ବସନ୍ତ ର ଦୁଇଟି ସ୍କେଚ
ବସନ୍ତ ର ଦୁଇଟି ସ୍କେଚ
କିଛି ଦୃଶ୍ୟ ରେ
ଆକାଶ କୁ ବେଢ଼ାଇଛି
ଅସଂଖ୍ୟ ବର୍ଣ୍ଣାଳୀ।
ରଙ୍ଗ ର ଏ ମାୟାରେ
ମୋହବସ୍ତ୍ର ସବୁ
ଦଲକାଏ ପବନରେ
ନିତ୍ୟ ଫରଫର ।
କିଏ ସେହି ମାୟାଧର!
ବଡ଼ ଧୁରନ୍ଧର ସିଏ
ମାୟା ରଚିବାରେ
କ୍ଷଣିକ ଚପଳଛନ୍ଦ
ବିଦ୍ୟୁତ ରଙ୍ଗରେ,
ସ୍ବଚ୍ଛ କି ଅନଳ
ନୀଳ ଅବା ଲୋହିତ
ଏତେ ସବୁ ରଙ୍ଗ ଦେଖିବାରେ
ଆଖିଦୁଇ ରଙ୍ଗ ମରା।
ରଙ୍ଗ ର ଏ ମାୟାରେ ଦିଶେ
କେତେ ବିଭୀଷିକା, ନିର୍ଦ୍ଦୟତା,
ଆତୁରତା କା'ର
ହୋଇଯାଏ ଚୂର୍ଣ୍ଣ
ଅନ୍ତିମ ରେ ଖଣ୍ଡ ଖଣ୍ଡ ହୁଏ ରଙ୍ଗ
ଭାଙ୍ଗିଯାଇ ମୋହର ଆକାଶ।
କିଛି ଅଦୃଶ୍ୟରେ
ହାତରେ ଅବିର ମୁଠାଏ ଧରି
କିଏ ଚାଲେ ସେଠି
କୃଷ୍ଣ ପାଦ ଅନୁସରି
କାନ୍ଧରେ ଦୋଳ ବିମାନ
ପଥ ତାର ବେଣୁଦୀକ୍ଷା
ମନ ଖୋଜେ ବୃନ୍ଦାବନ
ସତେ କଣ ଦେଖିବ ସେ
ଜୀବ ର ଜୀବନ
ଏ ଘନଘୋର ଅନ୍ଧାର ରାତିରେ।
ହସନ୍ତି ମନମୋହନ
ଏତେ ସବୁ ଦେଖି
ଚିର ବସନ୍ତର ବଣେ
ମାପିଚୁପି ହସେ ନିଧିବନ ।