ହସେ ବଉଳି
ହସେ ବଉଳି


ଲାଜେଇ ପ୍ରିୟା ମୋର
ରାଗରେ ଗର ଗର
ମାନ ଅଭିମାନେ ରୋଷିଛି
ନାକ ଅଗରେ ନିଆଁ
କୁହୁଳି ଛାଡ଼ୁଛି ଧୂଆଁ
ଫଣ ଫଣ ଦୁମ୍ ଦାମ୍ ଚାଲୁଛି ।
ଡରେଇ ଦେଉଛି ଦେଖି
ଖତେଇ ହେଉଛି ମାଖି
କଣେଇ ଆଖିରେ ଆଖି ମିଶିଗଲେ
ଡାମକା ଆଖି ତରାଟି
ତର୍ଜନୀ ଅଗରେ ଓଲଟି
ଦେଖିନେବ ମନେ ମନେ ଠାରି ହାଉଲେ ।
ଗୋଲାପି ଓଠରେ ଶୂନ୍ୟତା
କମ୍ପିତ ଅଧରେ ତାଣ୍ଡବଡା
ଫଁ ଫଁ ଯମା ମାନୁନି
ଶେଷ ଶ୍ରାବଣ ଟା ବୋଧେ
ଯିବ ଅକାରଣ ଅଧେ
ଫନ୍ଦି ଫିକର ବି ଆସୁନି ।
ଫୁଲର ସୁଷମା ନୟନେ
ଗଗନେ ଚନ୍ଦ୍ରମା ବିହୁନେ
ଝାଳେଇ ପ୍ରିୟା ରୋଷେଇ କରେ
ବାହାରେ ବରଷା ଛିଟା
ଭିତରେ ରାଗରୋଷା ଲଟା
ସନ୍ତୁଳି ପକାଏ ନିରୋଳା ପ୍ରହରେ ।
ମନ୍ଦ ମଳୟର ପ୍ରଲେପ
ସଂଧ୍ୟା ପ୍ରଳୟର ଆଲେଖ୍ୟ
ଅକାରଣେ ଲାଗିଗଲା ଗ୍ରହଣ
ସପ୍ତାହନ୍ତେ ଆସିଥିଲି ଧାଇଁ
ଫସିଗଲା ଜୀବନ ନଈ
ମିଳିବନି ଆଉ ବାହୁ ବେହରଣ ।
କେତେ ଯେ ଅକୁହା କାହାଣୀ&
nbsp;
ପାଞ୍ଚଦିନ ଛନ୍ଦି ଥିଲି ବୁଣି
ଚୂର୍ଣ୍ଣ କୁଣ୍ଡଳକୁ ଛୁଇଁ କହନ୍ତି
କର୍ଣ୍ଣ କୁଣ୍ଡଳକୁ ଚାପି
ଆଉଁସୁ ଆଉଁସୁ ମାପି
ଗଣ୍ଡ ଦେଶେ ଚୁମି ଭାସନ୍ତି ।
ଝିଙ୍କାରୀର ଘନ ଘନ ସ୍ଵନ
ବାହାରେ ଚାଲିଛି ତୁମ୍ଭି ତୋଫାନ
ଚକ୍ରାନ୍ତ କରିଛନ୍ତି ବୋଧେ
ଲଘୁଚାପ ପ୍ରଭାବେ ସ୍ୱଭାବେ
ଝପାକୁ ଝପା ବରଷେ ନଭେ
ବିଜୁଳି ଉତ୍ପାତ ସୋଧେ ।
କିଟିକିଟି ଅନ୍ଧାର ମସି
ଚୌକିରେ ମୁଁ ଏକାକାର ବସି ବସି
ବିରହେ କୁହୁଳେ ବାରମ୍ଵାର
ଚଡକର ଧ୍ଵନୀ ଥରାଇଲା
ବିଜୁଳି ପଲକେ ଡରାଇଲା
ଢୁ ଢା ରେ କମ୍ପିଗଲା ଘରଦ୍ଵାର ।
ଡ଼ରେଇ ଗଲା ଭୟେ
ଜଡେଇ ଗଲା ହିୟେ
ଅତର୍କିତ ତ୍ରସ୍ତା ହରିଣୀ ଜୋରେ
ମୁଠେଇ ଧରିଲି ଠେଲି
କୋଳେଇ ନେଇଛି ନେଲି
ଇନ୍ଦ୍ରଦେବେ ତଥାସ୍ତୁ ଦେଲି ଧୀରେ ।
ଗରମ ନିଃଶ୍ୱାସ ସବୁ
ଲାଜୁଆ ପ୍ରଶ୍ଵାସ ଭାବୁ
ଲାଜେଇ ପ୍ରିୟା ମୋ ଗଲା ତରଳି
ଆଡରୋଷା ପରେ ପରେ
ଅଙ୍କଘଷା ଆସରେ ସରେ
ମିଳନ ପୂର୍ବର ଅସ୍ତରାଗ ହସେ ବଉଳି ।