୍ତ୍ଵାବଧାନରେ ତାଙ୍କ ବାଘ ନାଚ ଚାଲେ

ମୁଣ୍ଡ ପୋତା କେଳା,ଜିଭ କାଟେ ମୁଣ୍ଡ ପୋତେ କୁଟୁମ୍ବ ଚଳାଏ

ବାଉଁଶ ରାଣୀ ପାଦେ ଭାଗ୍ୟ ଟଳମଳ ଝୁଲାଏ..!


ବେଳେ ବେଳେ ଲାଗେ ମୁଁ ସେ ମୁଣ୍ଡ ପୋତା କେଳା ଅବା 

ସେ ଅବୁଝା କୁନିପାଦ

ଯେ ହରେଇ ବସିଛି ନିଜସ୍ଵ ପ୍ରାଧାନ୍ୟ ପ୍ରଭୁତ୍ୱ କର୍ତୃତ୍ୱ 

ପଦ୍ମତୋଳା ପଦ..!

 

ଆଉକେବେ ଲାଗେ ମୁଁ ଅନ୍ଧ ପିତାମହ ବିଚରା ଦର୍ଶକ..!

ଖେଳ ଦେଖେ ତାଳି ମାରେ ଭୋକ ଭୁଲେ,ଦିଏ ଅନୁମତି 

ନିଅ ଦୁଃଖବନ୍ଧୁ ଆମ ତୁଷାରଖଣ୍ଡ ଦୁଃଖ

ନିଅ ରାଜକୁମାର ଆମ ବିନିଦ୍ର ଯେତେ ରାତି

ନିଅ ଭାବିମହାରାଜ ଆମ ସ୍ବପ୍ନଭଂଗ ଆଖି କୋହଭରା ଛାତି..!


ନିଅ ଯାହା ତୁମ ଆବଶ୍ୟକ ରାଜା ହେବା ପାଇଁ 

ଆମ ଲୁହ ଲହୁ ବିଷ ଅମୃତ ସର୍ବସ୍ବ ଟେକିଦେଲୁ

ଦି'ପଦ କଥା ବିଶ୍ୱାସରେ,

ଆଉ ପାଞ୍ଚ ବର୍ଷ ଆମ ଉଦର ଜଳିଲେ ଜଳୁ ,ତୁମ ଭାତ ହାଣ୍ଡି ଫୁଟୁ

ଆମ ମସ୍ତକ ଟଳିଲେ ଟଳୁ ତୁମ ମୁକୁଟ ଚହଟୁ..!

 

ଆଉ ଡେରି କାହିଁ ବନ୍ଧୁ,ଆସ

ପ୍ରସ୍ତୁତ ଅଛି ପାଳଭୂତ ଶରୀର ଆମର

ଧର ଅସ୍ତ୍ର ମାର ନିଆଁ ବାଣ

ଜାଳିଲେ ଦଳିଲେ ସିନା ଅନୁକମ୍ପା ଛୁଟେ

ବିନା ରକ୍ତପାତେ,କ'ଣ ଶାନ୍ତି ଫୁଲ ଫୁଟେ..?


ନିଅ

ନିଅ ରାଜକୁମାର ପୂର୍ଣ୍ଣ ସହମତି ଆଶୀର୍ବାଦ ଦାନ 

ଫୁଲ ଶୂନ୍ୟ ଏ ପାର୍କ ଭିତରେ ଲଘୁଚାପ ପାଇଁ 

ପିନ୍ଧି ପକାଅ କ୍ଷମତା ମୁକୁଟ ଅଳଙ୍କୃତ କର ରାଜସିଂହାସନ..!


ଏବେ ଜଳିଗଲେ ଜଳୁ ଏ ଦେହ ସୁନାର ବସନ

ରାମରାଜ୍ୟ ଆସୁଛି କହି କଟିଯାଉ 

ବଳକା ଆୟୁଷ ବାକି କିଛି ଦିନ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy