ଝରି ର ଚିଠି
ଝରି ର ଚିଠି


ହୃଦୟର କଥା ସାଉଁଟି ଆଣି ମୁଁ
ତୁମକୁ ଲେଖୁଛି ଚିଠି
ସାଇତି ରଖିଛି ମନର ଆବେଗ
ସୁଖ ଦୁଃଖ ସ୍ମୃତି ମୁଠି ।
ମହୁଲ ଫୁଲର ମହୁଲି ନିଶାରେ
ହସୁଅଛି ବନଭୂଇଁ
ଶୀତଳ ପବନ ନଈ ଜଳ ଧାରେ
ଦିଶିଯାଏ ତୁମ ଛାଇ ।
ରହିଛ ବିଦେଶେ ଛାଡି କ୍ଷେତ ବାଡ଼ି
ଗାଁ ଘର ପରିବାର
ପଲ୍ଲୀ ବଧୁ ଝରି ସମ୍ଭାଳିଛି ସବୁ
ନହୋଇ ଟିକେ କାତର ।
ଅଦିନିଆ ବର୍ଷା କାଳ ହୋଇଗଲା
ଫସଲ ଦେଲା ଉଜାଡି
ସେଥିପାଇଁ ଆଜି ଦାଦନ ସାଜିଲ
ଠିକାଦାର ହାତେ ପଡି ।
ଦିନ ରାତି ସେଠି ହାଡ଼ଭଙ୍ଗା ଖଟି
ଦେହରେ ନଥିବ ଶିରୀ
ତୁମେ କି ବୁଝିବ ମୋ ମନର ଦୁଃଖ
ମରୁଛି ତୁମକୁ ଝୁରି ।
ଝୁରୁଥିବ ତୁମେ ପାହାଡ ଝରଣା
ଗାଁ ବଣ ଆମ୍ବତୋଟା
ଝୁରନ୍ତି ତୁମକୁ ପଦ୍ମପୋଖରୀର
ପଦ୍ମକଢି ଦରଫୁଟା ।
ଫେରିଆସ ତୁମେ ଗାଁ କୁ ଏଥର
ଭିଟାମାଟି ଏଠି ଝୁରେ
ପରିଶ୍ରମ କରି ସୁନାର ଫସଲ
ଦେଖିବା ନିତି କ୍ଷେତରେ ।
ଜନମ ମାଟିର ମହକ ନିଆରା
ପରବ ଯାନିଯାତରା
ମେଳା ମଉଚ୍ଛବ ସେନେହ ମମତା
ରଖେ ଆମ ପରମ୍ପରା ।
କାହୁଁ ଆସିଲା ଏ ଅଜଣା ରୋଗଟି
ସଭିଙ୍କୁ କଲା ଛାନିଆ
ମାସ୍କ ପିନ୍ଧି ଆଉ ହାତ ଧୋଇ ଧୋଇ
କରୋନାକୁ କରୁ "ନା"।
ଜଗି ଚଳୁଥିବ ଦେହ କୁ ତୁମର
ନପଶୁ ଏ ମହାମାରୀ
ଗ୍ରାମ ଦେବତୀଙ୍କୁ କରୁଛି ପ୍ରାର୍ଥନା
କରୋନା ଯାଉ ସବୁରି ।
ଚିଠି ଟିଏ ଖାଲି ଭାବିବନି ଏହା
ଝରିର ମରମ କଥା
ଭାବିଛି ଲେଖିଛି ଅନ୍ତର ଖୋଲିକି
ବୁଝିବ ଏ ଗଭୀରତା ।
End