କେତେ ଦୂରେ ସ୍ଵାଧୀନତା
କେତେ ଦୂରେ ସ୍ଵାଧୀନତା
ସ୍ଵାଧୀନ ବୋଲିଣ ଡିଣ୍ଡିମ ପିଟୁଛ
ଦେଖାଉଛ ବାହାପଣ
ବାଳୁତରୁ ନାରୀ ଶୋଷିତ ହୁଅନ୍ତି
ହୋଇ ଆଜି ପରାଧୀନ ।
ଯେଉଁ ବୟସରେ ବିଦ୍ୟାଳୟ ଯାଇ
ପାଠ ସେ ପଢ଼ିବା କଥା
ସେହି ବୟସରେ ଅରଜନ ପାଇଁ
ପାଆନ୍ତି ଅନେକ ବ୍ୟଥା ।
ମନର ଆଶାକୁ ମନ ମଧ୍ୟେ ଚାପି
ନୟନୁ ଲୋତକ ଝରେ
ଜନମ କାଳରୁ କାହିଁ ଏ କଷଣ
ବିଧାତାଙ୍କୁ ପ୍ରଶ୍ନ କରେ ।
ସଂସାରେ ନାରୀର ଯେତକ ମହତ
ଲୋକ ଦେଖାଣିଆ ପରା
କରି କ୍ରୀଡ଼ନକ ଦେଉଛ କଷଣ
ମିଛରେ ବାଜୁଛି ନାରା ।
ନାରୀ ପୁଣି ଜାୟା ଜନନୀ ଭଗିନୀ
ତାଙ୍କୁ ଦିଅ ଉଚ୍ଚାସନ
ନାରୀର ଆସନ ସର୍ବତ୍ର ଉର୍ଦ୍ଧ୍ଵରେ
ନକର ତାହାଙ୍କୁ ହୀନ ।
କନ୍ୟା ଭଳି ଏକ ଅମୂଲ ରତ୍ନକୁ
ଏତେ କାହିଁ ହତାଦର
ତାହାର ମୂଲକୁ ସଭିଏଁ ଜାଣୁଛ
କାହିଁ ଭୃଣହତ୍ୟା କର ।
ପ୍ରାକ୍ତନ ଭାରତେ ଶୋଷୁଥିଲେ ଦିନେ
ଫିରଙ୍ଗୀ,ମୋଗଲ,ପାର୍ସୀ
ଆଜି ନିଜଲୋକ ଅଳୀକ ସ୍ୱାର୍ଥରେ
ଦିଅନ୍ତି ଅକାଳେ ଫାଶି ।
ସ୍ଵାଧୀନ ରାଷ୍ଟ୍ରରେ ଆମେ ପରାଧୀନ
ଶୁଣ ମୋ ଚିତ୍କାର ଭାଇ
ଆମରି ସମ୍ମାନ ରଖିଲେ ସଭିଏଁ
ସ୍ଵାଧୀନ କହିବ ଯାଇ ।
# ଫ୍ରି-ଇଣ୍ଡିଆ