ନବ ଭାରତର ଶ୍ରମିକ ଆମେରେ
ନବ ଭାରତର ଶ୍ରମିକ ଆମେରେ
ନବ ଭାରତର ଶ୍ରମିକ ଆମେରେ
ଗଢିବା ଅତୁଲ୍ୟ ଭାରତବର୍ଷ
ଯଶ ସମୃଦ୍ଧିରେ ଏଇ ପୃଥିବୀରେ
ବିକଶିତ ହେବ ଆମରି ଦେଶ ll
ନବ ଚେତନାର ଏକତାର ମନ୍ତ୍ରେ
ସମବେତ ହେବା ଆମେରେ ସବୁ
ଜ୍ଞାନ ବିଜ୍ଞାନର ସମର କଳାରେ
ଆମ ପରିଚୟ ଆମେରେ ଦେବୁ ll
ଆସରେ ଭାଇ ଆସ ଭଉଣୀ ମାନେ
ଇର୍ଷା ଦ୍ୱେଷ କିଛି ନରଖି ମନେ
ଏ ଦେଶ ଜାତିର ଗର୍ବ ଗଉରବ
ରଖିବା ତା' ଟେକ ବିଶ୍ୱ ସଦନେ ll
ସ୍ୱାର୍ଥ କ୍ଷମତାକୁ ପାଦ ତଳେ ଦଳି
ଦେଶ ମାତୃକାର ରଖିବା ଟାଣ
ବ୍ୟର୍ଥ ରାଜନୀତି ଧୂର୍ତ ଶାସନକୁ
ହଟାଇବା ଲାଗି କରିବା ପଣ ll
କ୍ଷମତା ଲୋଭର ଅନ୍ଧାରୀ ପଥରେ
ସାଜିବାନି ଆମେ ବଇରୀ କେବେ
ଦେଶ ପାଇଁ ହସି ପ୍ରାଣବଳି ଦେବା
ଦେବାକୁ ପଡିବ ଜୀବନ ଯେବେ ll
ଜ୍ଞାନ-ଦକ୍ଷତାର ପରାକ୍ରମ ନେଇ
ଆମେରେ ଗଢିବା ସ୍ବପ୍ନର ଦେଶ
ସ୍ନେହ-ପ୍ରେମ ଭରା ଅନନ୍ୟ ଏ ମାଟି
ନାମ ଯା'ର ଅଟେ ଭାରତବର୍ଷ ll
ସତ୍ୟ ସୌହାର୍ଦ୍ଦ୍ୟର କର୍ମଠ ଜୀବନେ
ଆମେ ଗଢିବା ଆମ ଭବିଷ୍ୟତ
ଆମ ପରିବାର ସମାଜ ଓ ରାଷ୍ଟ୍ର
ଏକତାର ମନ୍ତ୍ରେ ହେବ ଶକ୍ତିମନ୍ତ ll
