STORYMIRROR

Ajaya Mahala

Others

3  

Ajaya Mahala

Others

ତମେ ରାଗୁଛ ନା ?

ତମେ ରାଗୁଛ ନା ?

1 min
279


ଏ ଯାଏଁ ତ ସବୁ ଠିକ ଥିଲା

ପ୍ରକୃତରେ ରାଗ ସେଇଠୁଁ ଆରମ୍ଭ ହୁଏ

ଯେଉଁଠି ତମେ ପଚାର

"ତମେ ରାଗୁଛ ନା ?"

ତଥାପି ମନକୁ ଚାପିଦେଇ କହେ

"ନା ମ କାହିଁ ରାଗିବି ତମ ଉପରେ?"


ଏମିତି... ଏମିତି....

ତମ ମିଥ୍ୟା ଆଶଙ୍କାରୁ ଜନ୍ମ ନିଏ

ମୋର ମିଥ୍ୟାଭିନୟ 

ଆଉ ପ୍ରତି ଥର ପରି

"ମୁଁ କେବେ ବି ରାଗେନା" ର 

ମିଥ୍ୟା ପ୍ରମାଣପତ୍ର ନେଇ

ମୋଠୁଁ ଚାଲି ଯାଅ ।


ଯଦି ମାନି ଯାଏ

ହଁ, ଆଜି ରାଗିଥିଲି ବୋଲି

ତମେ ନାଚି ଯାଅ 

ସେ ଟିକକ ବିଜୟରେ

"ଭଲ ପାଇବାରେ ମିଛ ନାହିଁ"

ନିୟମରୁ ମତେ 

ପ୍ରଥମ ଥର ବହିର୍ଭୁତ ହେବାର ଦେଖି 

ସେଇଥିପାଇଁ ତ 

ମୋ ସତିଆପଣର ମଝିରେ ମଝିରେ

ପରୀକ୍ଷା କରି ନିଅ

"ତୁମେ ରାଗୁଛ ନା ?"

ପ୍ରଶ୍ନର ଥର୍ମୋମିଟର ଲଗାଇ ।


ତୁମ ସବୁ ପ୍ରଶ୍ନରେ 

ମୁଁ ଉଲଗ୍ନ ହୁଏ 

ତୁମେ କ୍ଷଣିକ ପାଇଁ 

ଖୁସି ବି ହୁଅ ସତ

କିନ୍ତୁ ଆଉ ଏକ ବଡ଼ ଦୁଃଖ 

ଘାରି ନିଏ ତୁମ ମନ ମସ୍ତିଷ୍କକୁ

ଅନୁଭବ କରେ

ତୁମେ କେତେ ବ୍ୟଥିତ ହୁଅ

ମୋ ଭିତରର ରାମ, ବିଶ୍ଵାମିତ୍ର, ପର୍ଶୁରାମ

ସବୁ ଚରିତ୍ର 

ଗୋଟେ ପରେ ଗୋଟେ

ଧରାଶାୟୀ ହେବା ଦେଖି ।


ମୁଁ ତୁମକୁ ଚିଡାଉଛି ନା?

ମୁଁ ତୁମକୁ ବୋର କରୁଛି ନା?

ଏମିତି କାହିଁ ଓଲଟା ପ୍ରଶ୍ନର

ମିଠା ତେଲରେ ଭାଜୁ ଥାଅ

ମୋ ମନକୁ 

ମୋ ଠାରୁ ସେହି ପରିଚିତ ଅର୍ଦ୍ଧ ଚିତ୍କାର

"ଆରେ ବାବା ନା ନା ନା !"

ନ ଶୁଣିବା ଯାଏଁ ।


ଶେଷରେ ତୁମର କ୍ଷୀଣତମ 

ଦରଦ ଭରା କଣ୍ଠରେ 

ସେ ଆତ୍ମସ୍ଵୀକାର ଶୁଣେ

"ମୁଁ ତୁମକୁ କିଛି ଦେଇ ପାରିଲିନି" 

ତାହାର ସବୁଠୁଁ ସହଜ କାମଚଳା ଉତ୍ତର 

"ମୁଁ ତୁମଠୁଁ ସବୁ ତ ପାଇଛି"

ବା "ମୋର କିଛି ଲୋଡ଼ା ନାହିଁ ଆଉ"

ଦେଇ ପାରନ୍ତି 

କିନ୍ତୁ ଏତେ ଅମଣିଷ ନୁହେଁ 

ସେମିତି କହି 

ତୁମ ସ୍ୱଘୋଷିତ ମିଛ ବିଫଳତା ଉପରେ

ମୋହର ଲଗାଇ ଦେବିନି ?

ସେଇଥିପାଇଁ ପାଇଁ ତ

ଏଇ ଚାଲାକ୍ ମଣିଷର

ନିରୀହତା ଖୋଜି ଚାଲିଯାଏ 

ତୁମ ମନର ସେଇ 

ଅଦ୍ଭୁତ କାରଖାନାକୁ,

ସେ ଏନ୍ତୁଡ଼ି ଶାଳକୁ

ଯେଉଁଠି ନିତ୍ୟ ନିତ୍ୟ ଏପରି 

ଗହନ ଓଲଟା ପ୍ରଶ୍ନ ସବୁ ଜନ୍ମ ନିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍