ବାପା
ବାପା
ଜହର ରୂପକ ସଂସାର ନାଆରେ
ଭାସି ଯାଇଅଛ ତୁମେ
ସତ ଚେଷ୍ଟାକଲେ ତୁମ ବଳିଦାନ
ଭୁଲି ପାରିବୁନି ଆମେ ।
ନିଜର ସୁଖକୁ ଚାପି ଦେଇଅଛ
ଲୁହ ଭିଜା ଆଖି ତଳେ
ତୁଚ୍ଛା ମିଛଟାରେ ହସି ଦେଇ ଯାଅ
ନଜାଣିଲୁ କେହି ଜଣେ ।
ସନ୍ତାନ ଭବିଷ୍ୟ ଗଢ଼ି ଦେବା ଲାଗି
ଦେଖାଇଛ ନାଲି ନେତ୍ର
ଉପର ମୁହଁରେ ରାଗ ତମ ତମ
ହୃଦୟ କଅଁଳ ପତ୍ର ।
ଉପର କଠିନ ଅନ୍ତର କୋମଳ
ବିଶାଳ ହୃଦୟ ଧାରୀ
ତୁମେ ଆମ ପାଇଁ ଚଳନ୍ତି ଠାକୁର
ଆସିଅଛ ଅବତରୀ ।
ମାଆ ଠାରୁ ବଳି ସ୍ନେହ ବି ଦେଇଛ
ଯେବେ ରାଗିରୁସି ଯାଉ
ତୁମ ଠାରୁ ଯେତେ ସ୍ନେହଶ୍ରଦ୍ଧା ମିଳେ
ଅନ୍ୟଠି ତାହା ନ ପାଉ ।
କେତେ ଯେ'ଦେଖିଛ ଆମ ପାଇଁ ସ୍ଵପ୍ନ
ଦିବାରାତି ଏକ କରି
ମୁଣ୍ଡ ଝାଳ ତୁଣ୍ଡେ ମାରି ଦେଇଅଛ
ହାତରେ କୋଦାଳ ଧରି ।
ଲୋକ ଦେଖାଣିଆ ପିତୃ ଦିବା ବୋଲି
ଗାଇବୁ କି' ମିଛ ଯଶ
ଶ୍ଵାସ ଥିବା ଯାଏଁ ଯଶ ଗାଉଥିବୁ
ଆସୁ ନ ଆସୁ ଏ ଦିବସ ।