ଏକ ମୃଦୁ ନଈର ସ୍ବର
ଏକ ମୃଦୁ ନଈର ସ୍ବର
ସାମ୍ନାରେ ଏ ବିରାଟ ସମୁଦ୍ର
ଉପରେ ଅସୀମ ଆକାଶ
ପିଠିରୁ ତା' ନଇଁଯାଏ ଖରା
କୁଆଡେ ସେ ଯିବ
ସେ କେମିତି ବୁଝିବ
ଏ ନିରୋଳା ସୌନ୍ଦର୍ଯ୍ୟ ଯେତେ
ଅଗଣନ ସୂର୍ଯ୍ୟରଶ୍ମୀର।
ସେ କାହୁଁ ଜାଣିବ
ଇଶ୍ଵର ଭଳି କିଛି ଶବ୍ଦମାନଙ୍କର
ନିର୍ଜନ ମହିମାରେ
ଗଛମାନେ ହସନ୍ତି ଫୁଲରେ
ଆଉ ପ୍ରସବନ୍ତି ଫଳ ।
ସେ କିପରି ଶୁଣିବ
କାହା ନିର୍ବାକ ଚିନ୍ତା ଗୁଡିକର
ଛନ୍ଦ ଓ ସ୍ପନ୍ଦନରେ
ଧାଆଁନ୍ତି ଚିତ୍ରାଙ୍ଗ ହରିଣମାନେ
ଅଗନା ଅଗନି ବଣରେ,
ଚୁମା ଦିଏ ଚିତ୍ରିତ ପ୍ରଜାପତି
ଅସଂଖ୍ୟ ଫୁଲରେ ।
ସେ ଚାହୁଁଛି ବହିଯିବ
ମୃଦୁ ନଈ ସ୍ରୋତ ହୋଇ
କୁଳୁକୁଳୁ ଗାଇଯିବ
ତା'ଅସରନ୍ତି ସ୍ବପ୍ନର
ଯେତେସବୁ ପ୍ରୀତିମୟ,ଗୀତିମୟ ,ସୁଖମୟ କଥା
ସାଇତିଛି ଯାହା ତା'ହୃଦୟ ଗୋପନ କୋଠରୀ ।
ଭୁଲିଛି ସେ ଜୀବନର
ଦୁଃସହ ସ୍ବପ୍ନସବୁ
ଯାହାଦିନେ ଅନ୍ଧାରରେ ଭାସୁଥିଲା ଲୁହର ସ୍ରୋତରେ
ଇଚ୍ଛାମାନେ ଲିଭିଛନ୍ତି
ଅଦୃଶ୍ୟର ଶୂନ୍ୟ ବର୍ଷାରେ
ଢେଉମାନଙ୍କର କଡ଼ ଲେଉଟାଣି ବେଳେ ।
ସେ ନୁହେଁ ପ୍ରତିମାଟିଏ
ନାଚିବାକୁ କେଉଁ କୁହୁକୀର ଇଙ୍ଗିତରେ ,
ସେ ନୁହେଁ ଜୀବନ ବହନକାରୀ ଅବା
କାହା ଆବେଗର ଅସ୍ତ୍ର,
ଆଙ୍କିପାରେ ନିଜେ ନିଜ ଛବି
ଲୋଡେନାହିଁ ଛବି କେଉଁ କାନ୍ଥ ପ୍ରତିମାର ।
ରୁଦ୍ଧ କରନାହିଁ ପଥ
ସଙ୍କୁଚିତ ନହେଉ ତା'ଗତି
ସେ ଯେ ଏକ ମୃଦୁ ନଈ
ଲଂଘି ଜାଣେ ସମୟର ବିପରୀତ ସ୍ରୋତ
ତା' କୋମଳ ସ୍ବରରେ ।