STORYMIRROR

Ajaya Mahala

Tragedy

3  

Ajaya Mahala

Tragedy

କିଛି କହିବିନି

କିଛି କହିବିନି

1 min
337


"ଆଜି ତୁମକୁ କିଛି କହିବିନି" କହି

ଯେବେ ତମେ ନିଷ୍ପତ୍ତି ନେଇ ଯାଅ

ଲାଗେ ଯେମିତି ତମ ମନର ସାତ ଦ୍ୱାରରେ

ତାଲା ଲାଗି ଗଲା ।

ସତ୍ୟ, ତ୍ରେତୟା, ଦ୍ଵାପର ହୋଇ

କେତେ ଯୁଗ ବିତିଯିବ

ତୁମକୁ ପୁଣି ଥରେ କଥା କହିବା ଯାଏଁ

ଘୂର୍ଣ୍ଣିମୟ ହୋଇଯାଏ ତୁମ ମନ

ସେତେବେଳେ ମୁରୁକା ହସଟିଏ ମାରି

ପ୍ରତ୍ୟୁତ୍ତରରେ ହସଟିଏ ପାଇବା

ସ୍ୱପ୍ନ ହୋଇଯାଏ ।

ସେତେବେଳେ ହସିବାକୁ ବି

ସାହସ ହୁଏନା

ଏମିତି ବି ରିସ୍କ ନିଅନ୍ତା କିଏ ?

ଉତ୍ତାଳ ସମୁଦ୍ରକୁ ପଇସାଟିଏ ଫୋପାଡ଼ି

କିଏ ଆଶା ରଖେ

ଫେରନ୍ତା ଲହଡିରେ

ତାହା ଫେରି ଆସିବ ବୋଲି ?

ଧେତ ସେ ଭଲ ପାଇବା

ଯିଏ ଆସେ

କେତେ ଅଲିଖିତ ସର୍ତ୍ତନେଇ !

ବାତ୍ୟାର ସେ ଫଣା ତଳେ

ରଙ୍ଗୀନ ପତ୍ରର କୁଆଁମରା ପରି

ଆମର ଅପରିପକ୍ୱ ପ୍ରେମ

ତମ ତାଗିଦ ଶୁଣେ

"ବନ୍ଦ କରିଦିଅ

ଭଲ ପାଇବାର ଏ ତାମସା -

କେଉଁଠି ବି ବସି ଯାଉଛ

ସମୁଦ୍ର ବାଲିରେ ଉଠା ଦୋକାନ ପରି"

ପୁଣି ପ୍ରେମ ସାଧନାରେ ହଜାଏ

ଏ ବାରବୁଲା ଆତ୍ମାକୁ

ମୋ ସୀତାର ଜିଜ୍ଞାସା ହରିବାକୁ

ତା ସୁନା ହରିଣୀ ପାଳିବାର ଜିଦକୁ

ପୂରା କରିବାକୁ ।

ତା ପାଇଁ ମାଗିବସେ କେତେ କଣ

ମୋ ଭାଗ୍ୟ ନିୟନ୍ତାକୁ

ସେ ଫୁଲ ଭରା ସୁନାରୀ ଗଛଟି

ଛୋଟ ହୋଇ ନ ଥାନ୍ତା !

ଘରେ ଆଣି ରଖିଥାନ୍ତି ସେଥିରୁ ଗୋଟେ

ତାକୁ ଖୁସି କରିବାକୁ

ଆଉ ଗୋଟେ ଛୋଟକାଟିଆ ଇନ୍ଦ୍ରଧନୁ ବି

ଆଣି ଲଗାଇ ଦିଅନ୍ତି ତା'ପାଇଁ

ଆମ ବେଡ଼ରୁମ କାନ୍ଥରେ

ପ୍ରାର୍ଥନା କରେ

ଧୀରେ ଧୀରେ ଅଶାନ୍ତ

ହୋଇ ଆସୁଥିବା ସମୁଦ୍ରର

ଉତ୍ତାଳ ଢେଉ ପରି ମାଡି ଆସନ୍ତ ତମେ

ଭାଙ୍ଗି ଦେଇ ପାରନ୍ତ

ମୋ ଅହଙ୍କାର ଆତ୍ମଗର୍ଵ ।

ଘୋଷାଡି ଫୋପାଡ଼ି ଦେଇ ପାରନ୍ତ

ମୋ ଭିତରର କୁଣ୍ଠାର

କୁତ୍ସିତ କୁକୁର ମଢ଼କୁ

ତା ପରେ.....

ଝଡ଼ ପରର ଦୁନିଆଁ ପରି

ମୋ ଜୀବନ ସ୍ୱାଭାବିକ କରି

କେତେ କଥା କହି ଚାଲନ୍ତ

ଠିକ ଆଗ ପରି ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy