ସତ କର୍ମ
ସତ କର୍ମ
ଜୀବନ ରେ ସଦା ସତ କହିବା
ଅସତ ଚିନ୍ତା ରୁ ଓହରି ଯିବା ।
ମିଛ କହିବା ଟା ବଡ଼ ସହଜ
ମିଛ କଥା ମନ କରେ ଦରଜ ।
ଭାବି ଚିନ୍ତି ମିଛ କହିଲେ ଫାନ୍ଦି
ଧରାପଡିଗଲେ ମରିବା କାନ୍ଦି ।
ମିଛୁଆ ରାଧୁଆ ଗପ ରେ ଅଛି
ମିଛ କହି କେତେ ଦୁଃଖ ପାଇଛି ।
ମିଛୁଆ ବୋଲି ସେ ପଡିଲା ହୁରି
ସଭିଏଁ ଆସିଲେ ଘୃଣା ରେ ଫେରି ।
ସତରେ ପିଲାଏ କହିଲେ ମିଛ
ଗୋଡ଼ାଇ ଗୋଡ଼ାଇ ଖାଇବ ତମ୍ପ ।
ସତ୍ୟ କୁ ମଣିବା ଜୀବନ ଧନ
କାଚପରି ସଫା ରଖିବା ମନ ।
ନିର୍ଭୀକ ପଣକୁ କରି ଧାରଣ
ଦେଶସେବା ପାଇଁ ଦେବା ଜୀବନ ।
ସ୍ୱାର୍ଥ ରଖି ମନେ କରନି କିଛି
ଯାଅନାହିଁ କେବେ ଆନେ ଉପେକ୍ଷି ।
ରୋଗୀ ଅନ୍ଧ ଛୋଟା ପୀଡିତ ଲୋକ
ଲିଭାଇବା ତାଙ୍କ ପେଟର ଭୋକ ।
ଜୀବ ମାତ୍ରେ ଦୟା ବହିବା ନୀତି
କରି ଅନ୍ୟ ପ୍ରାଣେ ଭରିବା ଶାନ୍ତି ।
କୀଟ ପତଙ୍ଗରେ ଦୟା ର ଭାବ
ଦେଖାଇ ପାରିଲେ ମିଳେ ଗୌରବ ।
ଲୋଭ ହିଂସା ଦ୍ୱେଷ ଦୂରେଇ ଦେବା
କେବେ କାହା ମନେ ଦୁଃଖ ନ ଦେବା ।
ଯଦି ଦେବା କା'ର ପ୍ରାଣେ କଷଣ
ଆମକୁ ମିଳିବ ହୋଇ ଦ୍ଵିଗୁଣ ।
ଦୟା କ୍ଷମା ଗୁଣ ମନେ ଆଚରି
ସତକର୍ମ ଯେତିକି ନେବା ଆଦରି ।
ସେବା ସ୍ନେହ ଭକ୍ତି ତିନିହେଁ ମିତ
ହୃଦୟେ ବାନ୍ଧିବା କରିଣ ଶକ୍ତ ।
ନର ସେବା ହେଉ ମାଧବ ସେବା
ନିସ୍ଵାର୍ଥେ କରିଣ ଯଶ ଲଭିବା ।
ପ୍ରତି ହୃଦେ ତେବେ ପାଇବ ସ୍ଥାନ
ସଭିଁ ପାଇଁ ହେବ ମଣିକାଞ୍ଚନ ।
ଗଛ ଲଗାଇବା ମହତ କାମ
ଗଛଟିଏ ପୋତି କର ଧରମ ।
ଫୁଲ ଫଳ ଦେଇ ଦେବରେ ଛାଇ
ଏମିତି ସୁକର୍ମ ସଂସାରେ ନାହିଁ।
ଯଦି ଗଛ ପରି ଆମେ ହେବା ଉଦାର
ତେବେ ଯାଇ ହେବା ସଂସାର ସାର ।
ସବୁ ତ ସମ୍ଭବ ପରିଶ୍ରମ ର ବଳେ
ଅସାଧ୍ୟ ସାଧନ ହୁଅଇ ହେଳେ ।
ପରିଶ୍ରମ ପାଇଁ ହେବାନି ଭୀରୁ
ପାଠପଢା ପାଇଁ ଖୋଜିବା ଗୁରୁ ।
ସୁଗୁଣ ଆଭାରେ ମହୀ ଜିତିବା
ପ୍ରଭୁ ଙ୍କ ପାଦରେ ଲୟ ରଖିବା ।
