ବାପା
ବାପା


କେବେ ଅଭିମାନ ତ କେବେ ସ୍ୱାଭିମାନ ବାପା
କେବେ ସ୍ନେହ ତ କେବେ ଅନୁଶାସନ ବାପା
କେବେ ନୀରବ ତ କେବେ ଭାଷଣ ବାପା
କେବେ ପୃଥିବୀ ତ କେବେ ବିଶାଳ ଆକାଶ ବାପା ।
ମାଆ ସିନା ଆମକୁ ଜନ୍ମ ଦେଇଛନ୍ତି
କିନ୍ତୁ ଏ ଦୁନିଆଁ ରେ ପରିଚୟ ଦେଇଥାନ୍ତି ବାପା ।
କେବେ କାନ୍ଧରେ ବସାଇ ଯାତ୍ରା ଦେଖାଇନିଅନ୍ତି ତ
କେବେ ଘୋଡା ସାଜି ତାଙ୍କ ପିଠିରେ ବସାଇ ରାଜା ସଜାନ୍ତି ବାପା ।
ମାଆ ସିନା ତାଙ୍କ କୋଳରେ ଧରି ଗେଲ କରନ୍ତି
କିନ୍ତୁ କାନ୍ଧରେ ବସାଇ ଆକାଶକୁ ଛୁଆଁଇ ଦିଅନ୍ତି ବାପା ।
ମାଆ ଯଦି ମଧୁର ନାନାବାୟା ଗୀତ
ତେବେ ବାପା, କେବେ ଭୁଲି ନ ପାରିବା ଗପ ।
ମାଆ ଯଦି ଘରର ରୋଷେଇ
ତେବେ ବାପା ଘରକୁ ଚଳାଉଥିବା ରାସନ ।
ମାଆ ସିନା ସନ୍ତାନ ପାଇଁ ସବୁ କିଛି କରନ୍ତି
ହେଲେ ଯିଏ ସନ୍ତାନ ପାଇଁ ନିଜେ ବିକ୍ରି ହୋଇଯାଆନ୍ତି ସେ ବାପା ।
ମାଆ ସିନା ସବୁ କଥା ଖୋଲି କହିଦିଅନ୍ତି
ଯିଏ ନିଜ ଦୁଃଖକୁ ମଧ୍ୟ ନ କହି ହୃଦୟେ ଲୁଚାଇରଖନ୍ତି ସେ ବାପା ।
ଯିଏ ନିଜଠୁ ଅଧିକ ମୋତେ ଅଧିକ ଭଲପାଆନ୍ତି,
ସେ ମୋ ବାପା ।
ଯିଏ ମୋ ସ୍ବପ୍ନକୁ ପୁରା କରିବା ପାଇଁ
ଦିନରାତି ପରିଶ୍ରମ କରନ୍ତି ସେ ମୋ ବାପା ।
ଯିଏ ମନ୍ଦିରକୁ ନ ଯାଇ ବି ମାେ ପାଇଁଁ
ନିତି ଉପବାସ କରନ୍ତି ସେ ମୋ ବାପା ।
ଯିଏ ନିଜ ଖୁସିକୁ ଭୁଲି ମୋ ଖୁସିରେ ଖୁସି
ଆଉ ମୋ ଦୁଃଖରେ ଦୁଃଖୀ ହୁଅନ୍ତି ସେ ମୋ ବାପା ।
ଯିଏ ସରଗର ଚାନ୍ଦ ମାଗିଲେ ବି କେବେ ମନା କରନ୍ତି'ନି
ହସି ହସି ହଁ କରନ୍ତି ସେ ମୋ ବାପା ।
ବାପା ଏମିତି ଏକ ଦେବତା ଟିଏ,
ଯିଏ କୌଣସି ମନ୍ଦିରରେ ରୁହନ୍ତି'ନି
ଛୋଟବଡ଼ ପଥର ହୋଇ
ସିଏ ଆମ ପାଖେ ପାଖେ ଥାଆନ୍ତି
ବିପଦ ଆପଦେ ସାହା ହୁଅନ୍ତି ।
ବାପା ଏମିତି ଏକ ଦେବତା ଟିଏ,
ଯା ପାଇଁ ଉପବାସ ଲୋଡା ନାହିଁ
ଲୋଡା ନାହିଁ ବଳୀ,ଦାନ, ଯଜ୍ଞ
ସିଏ ଆମ ଠାରୁ ଖାଲି ଏତିକି ଚାହାଁନ୍ତି
ସାରା ଜୀବନ ତାଙ୍କ ପାଖେ ପାଖେ ରହିବା ପାଇଁ ।
ବାପା ଏମିତି ଏକ ଦେବତା ଟିଏ,
ଯାହାଙ୍କୁ ନଡ଼ିଆ,ଫଳମୂଳ, ଦକ୍ଷିଣା
ଆଦୌ ଲୋଡା ନାହିଁ
ଏ ସ୍ୱାର୍ଥପର ଦୁନିଆଁରେ ନିଜ ସନ୍ତାନ ଠାରୁ ଖାଲି ଏତିକି ଲୋଡା,
ବାପାମାଙ୍କର ପ୍ରାଣ ଥିବା ଯାଏଁ
ଖାଲି ଟିକେ ଭଲପାଇବା ସଚ୍ଚା ଭଲପାଇବା ।
ଶେଷରେ ଏତିକି କହିବି
ସିଏ କି ମଣିଷ,
ଯିଏ ନିଜ ହୃଦୟ ମନ୍ଦିରେ , ଘରେ ବାପାମାଆଙ୍କୁ ନ ପୂଜି
ମନ୍ଦିରକୁ ଯାଇ ପୂଜୁଅଛି ୩୩ କୋଟି ପଥର ମୂରତି ।
ସତରେ ସିଏ କି ମଣିଷ ?