ଉଡାଣ
ଉଡାଣ
ଭାବିଛ ସେ ହଜିଯିବ ସବୁଦିନ
ଅତିକ୍ରମ ନକରି ତା ଦୁଃସହ ଭାରକୁ
ବୁଡ଼ି ଯାଇଥିବ ଖୋଜି ଖୋଜି
ତା'ଆତ୍ମାର ଖଣ୍ଡିତ ଛବିକୁ,
ସଂସାରର ନିତି ନୂଆ ପ୍ରଳୟରେ।
ହୁଏତ ସେ ବଂଚିଥିବ କାହା
ଅନୁକମ୍ପାର ମାନଦଣ୍ଡ ନେଇ
ନାଚିଥିବ ସୂତାଲଗା କଣ୍ଢେଇଟେ ସାଜି
ଅଭିନୟ କରିଥିବ ବିଭିନ୍ନ ଚରିତ୍ର
ସଭିଙ୍କର ଇଚ୍ଛା ମାପି ମାପି।
ସେ କିନ୍ତୁ ଜାଣେ ଉଡ଼ିବାକୁ ହେବ ତାକୁ
ତା'ସୁପ୍ତ ହୃଦୟର ସୁପ୍ତିରେ
ଯିଏ ତାକୁ ଡାକେ ଏକ ନାମହୀନସ୍ବର ନେଇ
ତା'ମଧୁର ଅସ୍ଫୁଟ କଣ୍ଠର କଥାରେ
ଖୋଲିଛି ଦରଜାଟି ନିରବ ପ୍ରେମର,
ଉଡାଣ କରିଛି ସେ ଧୂସର ଆକାଶେ
ମିଶିବାକୁ ପାହାଡ ଶିଖରର
ସ୍ଥିର ପକ୍ଷୀ ଟିର ସାଥେ।