STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ ୧୦

ବାଣୀପୁତ୍ର ଗଦାଧର ସିଂହ ସାମନ୍ତ ୧୦

1 min
26.8K



କୃଷ୍ଣ ରସାମୃତ

..................

ବିଦଗ୍ଧ କବି ବାଣୀପୁତ୍ର ଗଦାଧର ସିଂହ ସାମନ୍ତଙ୍କ କୃତିରେ କୃଷ୍ଣ ରସାମୃତ ଅମୃତ ତୁଲ୍ୟ।ରସଗ୍ରାହୀ ବନ୍ଧୁଗଣ,ଆପଣ ମାନଙ୍କୁ ସାରସ୍ବତ ପ୍ରଣାମ ଜଣାଇ,ସେହି ଅମୃତରୁ ବିନ୍ଦୁଏ ଆସ୍ବାଦନ କରିବା ପାଇଁ, ଆପଣଙ୍କ ଆଗରେ ପରିବେଷଣ କରୁଛି ଗଦାଧରଙ୍କର ଅମର ଲେଖନୀରୁ ନିସୃତ ,ସଖୀ ମୁହଁରେ ଶ୍ରୀରାଧାଙ୍କ ପ୍ରତି ଉକ୍ତ ଏକ ଅମୃତ ନିର୍ଝରିଣୀ।

******************************************

ରାଗ....ତୋଡିପରଜ,ଆଦିତାଳ

ଶ୍ରୀରାଧାଙ୍କ ପ୍ରତି ସଖୀ

.........................................

ଠକି ମୁଁ କହୁଛି ଯେବେ ରେ କିଶୋରୀ,ଠକି ମୁଁ କହୁଛି ଯେବେ,

ବକି ଷୋଳଅଣା,ମୋ ମୁଣ୍ଡେ ଘୋରଣା ଚକି ଲଦାଇବୁ ତେବେ

(ପଦ)

ସେ ମୋହନ ବଂଶୀ,ଯାହା ଗାଏ ନିଶି,ସେହି ଗାନ ଏକା ଗାନ,

ତହିଁରୁ ଯେ କିଛି,ଭାଗ୍ୟରୁ ଶୁଣିଛି,ସେହି କାନ ଏକା କାନ।୧।

ଶ୍ୟାମ ଶୋଭା ଚାହିଁ,ଯା ଫେରଇ ନାହିଁ,ସେହି ଦୃଷ୍ଟି ଏକା ଦୃଷ୍ଟି,

ତହୁଁ ଯେ ସରସା,ମୋଦାଶ୍ରୁ ବରଷା,ସେହି ବୃଷ୍ଟି ଏକା ବୃଷ୍ଟି।୨ା

ଯହୁଁ ପଡେ ହରି,କୀର୍ତ୍ତିସୁଧା ଝରି,ସେହି ଭାଷା ଏକା ଭାଷା,

ପାଏ ଯେ ଶ୍ରୀଅଙ୍ଗ,ସୁବାସ ତରଙ୍ଗ,ସେହି ନାସା ଏକା ନାସା୩ା

ରହେ ଯହିଁ କଳା କାନ୍ତି ସୁନିଶ୍ଚଳା,ସେହି ମନ ଏକା ମନ,

ହୋଇଛି ଯେ ବଳାନୁଜ କରେ ଦଳା,ସେହି ସ୍ତନ ଏକା ସ୍ତନ ୪ା

ଯା ଲାଗି ଲଲାମ,ସଜାଡନ୍ତି ଶ୍ୟାମ,ସେହି ଭାଲ ଏକା ଭାଲ,

ଚୁମ୍ବ ଗୋଟିଏ ଯେ ଅଧରୁ ଅରଜେ,ସେହି ଗାଲ ଏକା ଗାଲ ୫ା

ଛାର ତୁଣ୍ଡେ ଆହା,ବର୍ଣ୍ଣୁଛି ଯେ ଏହା,ସେହି ମୁହିଁ,ଏକା ମୁହିଁ,

ଅନୁକମ୍ପା ବହି,ଶୁଣୁଛୁ ଯେ ରହି,ସେହି ତୁହି,ଏକା ତୁହି ୬।

ତାଙ୍କ କୃଷ୍ଣ ନାମ,ଅଥବା ପ୍ରଥମ ବର୍ଣ୍ଣ ରସନାରେ ଥିବ,

ଗଦାଧର ଧ୍ରୁବ,ଭାଷଇ ଯେ ଯିବ,ସେହି ଜୀବ ଏକା ଜୀବ ୭।

******************************************ଟୀକା

ଗଦାଧରଙ୍କର ଏହି ସଙ୍ଗୀତ ନିର୍ଝରିଣୀଟି ଅପେକ୍ଷାକୃତ ସରଳ,ଅର୍ଥାତ୍ ଏଥିରେ କ୍ଲିଷ୍ଟଶବ୍ଦ ପ୍ରାୟ ନାହିଁ।ତଥାପି ବିଦଗ୍ଧ ପାଠକଙ୍କ ଗୋଚରାର୍ଥେ କେତୋଟି ଶବ୍ଦର ଟୀକା ଦିଆଗଲା।

ଷୋଳଅଣା.....ସମ୍ପୂର୍ଣ୍ଣ

ବକି.....ଗାଳିଦେଇ।

କଳାକାନ୍ତି ସୁନିଶ୍ଚଳା--କୃଷ୍ଣଙ୍କ କଳାକାନ୍ତିରେ ମନ ନିଶ୍ଚଳ ରହିବା

ଭାଲ--କପାଳ

ମୋଦାଶ୍ରୁ---ନାମ ଶୁଣି ପ୍ରମୋଦରେ ଯେଉଁ ଅଶ୍ରୁ ଝରେ

ବଳାନୁଜ.....ଶ୍ରୀକୃଷ୍ଣ

ଲଲାମ....ଲଲାଟପଟର ମାଳା

ଧ୍ରୁବ...ନିଶ୍ଚିତ

ଯେ ଯିବ--ଲୋକାନ୍ତରକୁ ଯିବା ବା ମୃତ୍ୟୁ ସମୟରେ

******************************************

କବି ପରଚୟ

ଗଦାଧର ସିଂହସାମନ୍ତ....ସାମନ୍ତ ଚନ୍ଦ୍ରଶେଖରଙ୍କ ମଧ୍ୟମ ପୁତ୍ର

ଜନ୍ମ.....୧୮୭୭ ମସିହା

ତିରୋଧାନ.....୧୯୬୪ ମସିହା

କୃତି....ପ୍ରବନ୍ଧ ପଞ୍ଚାମୃତ(ପ୍ରଥମ ଓ ଦ୍ବିତୀୟ ଭାଗ).. ବର୍ତ୍ତମାନ ଦୁଷ୍ପ୍ରାପ୍ୟ।

******************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational