ବରଷା ଆସିଲେ
ବରଷା ଆସିଲେ
ଉର୍ଦ୍ଧ୍ଵେ ଚକ୍ରାୟିତ କଳା ବଉଦଙ୍କ ମେଳ
ଚିଲିକା ବକ୍ଷରେ ଯଥା ହଂସରାଳି ଖେଳ
ମୃଦୁ ବାୟୁ ସଙ୍ଗେ ମେଘ ଆସୁଥିଲେ ଭାସି
ଅଚଳ ସେ ଦିନକର, କ୍ଷଣେ ଗଲା ଗ୍ରାସି ।
ଠାବେ ଠାବେ ଛାଇ ହେଲା ବନ ଉପବନ
ଢଳଢଳ ବାରିଣିରେ ସୁନ୍ଦର ସୁମନ
ଶିଖେ ଉଦ୍ ଭ୍ରାନ୍ତ ହେଲେ ମୟୁର ମୟୂରୀ
ନୃତ୍ୟ ଆରମ୍ଭିଲେ ତହୁଁ ପୁଚ୍ଛକୁ ପ୍ରସାରି ।
ଅନ୍ଧାର ଘୋଟିଲା ଆସି ଗହନ କାନନେ
ବିଜୁଳି ଚମକ ଦେଲା ସୁଉଚ୍ଚ ଗଗନେ
ଘଡ଼ଘଡ଼ି ଶବଦରେ ଅବନୀ କମ୍ପିଲା
ମତ୍ତ ପ୍ରାୟେ ଲମ୍ଫ ଦେଇ ମଣ୍ଡୁକ ରଡିଲା ।
ତୋଷ ହୋଇ ବିନ୍ଦୁ ବିନ୍ଦୁ ଜଳକୁ ତେଜିଲେ
ଶିହରି ଯେ ଆନନ୍ଦରେ ପାଦପ ଝୁମିଲେ
ବର୍ଷା ଭିଜା ଭୂଇଁର ସେ ଅପୂର୍ବ ମହକ
ବରଷାକୁ ଚାହିଁରହି ଥାଏ ଯେ ଚାତକ ।
ନିର୍ଝରିଣୀ ଝର ସଙ୍ଗେ ଶୀତଳ ମୁକୁତା
କୌତୁହଳେ ସଂଗ୍ରହିଲେ ମିଶି ସୁତସୁତା
ଟୋପା ଟୋପା ଜଳବିନ୍ଦୁ ଫୋଟକା ରଚଇ
କ୍ଷଣେ ଦୃଶ୍ୟ କ୍ଷଣେ ପୁଣି ଅଦୃଶ୍ୟ ହୁଅଇ ।