ମୋ ମାଆ ମହାନ୍
ମୋ ମାଆ ମହାନ୍
ତୋ କୋଳେ ଜନ୍ମିଛି
ବଢ଼ିଛି ତୋ କୋଳେ
ଦେଖିଛି ତୋ କୋଳେ ସରଗ,
ତୋ କୋଳେ ଖେଳିଛି
କେତେ ମାରିଛି ଲାତ
ପାଇଛି ମଧୁସମ ଆନନ୍ଦ ।
ଅଝଟ ହୋଇଛି
ଅଳି ମୁଁ କରିଛି
ସବୁ ଯେ ସହିଛୁ ତୁହି,
ରୋଗ ବ୍ୟାଧି ଯେତେ
ଖାତିରି ନକରି
ପୀଡ଼ା ନେଇଛୁ ଦେହେ ବୋହି ।
ପିଲାଙ୍କର ପେଟ
ପୁରାଇବା ପାଇଁ
ନିଜେ ତୁ ରହିଯାଉ ଭୋକେ,
ତୋର ସେ ତ୍ୟାଗକୁ
ଭୁଲି ଯାଇଛନ୍ତି
ଆଜିର ଏଇ ବଡ଼ ଲୋକେ ।
କେବେ ପୁଣି ମାତା
ଅଟୁ କେବେ ଧାତ୍ରୀ
କେବେ ଯେ ସାଜୁ ଶିକ୍ଷୟିତ୍ରୀ,
ତୋହରି ଶିକ୍ଷାରେ
ସଂସାର ଜାଣିଲା
ଲଙ୍ଘି ଗଲି ଅନ୍ଧାର ରାତି ।
ତୋହର ଋଣକୁ
କିପରି ଶୁଝିବି
ଭାଳଇ ସଦା ମନ ମୋର
ପୁନର୍ଜନ୍ମ ଯଦି
ସମ୍ଭବ ହୁଅଇ
ଜନ୍ମ ନେବି ମୁଁ ବାରମ୍ଵାର ।
ହେ ! ମାଆ ମୋହର
ଦୁନିଆରେ ଆଉ
ତୋ'ଠାରୁ ନାହିଁ କେ ନିଜର
ତୋ' ଆଶିଷ ଥିଲେ
ନାହିଁ କିଛି ଡ଼ର
ତୁ ବିଧାତା ତୁ ହିଁ ଇଶ୍ୱର ।