STORYMIRROR

Ajaya Mahala

Others

3  

Ajaya Mahala

Others

ମୁଁ ନ ଥିଲେ ?

ମୁଁ ନ ଥିଲେ ?

1 min
181

ତୁମ ପ୍ରଶ୍ନ:

କଳ୍ପନା କରି ବସ ତ

କଅଣ ହୋଇଥାନ୍ତା

ମୁଁ ନ ଥିଲେ ?


ପ୍ରଶ୍ନ, ପ୍ରଶ୍ନ, ପ୍ରଶ୍ନ

ମାନସାଙ୍କ, ସାଧାରଣ ଜ୍ଞାନ

ଇତିହାସ, ଭୂଗୋଳ, 

ଗଣିତର ପ୍ରଶ୍ନ ପତ୍ର

ତର୍କ ବିତର୍କ, ବିରୋଧୀଙ୍କ ପ୍ରଶ୍ନ

ଚାଟଶାଳୀଠୁଁ ଆରମ୍ଭ କରି 

ଆଜିର ସଭା ସମିତି ପର୍ଯ୍ୟନ୍ତ 

ମୁଁ ସମ୍ମୁଖ ହୋଇଥିବା 

ଯେତେ ଯେତେ ପ୍ରଶ୍ନ, 

ଲିଖିତ ଅବା ନୀରବ

ସେହି ନିୟୁତ ପ୍ରଶ୍ନ ପଛରେ 

ସେହି ନିୟୁତ ପ୍ରଶ୍ନବାଚକ ଚିହ୍ନର ଅର୍ଥ

ମୋ ପାଇଁ କିଛି ନ ଥିଲା 


କିନ୍ତୁ ଆଜି ତୁମର "ମୁଁ ନ ଥିଲେ?"

ଭିତରେ ଥିବା ଆକାଶ ଉଞ୍ଚା 

ପ୍ରଶ୍ନ ଚିହ୍ନ ଆଗରେ

ସତରେ ସେଗୁଡିକ କେତେ ପିଲାଳିଆ 

ଆଉ ଛୋଟ ଲାଗନ୍ତି ।

କେମିତି ଜାଣିବ

କଅଣ ହୋଇପାରେ ଏ ଜୀବନ ତୁମ ବିନା !


ନିଦ ଲାଗି ଗଲା ପରେ

ରାତି ସାରା ମିଛଟାରେ 

ବେଡ଼ରୁମରେ ନିରର୍ଥକ 

ଜଳୁଥିବା ଆଲୁଅ ପରି 

ହୋଇଯାଏ ଏ ଜୀବନ ।


ମନ୍ଦିର ବେଢା ହରେଇ 

ଗୁମ୍ ସୁମ୍ ବସିଥିବା 

ପାତି ମାଙ୍କଡ଼ର ଶୁଖିଲା ଶୁଖିଲା ଆଖିରେ

ସହଜରେ ଦେଖି ନ ହେଉଥିବା

ଲୁହର ଆମନ୍ତ୍ରଣ ପରି

ଅଚିହ୍ନା ହୋଇଯାଆନ୍ତି 

ଦୁଃଖ ସବୁ ।


ସହର ବାହାରେ

ଦୂର କେଉଁ ପାଟ ବିଲର

ଦୀପାବଳୀ ଅନ୍ଧାର

ପରି ହୋଇଯାଏ ମନ

ଯାହା ତାଳ ଫୋଟକା ଆବାଜରେ

ଆହତ କ୍ଷତାକ୍ତ 

ହେବାକୁ ମନ କରିଥିଲା ।


ତୁମେ ନ ଥିଲେ 

ଘରର ଚାରି କାନ୍ଥକୁ 

ଫାଙ୍କା ଚାହିଁ ରହେ

ରୋଷେଇ ଘର ଥାକରେ 

ଜାଗା ମାଡି ବସୁଥିବା 

ସୁନା ପାଣିଦିଆ ଦୁଇଶହ ଚାରି ପିସ୍ ର

ଡିନର୍ ଆଉ କଟଲେରୀ ସେଟ,

ଦଶ ଲିଟରିଆ ପ୍ରେସର କୁକର

ଭିତରର ଶୂନ୍ୟତାରେ ଦେଖେ

ତୁମ ବିରାଟ ଘର ସଂସାର 

ରଚିବାର ସ୍ୱପ୍ନ


ତୁମେ ଥିଲେ 

ଶୋଇଲାଘରର ଅଙ୍ଗାରକାମ୍ଳରେ ଥିଲା

ଜୀବନର ଧାସ

ତୁମେ ନ ଥିଲେ

ଏତେ ବଡ଼ ଘରର ତୁଚ୍ଛା ତାଜା ଅମ୍ଳଜାନରେ

ରୁନ୍ଧି ହୋଇ ଯିବିନି ମୁଁ?


ତୁମେ ନ ଥିଲେ

ମୋ ବଦନାମୀ ବି

ନିଃସହାୟ ହୋଇ କାନ୍ଦିବ

କୂଳରୁ ଉପରକୁ ଫିଙ୍ଗି ଦିଆଯାଇଥିବା 

ତୁଠପଥରର 

ପ୍ରାଣହୀନ ଶୁଖିଲା ଶିଉଳି ପରି

କିଏ ଜାଣେ ତୁମେ ନ ଥିଲେ

ୟା ଭିତରେ 

କେବେ ଝଡି ଯିବେ ସେମିତି

ମୋ ଅବୁଝାପଣ

ମୋ ବଦନାମୀ

ମୋ ଜିଦ

ମୋ ନାଆଁ 


Rate this content
Log in