ଲାଫିଙ୍ଗ କ୍ଲବ
ଲାଫିଙ୍ଗ କ୍ଲବ
ଏ ପାରାଭାଡିର ସହର
ଚଉହଦିରେ କୋଳାହଳ
ଅଥଚ ସମ୍ପୂର୍ଣ୍ଣ ଏକଲା ଏ ମଣିଷ !
ହସ
ତୁମେ ଆହୁରି ହସ !
କ’ଣ କୁହେ ସେ ହସ ?
ତୁମ ମନର ଅବ୍ୟକ୍ତ ବେଦନା ?
ଅବା ଏ ହସର ସମ୍ଭ୍ରମତା ତଳେ ଲୁଚିଛି
ଏକ ତିର୍ଯ୍ୟକ୍ କଟାକ୍ଷ
ଜୀବନର ଉପସଂହାର ବେଳକୁ ?
ଅନନ୍ତ ସେ ହସର ରହସ୍ୟ !
ତମେ ହସ କି
ଏ ଧାଉଁଥିବା ଚରିତ୍ର ମାନଙ୍କ
ବାହାସ୍ଫୋଟ ଦେଖି
ଯେଉଁଠି ସଂପୂର୍ଣ୍ଣ ଜୀବନ
ଛୋଟ ପଡେ ଇଚ୍ଛାମାନଙ୍କୁ ରୂପ ଦେଉ ଦେଉ
ପୁଣି ତା ପରେ
ନିଜକୁ ନିଖୋଜ ହେବାକୁ ପଡେ
କେଉଁ ଗୋଟାଏ
ଅଣବିପଣ ଦ୍ରବ୍ୟଟାଏ ମଣି ?
ଆହୁରି ପ୍ରଖର ହୁଏ ହସ
କାହାର ଏ କଣ୍ଠ
ଗାରିମାର ଅବା ଗ୍ଳାନିର
ଅବା ଗୋଟାଏ ତୁଚ୍ଛ ବଡପଣର
ଯିଏ କ୍ରମ
ଶଃ ମିଳେଇ ଯାଏ ଧୂଆଁ ପରି
ଜୀବନକୁ ବୁଝିବା ଆଗରୁ ।
ପୁଣି ପଛକୁ ପଛ ହସ ମାନଙ୍କର ଲହଡି
ମାପିବାକୁ ବଳ ପାଏନି
ସତରେ କ’ଣ ଖୁସି ସେମାନେ ?
ନେଂ ଛେଂର ଜୀବନ
କେବେ ବେମାରର ଦାଉ
ଦାଉ କେବେ ସମ୍ପର୍କର
ଯେଉଁଠି ମୁକ ପାଲଟେ ସ୍ଵାଭିମାନ ।
ତଥାପି ସେମାନେ ହସନ୍ତି
ଏ ହତଭାଗ୍ୟ ସମାଜକୁ
ବାଟ ଦେଖେଇବାକୁ
ଭୁଲିବାକୁ ଚେଷ୍ଟାକରନ୍ତି
ସାରା ଜୀବନର ପର ଆପଣାର ଭାବ
ଅନ୍ତତଃ ଜୀବନର ଶେଷ କ୍ଷଣରେ
ଗଢିଦେଇ ଗୋଟାଏ ଗୋଟାଏ
ଲାଫିଙ୍ଗ କ୍ଲବ
ହେଉ ପଛେ ମୁହଁରେ ଲେପ ଦେଇ
କୃତିମତାର ହସ ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,
କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା