ଉନ୍ମେଷ ର ଆହ୍ବାନ
ଉନ୍ମେଷ ର ଆହ୍ବାନ


ଉନ୍ମେଷ ର ଆହ୍ୱାନ
ହେ ଆହତ ଅନାହତ,
କାନଡେରି ଶୁଣ ଟିକେ
ଘନ ଅନ୍ଧାର ଏ ରାତିରେ
କାହାର ଏ ନିର୍ବାକ ଆହ୍ବାନ,
ମାଧୁରିମା ତାର ଖୋଲିଦିଏ
ଅହଂ ର ଅନ୍ଧକାର ଗୁମ୍ଫା ସବୁ
ଶତ୍ରୁ ଟି ବଦଳିଯାଏ ମିତ୍ରରେ
ବିଦ୍ବେଷ ସତ୍ତା ହରାଏ ପ୍ରେମ ରେ।
ପଢିବାକୁ ଚେଷ୍ଟା କର,
ସେହି ରହସ୍ୟ ଗ୍ରନ୍ଥ କୁ
ଯହିଁ ଅସଂଖ୍ୟ ପ୍ରାଣ ର ସ୍ପନ୍ଦନ
ମିଳିତ ଗୋଟିଏ ପୃଷ୍ଠା ରେ।
ଥରେ ଆଖିଖୋଲି ଚାହଁ
ପୋଛିଦେଇ ବିବର୍ଣ୍ଣ ଇନ୍ଦ୍ରିୟ ମାନଙ୍କୁ,
ବାହାରି ଆସ ଇଚ୍ଛା ମାନଙ୍କର
ନିଃସଙ୍ଗ ବଳୟ ଭିତରୁ।
ତୁମେ ହିଁ ତ ଭୋଗିସାରିଛ
ଭୟଙ୍କର ବ୍ୟଥା ତୁମ
ମଧୁର ସ୍ବପ୍ନ ମାନଙ୍କର
ଦେଖିସାରିଛ ଭ୍ରାନ୍ତି ର
କୁଟିଳ ପଥ କୁ
ହୋଇଛ ଅନିଶ୍ଚିତ ବିଜୟୀ
ତୁମ ଅନିଶ୍ଚିତ ପଥ ର ।
ଉନ୍ମେଷ ର ଏ ମଧୁର ବେଳାରେ
ନଜର ନପଡୁ କେଉଁ ଭୂତ କି ପିଶାଚ
ବେତାଳ ଅବା ଭୈରବ ର ,
ପ୍ରସବିବାର ଅଛି ତାକୁ
ତାର ଚିନ୍ମୟ ଆତ୍ମା କୁ,
ପ୍ରତିଭାତ ହେବାର ଅଛି ତା ଔଜଲ୍ୟ
ଚିର ଆଲୋକ ର ।
ଅକ୍ଷୁର୍ଣ୍ଣ ରହିବାକୁ ଦିଅ ତାର ସୁନ୍ଦରତା
ଏହି ଅକ୍ଷୟ ସୃଷ୍ଟି ର।