ଏବେ ତ ଛାଡ଼
ଏବେ ତ ଛାଡ଼
ଖରକା ଦେଇ
ପାହାନ୍ତିଆ ନୀଳ ଅନ୍ଧାର
ତୁମକୁ କୋଳରେ ପୂରାଇଛି
ଯେମିତି ଗୋଟିଏ ଜିଅନ୍ତା ପ୍ଲାଷ୍ଟିକ ଚେୟାର୍ ର
ଖାପଚାରେ ପଡିଛି
ଆଉ ଗୋଟେ ପ୍ଲାଷ୍ଟିକ ଚେୟାର
କେଉଁଠି ଟିକେ ବି ଫାଙ୍କ ନ ରଖି -
ଦେହର ସବୁ ରେଖା ମିଶାଇ
କାହିଁ ଆସେ ମନରେ
ଆଉ ଟିକେ ସିଝିବାର ଇଚ୍ଛା
ଏ ଶୀତଳ ତନ୍ଦ୍ରାରେ
ଦେହର ବାସି ବାସ୍ନାରେ
ଅତସୀ କୁସୁମ ଶେଯରେ
କୋଚା ମୋଚା
ଗୋଟେଇ ହୋଇଥିବା
ବିଛଣା ଚାଦରରେ
ତୁମେ "ଛାଡ଼ !" କୁହ
ଏହ ଯେମିତି କେଉଁ ନିଛାଟିଆ
ଛୋଟ ମଫସଲି ରେଳଷ୍ଟେସନରେ
ବାଜୁଥିବା ପ୍ରଥମ ବେଲ
ସକାଳଟ୍ରେନ ଆସିବାକୁ
ତଥାପି ଅନେକ ଡେରି
ଦିନ ଯାକର ନିଃସଙ୍ଗତା
ଏକୁଟିଆପଣ
ହାତ ଟାଣ ହୋଇ ସାରିଥାଏ
ତୁମ ଅଣ୍ଟା ଚାରିପଟେ
ତୁମ ବଳ ପାଏନା ମୋ ବଳକୁ
ତୁମେ ବି ହାର ମାନି ଶୋଇଯାଅ
ରାତିର ସେ ଅଛିଣ୍ଡା ଅଧୁରା ସ୍ବପ୍ନକୁ ଭୁଲି
ପୁଣି ଦେଖୁ ନୂଆ ସ୍ୱପ୍ନ
ଦେଖଣାହାରୀ ଅନ୍ଧାର ଏବେ
ଏବେ ସ୍ୱପ୍ନ କୋଳରେ
ଶୋଇଥାଏ ସ୍ବପ୍ନଟିଏ
ଅନୁଭବ କରେ
ଏବେ ବି କଷି ବାନ୍ଧି ନାହଁ
ତୁମ ଦେହର ଲୁଗା
କେତେ ଥର କହିଛି
ଏଇଟା ପା ଚୋର ଆସିବାର ବେଳ
ତୁମ ମୁହଁରେ
ପାହାନ୍ତି ଅନ୍ଧାରର
ନିଦ୍ରା ମିଶ୍ରିତ ସ୍ମିତ ହସ
ଯେମିତି ଚୋରକୁ କହୁଛି
"ନେଇ ଯା ସବୁ କିଛି"
ଯଦି ବଳି ଥାଏ କିଛି"
କେଡ଼େ ଅବଶ ଏ ଦେହ
ମନ ଉସୁକାଉ ଥାଏ
ପାଦ ମନା କରେ
ଦୌଡ଼ିବାକୁ
ନିଦ ବି ଚଢ଼ିଆସେ କେଉଁଠୁଁ
ମିଛଟାରେ ପାଗଳ ହୋଇଥିବା ହାତ
ପୁଣି କୋହଳ ହୋଇଯାଏ
ଷ୍ଟେସନର ସେକେଣ୍ଡ ବେଲ ବାଜେ
"ଏବେ ଛାଡ଼"
ପରବର୍ତ୍ତୀ କେଇ ମିନିଟର
ସେହି ନୀରବ ତପସ୍ୟା
ଶୟନ ମୁଦ୍ରାରେ
ଯେବେ ନିଦ୍ରା କୋଳରେ
ଶୋଇରୁହେ ଚେତନା
ରାତିର ଜଡତା ଭିତରୁ
ଆରମ୍ଭ ହୁଏ
ନିରିମାଖୀ ଲତାର ଜୀବନ ପ୍ରସ୍ତୁତି
ଛାତ ଉପରକୁ ଚଢି ଯାଏ ଖରା
ଦିନ ପାକଳ ହୋଇଆସେ
ପ୍ରତିଧ୍ବନିତ ହୋଇଯାଏ
ମୋ କାନରେ
ସେହି ଅନ୍ତିମ ବେଲ
"ହଉ ଏବେ ତ ଛାଡ଼"
ଆହା ! ମଧୁରତା କିପରି ଆସେ
ଦମ୍ଭର ପୁଟ ଲଗାଇ !
ଏବେ ତୁମ ବଳ
ମୋଠୁଁ ବେଶୀ ହୋଇଯାଏ
ଢିଲା ପଡି ଯାଇଥିବା ଲୁଗାକୁ
ଠିକ କରି ବାନ୍ଧିବାକୁ
ମଞ୍ଜୁରୀ ମାଗିନିଅ ନିଜକୁ
ଅନ୍ତତଃ ମୋ ଗୋଟିଏ ବାହୁରୁ
ଜାଣି ହୁଏନି
ଶୋଇଥିବା ଏ ବ୍ୟାଧ ମୁହଁରେ
ଚୁମ୍ବନ ଆଙ୍କି
ମୃଗୁଣୀ ତୁମେ କେବେ ହସି
ଖସି ଚାଲିଯାଅ