ସ୍ଵାର୍ଥନଈ ତୀରେ ବିଚରା ନାଉରୀ
ସ୍ଵାର୍ଥନଈ ତୀରେ ବିଚରା ନାଉରୀ
ଥକିଗଲି ସଖା ସ୍ଵାର୍ଥନଈ ସୁଏ
ପରାଣ ନାଉରୀ ସାଜି
ଆଚମ୍ବିତ ଆଜି ହୋଇଯାଏ ହିଆ
ପୁରୁଣା କଥାକୁ ହେଜି ।
କେତେ ଧନୀ ମାନୀ ନିର୍ଦ୍ଧନ ରଙ୍କକୁ
ଲଗାଇଛି ନେଇ କୂଳେ
ତଥାପି ନିରୀହ ନାଉରୀ ମନରେ
ଅହଙ୍କାର ନାହିଁ ତିଳେ ।
କୋଉଠି କେଜାଣି ଥିଲା କାଳ ମେଘ
ଅଦିନେ ବରଷି ଗଲା
ଝାଟିମାଟି ପ୍ରାଣ ଚାଳ ଛପରକୁ
ନିମିଷେ ଉଭେଇ ନେଲା ।
ବାସହରା ହୋଇ ଲୋଡ଼ିଲି ଆଶ୍ରୟ
ସାହାରା ହୋଇବ ବୋଲି
ସାହାରା ତ ଦେଲ ମତଲବ ରଖି
ତାହା ଜାଣି ନପାରିଲି ।
ନିଶି ଦିବା ଏକ କରିଦେଇଥିଲି
ଭୁଲାଇ ନିଜର ବ୍ୟଥା
ମତଲବ ତୁମ ପୁରିଗଲା ପରେ
ପାଶୋରିଲ ସେଇ କଥା ।
ନଦୀର ସେପାଖେ ନାଆକୁ ଲଗାଇ
ହିସାବ କରିଲି ବସି
କେତେ ଆଣିଥିଲି କେତେ ଯେ ହାରିଲି
ପାରିଲିନି ଅଙ୍କକଷି ।
ତାଡ଼ନା ଦୁଃଖରେ ମ୍ରିୟମାଣ ହୋଇ
ଲୋତକ ବୁହାଏ ଆଜି
ଥକିଗଲି ସଖା ସ୍ଵାର୍ଥନଈ ସୁଏ
ପରାଣ ନାଉରୀ ସାଜି....।।
