STORYMIRROR

Ajaya Mahala

Abstract

2  

Ajaya Mahala

Abstract

ଅପେକ୍ଷା କରିବି

ଅପେକ୍ଷା କରିବି

1 min
187

ଅପେକ୍ଷା କରିବି ତୁମ ପାଇଁ

ତୁମେ ଆସିବ

ସହସ୍ର ପ୍ରେମିକର କାନ୍ତି ନେଇ

ଧୈର୍ଯ୍ୟ, ଶାନ୍ତି ଓ ପ୍ରେମର ଅବତାର ହୋଇ

କୃଷ୍ଣ ହୋଇ, ରାମ ହୋଇ

ଏକ ସୌମ୍ୟ ତଥାଗତ ହୋଇ

ମୋ ଗାଆଁର

ଅଳସ ସଞ୍ଜ ଆସିବ

ନିଧୂବନର ସ୍ବର୍ଗୀୟ ସନ୍ଧ୍ୟା ହୋଇ

କେଉଁଠି ଏପରି

ମିଥ୍ୟା କହିବାକୁ ପଡିବନି

କି ମୋ ପ୍ରତ୍ୟେକ କବିତାରେ

ତୁମେ ବାସ୍ କେବଳ

କଳ୍ପନାର ଦେବତାଟିଏ ହୋଇ ରହିବନି

ବରଂ ତୁମେ ତ

ସାକ୍ଷାତ ଆସିବ ନିଜେ

ମୋ ଯୁଗ ଯୁଗର କଳ୍ପନାକୁ

ସତ୍ୟର ରୂପ ଦେଇ

ମୋ ସବୁ କାମନା ଯଜ୍ଞର

ଶେଷ ବରଦାନ ହୋଇ

ସତ କହୁଛି

ତୁମେ ଆସିଲେ ନା

ଏଠି କିଛି ଛଦ୍ମ ରହିବନି

ଏଠି କିଛି ଗୁପ୍ତ ରହିବନି

ସମାଜଠୁଁ ତୁମକୁ

ଲୁଚାଇ ରଖିବିନି ଡରରେ ଲାଜରେ

ଲୋକଙ୍କ ଆଖି ଉହାଡରେ

ସଞ୍ଜ ବି ଆମର ହେବ

ରାତି ଦିନ ସକାଳ ଆମର

ଆମେ ହଜୁଥିବା ଆତ୍ମ ପ୍ରେମେ,

ବିଭୁ ପ୍ରେମେ

ଗାଉଥିବା ଗୀତ ପ୍ରକୃତିର

ରାଗିଲେ ରାଗନ୍ତୁ ଦେବତା

ଅମରାବତୀଠୁଁ ବି

ସୁନ୍ଦର କରି ଗଢ଼ିଦେବା

ଆଉ ଏକ ଦୁନିଆଁ

ଝାଳ ଆଉ ଲୁହର ଧରାରେ

ମୋକ୍ଷ ପଥର ଯାତ୍ରୀ ହେବା

ଥରୁଟିଏ ତ ମର୍ତ୍ତ୍ୟର ଯେତେ ଇଚ୍ଛା

ବାଲ୍ୟ, କୈଶୋର, ଯୌବନର

ସବୁ କାମନା

ଗୋଟି ଗୋଟି ପୂରା କରି ଉଡିଯିବା

କୋଟିଏ ଯୁଗର ତୃଷ୍ଣା

ମେଣ୍ଟି ଯିବ ତୁମ ସାନ୍ନିଧ୍ୟରେ

ପ୍ରଶଂସାରେ ପୋତି ଦେଉଥିବି ତୁମକୁ ମୁଁ

ଆଉ ମୁଁ ପୋତି ହେଉଥିବି

କୃତଜ୍ଞତାର ଫୁଲ ଗଦା ତଳେ

ଏବେ ସତ କୁହ, ତୁମେ ଆସିବ ନା

ମୁଁ ଅପେକ୍ଷା କରିବି

ପ୍ରତିଜ୍ଞା କର,

'ହଁ' କୁହ

ତୁମେ ନିଶ୍ଚୟ ଆସିବ

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract