ଲୋନି ଓ ଟିକି ଚଢେଇ
ଲୋନି ଓ ଟିକି ଚଢେଇ
ସକାଳୁ ଲୋନି ଘର ବାହାରେ
ଦେଖିଲା ଟିକି ପକ୍ଷୀ
ଧଳା କହରା ଦେହର ରଙ୍ଗ
ମନ ଗଲା ତା' ଲାଖି ।
ଭାବିଲା ତାକୁ କରିବ ପୋଷା
ଖୁଆଇ କ୍ଷୀର ଭାତ
ଆଉଁସି ଦେବ ପିଠି କୁ ତାର
ବଢ଼େଇ ଦୁଇ ହାତ ।
ପିଂଜରା ରଖି ଶୁଆଇଦେବ
ଡ଼ର ଲାଗିବନି ତାକୁ
ସାଙ୍ଗରେ ତାକୁ ବୁଲାଇନେବ
ଫୁଲ ଭରା ବଗିଚା କୁ ।
ଆ'ଆ'ବୋଲି ଡାକି କହିଲା
ଦିନ ରେ ତୋ ଦେଖା ନାହିଁ
ଧରିବି ବୋଲି ହାତରେ ମୋର
ପାଖେ ଆସିଛି ଧାଇଁ ।
କୁଆଡ଼େ ଯାଉ ଦିନ ସାରା ତୁ
ସକାଳୁ ଏମିତି ଆସୁ
କେଉଁଠି ଘର କିଏ ତୋ ସାଙ୍ଗ
କାହା ପାଖରେ ବସୁ ।
ଟିକି ଚଢେଇ ଶୁଣିଲା ନାହିଁ
ଲୋନି ପାଟିର ଡାକ
ଉଡିଯାଇ ସେ ଗଛ ଡାଳକୁ
ଶୁଣାଇଲା ତା'ରାବ ।
କାନ୍ଦିଲା ଲୋନି ବଡ଼ ପାଟିରେ
ମା'ଆସିଲେ ଧାଇଁ
କୋଳକୁ ନେଇ ମୁଣ୍ଡ ଆଉଁସି
ଦେଲେ ତାକୁ ବୁଝାଇ ।
ଆକାଶ ଉଡା ଚଢେଇ ସିଏ
ମାନେନି କିଛି ବାଧା
ମେଘ ରାଇଜ ବଣ ପାହାଡ
ତା'ପାଇଁ ସବୁ ସିଧା ।
ଜାଣିନି ଡ଼ର ରାଗ କି ରୋଷ
ଖୋଲାରେ ଉଡିବୁଲେ
ଧରିଲେ ତାକୁ ଲାଗେନି ଭଲ
କଲବଲରେ ମରେ ।
ଖେଳିବୁଲି ତା'ସାଙ୍ଗ ସାଥିରେ
ଏମିତି ଉଡୁଥାଏ
ସାଗୁଆ ବନ ପରି ତା'ମନ
ଆମକୁ ଖୁସି ଦିଏ ।