STORYMIRROR

Sarada Parida

Others

3  

Sarada Parida

Others

ଶୀତ ର କବିତା

ଶୀତ ର କବିତା

2 mins
480




ଗାଁ ମୁଣ୍ଡ ରେ ହୁଳ ଭାଙ୍ଗେ ଶୀତ

ଏସନ ଅସହ୍ୟ

ଜାଡ ର ମାଡ଼


ସଞ୍ଜ ବୁଡ଼ିଲେ

ଖୋଜା ପଡନ୍ତି ଈଶ୍ୱର

ହେ ଈଶ୍ୱର ତୁମେ ଅଛ ତ ?


ଥର ଥର କଣ୍ଠ ରେ

ନିଆଶୀରି ବୁଢ଼ୀ ର ଗୁହାରୀ

ହାତଟେକା କମ୍ବଳ ଟାଏ ରେ

ଦୀର୍ଘ ଆୟୁଷ

ସମର୍ପି ଦିଅନ୍ତା କାହାକୁ


କି ଲୋଡ଼ା ସେ ଆୟୁଷ

ଏ ଦରପୋଡା ଦିହ ରେ

ହାଡ ଭଙ୍ଗା ଜାଡ ର ଦାଉ

ବୟସ ଗଲେ

ଥଣ୍ଡା ହୁଏ ରକତ

ସମ୍ପର୍କ ବି !


ବେଳେ ବେଳେ ନିରୁଦ୍ଧିଷ୍ଟ

ଜଣାଶୁଣା ର ସେ ଠିକଣା

ଅପହଞ୍ଚ ସେ ;

କେହି କେହି ଠିକଣା ଖୋଜନ୍ତି

ସବୁ ରାସ୍ତା ପଛକୁ ଫେରେନା

ସମ୍ପର୍କ ବି !


କାହାକୁ ଦେଖେଇବ

ଦୁର୍ଭାଗ୍ୟ ର ଠିକଣା !

ଏଠି ଦାୟାଦ

ସମ୍ପତ୍ତି ର ଦାଏ

କର୍ତ୍ତବ୍ୟ?

ନିରୁଦ୍ଧିଷ୍ଟ !


ଖବରକାଗଜ ର

ଖବର ରେ ଉଷ୍ମତା

ସମ୍ପତ୍ତି ଲୋଭ ରେ

ବୃଦ୍ଧା ମା ର ହତ୍ୟା

ଇଏ କି ଖବର !


କିଛି ଫରକ ନାହିଁ ହୋ

ଶୀତ କୁ ନେଇ ଖବର ଲେଖ

ଯେମିତି ଶୀତ କୁ ନେଇ

ଲେଖି ହୁଏ

ରୋମାଣ୍ଟିକ କବିତା

ସହର ର ରାସ୍ତାକଡ଼ରେ

ସେ ତିବ୍ବତ ଝିଅ ସହ

ବେମତଲବ ର ମୂଲଚାଲ


ଏଣେ

ଗାଁ ମୁଣ୍ଡ ରେ

ସଞ୍ଜ ନଇଁଲେ

ସନିଆ ମା' ର ଦିହ ଥରେ

ସରକାରୀ ପକ୍କାଘରେ

ପୁଅ ବୋହୁଙ୍କୁ କବ୍ଜା |


କେତେ ଆଉ ଜାଡ ରଖନ୍ତା

ମୂଷାଖିଆ କମ୍ବଳଟା

ସଲତିଆ ଭୂଇଁଟାରୁ !


ଏବେ ସବୁ ରୋଗ ର

ଧାଁ ଧପଡ଼

ସତରେ

ଏଇ ଶୀତ ରେ ଜୁ ମିଳେ

ସେ ବେମାରଙ୍କୁ?


ଜୀବନ ଶେଷ ହେବାର ବେଳ କି?

ହେ ଈଶ୍ୱର

ତୁମେ ଅଛ ତ?

କହିବାକୁ ମୁକତି ର ପଥ


ସେମିତି

ଏ ସହର ର ରାସ୍ତାକଡ଼ ରେ ବି

ଅସହାୟ ଜୀବନ


ଜାଡ ର ମାଡ଼ ରେ

ରାତି ତମାମ

ଛୁଆ କୁକୁର ର

କୁଁ କୁଁ ଚିତ୍କାର

ମା କୁକୁର ର ନରମ ପେଟରୁ

ଗରମ ଦେବା ରେ ପ୍ରୟାସ


ବୃଥା ସିନା

ଭୋକିଲା ପେଟ ରେ

କେଉଁଠି ଆସିବ ଉଷ୍ମତା

ସବୁଠି ଦୂର ଦୂର

ମାର ମାର |



ରାତି ଗଡ଼ିଲେ

ଅଂଚ ହେଉଥିବା

ନିଆସୀର ବୁଢ଼ୀଟା

ପରା ବାଣ୍ଟେ

ଜାଡ ଜଡ଼ ସଡ଼

କୁକୁରଛୁଆଙ୍କୁ |


ସମ୍ଭବତଃ

କିଛି ଫରକ ନଥାଏ

ଦେଶୀୟ କୁକୁର

ଆଉ ବୁଢା ମା ବାପ ଭିତରେ


ସେ ପଟେ ଶୀତ କୁ ନେଇ

ସହର ରେ ଆସର ବସେ

ଗାଁ ରେ ଉତ୍ସବ


ଶୀତ ସେମିତି ହସେ

ହା ହା..........

କିଛି ଫରକ ନାହିଁ ହୋ

ଅମାନଵଙ୍କ ର

ସହର ଆଉ ଗାଁ ଭିତରେ

ଦୁର୍ଭାଗ୍ୟ ର ପୁଣି

କଣ ଗୋଟାଏ ଠିକଣା?


ଶାରଦା ପ୍ରସାଦ ପରିଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍