କାହ୍ନୁରେ
କାହ୍ନୁରେ
ପ୍ରଭୁ ଘଞ୍ଚକେଶା ମୋ' କାଳିଆ କାହ୍ନୁ
ଆଜି ତୋ' ଜନମ ଦିନ ,
ଆ ' ମୋର ସଙ୍ଖାଳି ଗରିବ କୁଟିରେ
ଆହେ ଦେବକୀ ନନ୍ଦନ ।
ମନ୍ତ୍ର, ଯନ୍ତ୍ର ମୁହିଁ ନ'ଜାଣଇ କାହ୍ନୁ
ତଥାପି ଖୋଜେ ଏ' ମନ ,
ଆତୁର ପରାଣେ ଜଞ୍ଜାଳେ ଜଞ୍ଜାଳି
ଗାଏ ତୋହର ଭଜନ ।
ଆନମନା ହୁଏ ହୃଦୟ ମୋହର
ଆତ୍ମାରେ ମୋ' ପ୍ରତିକ୍ଷଣ ,
ତୋର ଚିତ୍ରପଟ୍ଟ ଭାସଇ ଚକ୍ଷୁରେ
ବଢେ ଚିତ୍ତେ ଆକର୍ଷଣ ।
ତୋର ବଂଶୀସ୍ୱନ ବାଜଇ କର୍ଣ୍ଣରେ
ରହି ରହି ପ୍ରତିକ୍ଷଣ ,
ଯଶୋଦାର ପ୍ରାଣ ତୋ' ଛବି ଦେଖିଲେ
ଲୋତକେ ଭିଜେ ପରାଣ ।
ମରଣଶୀଳ ଏ' ଦୁନିଆଁ ଦାଣ୍ଡରେ
ସବୁକିଛି ମୂଲ୍ୟହୀନ ,
ମାୟାଧର ଆହେ ଏ'ମାୟା ସଂସାରେ
ସାର ଏକା ତୋର ନାମ ।
ହୃଦୟକୁ ତୋର ମୋହିବା ଭଳିଆ
ଶକ୍ତି ନାହିଁ ମୋର ଧନ ,
ଭାବ ବି' ଜାଣିନି ଭକ୍ତି ବି' ଜାଣିନି
ଅଟେ ମୁଁ ବଡ଼ ଅଧମ ।
ଗୀତା, ଭାଗବତ ପଢିନାହିଁ କେବେ
ନ'ଜାଣଇ ଶ୍ଳୋକମାନ,
ହାତରେ ଧରିଛି ମୁଁ ଫୁଲ, ଚନ୍ଦନ
କାହିଁକି ତୋ' ଅଭିମାନ ।
ଆଉ କିରେ ସତେ ଦେଖିବି ତୋ' ମୁଖ
ରଖିବୁ ମୋର ବଚନ ,
ତୁଣ୍ଡେ ମୋର ଥିବ ତୁଳସୀ ନିର୍ମାଲ୍ୟ
ଦେବୁ କି ଶେଷ ଦର୍ଶନ? ।
