STORYMIRROR

Rajalaxmi Tripathy

Inspirational

4  

Rajalaxmi Tripathy

Inspirational

ଅଗଡ଼ ବଗଡ଼

ଅଗଡ଼ ବଗଡ଼

1 min
267


ଗେହ୍ଲା ନାତି ସୋନୁ ହାତଟିକୁଧରି

କୋଳରେ ବସାଇ ଆଈ

କହିଲେ କହିବି ଅଗଡ଼ ବଗଡ଼

ଶୁଣିବୁ ତୁ ମନଦେଇ ।


ଗୁରୁ ଗୁରୁଜନ ହିତରେ ଥାଆନ୍ତି

ତାଙ୍କ କଥା ଶୁଣୁଥିବୁ

ରାଗ ରୋଷ ଭୟ ମନରେ ନରଖି

ବଡ଼ଙ୍କୁ ସମ୍ମାନ ଦେବୁ।

ନିତି ଭୋର୍ ରୁ ଛାଡିବୁ ତୁ ଶେଯ

ଅଳସ କରିବୁ ନାହିଁ

ଜୁହାର କରିବୁ ସୁରୁଜ ଦେବତା

ପୁରୁବ ଦିଗକୁ ଚାହିଁ ।


କଅଁଳ କିରଣ ଭାରି ଉପକାରୀ

ସତେଜ ହୁଅଇ ମନ

ଦେହ ଟାଣ କରି ସରସତା ଆଣେ

ଆନନ୍ଦ ଲାଗଇ ଦିନ ।

କରିବୁନି ଅଳି ଖାଇବାକୁ କେବେ

ବଜାରରୁ ଖାଦ୍ୟ ଆଣି

ମା'ଯାହାଦେବେ ଖାଇବୁ ଖୁସିରେ

ନିରୋଗ ରହିବୁ ଜାଣି ।


ବିଦ୍ୟାଳୟ ଯିବୁ ଠିକ୍ ସମୟରେ

ଉଛୁର କରିବୁ ନାହିଁ

ମନଦେଇ ତୁହି ପାଠ ଶୁଣୁଥିବୁ

ଖେଳିବୁ ତୁ ସାଥି ହୋଇ ।

ଝଗଡା ନକରି ସାଥିପିଲା ସହ

ସେନେହ ପରାଣ ଦେଇ

ମିଳିମିଶି ଚଳି ମନ ନେବୁ ଜିଣି

ଶିଖିବେ ତୋ ସାଥି ଭାଇ ।


ପରିବେଶ ତୋର ରଖିବୁ ସୁନ୍ଦର

ରହିବୁ ସଫାସୁତୁରା

ଫୋପାଡ଼ିବୁ ନାହିଁ ଏଣେତେଣେ ସବୁ

ଜରି କାଗଜ ଟୁକୁରା ।

ମଇଳା ନହେଉ ପବନ ଓ ଜଳ

ମାଟି ମା'ର ଶରୀର

କେତେ ଆନନ୍ଦ ରେ ପାଳୁଛି ଆମକୁ

ନରଖି ବାଛ ବିଚାର ।


ଦେଶମା'ଠାରୁ ବଡ଼ ନାହିଁ କେହି

ତାକୁ ଜଗିଥାଏ ଯିଏ

ବୀର ସଇନିକ ଅଟେ ସିଏ ପରା

ମରଣକୁ ଜିଣିଥାଏ ।

ମନେରଖିଥିବୁ ଗେହ୍ଲା ନାତି ସୋନୁ

ଅଗଡ଼ ବଗଡ଼ କଥା

ଆଈର ଏକଥା ମାନି ଚଳିଥିଲେ

ଯଶରେ ଟେକିବୁ ମଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational