ଭୁଲି ଯିବା କ'ଣ...ଏତେ ସହଜ କି?
ଭୁଲି ଯିବା କ'ଣ...ଏତେ ସହଜ କି?
ମନଟା ଜୀବନର ଏକ ସ୍ମୃତି ଭଣ୍ଡାର
ଯତ୍ନରେ ସାଇତି ରଖେ ଅତୀତ
ସଜାଡ଼େ ବର୍ତ୍ତମାନକୁ ଗୁରୁତ୍ଵ ନେଇ
ସ୍ଵାଗତ କରେ ପୁଣି ଭବିଷ୍ୟତକୁ
ମନର ସାଥେ ତ ସବୁ ସମ୍ପର୍କ ବନ୍ଧା
ଆତ୍ମୀୟ ହୁଅନ୍ତୁ ଅବା ବନ୍ଧୁ-ବାନ୍ଧବ
କି ହୋଇଥାଉ କେହି ପରମ ଶତ୍ରୁ
ବାସ୍ତବରେ ମନ ଭୁଲିନଥାଏ କାହାକୁ।
ତା' ଭିତରେ ରହିଥାଏ ସବୁ ସ୍ମୃତି ହୋଇ
ଦୀର୍ଘଦିନ ଧରି ହେଉ ନ ଥିଲେ
ସୁସମ୍ପର୍କର ସହିତ ଭାବ ବିନିମୟ
ବୁଝେ ନାହିଁ ସରଳ ଉଦାର ହୃଦୟ
ଆପଣାର ଲୋକକୁ କହେ...ଭୁଲି ଗଲ
ଭୁଲି ଯିବା କ'ଣ...ଏତେ ସହଜ କି ?
ତୁମ ସହିତ ହେଉ କି ମୋ ସହିତ
ଯେତେ ବିଶେଷ ବିଶେଷ ଘଟଣା
ମନ ତା' ପାରେନା ପାଶୋରି କି ଭୁଲି
ଦାୟିତ୍ଵ କର୍ତ୍ତବ୍ୟର ବୋଝ ମୁଣ୍ଡାଇ
ହୁଏତ ଯୋଗାଯୋଗ ବିଚ୍ଛିନ୍ନ ହୁଏ
କିନ୍ତୁ ସେ ସ୍ମୃତି ଭାବୁଥାଏ ସେ ଏକାକୀ।
ପ୍ରେମର ସ୍ମୃତି ତ ଅଭୁଲା ଅମର
ଜୀବନ୍ତ ରହିଥାଏ ସବୁଦିନ
ମିଳନର ହେଉ କି ବିରହ ବିଚ୍ଛେଦର
ମନେ କଲେ ତା'...ଝଲସି ଉଠେ
ଆଲୋକ ରଶ୍ମିରେ ଝଲସୁ ଥିବା ରତ୍ନ ପରି
ତେବେ କେମିତି କହିବି... ଭୁଲି ଗଲ
ଭୁଲି ଯିବା କ'ଣ... ଏତେ ସହଜ କି ?
କେହି କହି ପାରେ ଅଭିମାନରେ
ଅବା ଆକ୍ଷେପରେ ଦୋଷାରୋପ କରି
କିନ୍ତୁ ମନ ପ୍ରକୃତରେ ଭୁଲି ନଥାଏ କିଛି
ସ୍ଵାର୍ଥପରତାରେ ବା ଅବହେଳାରେ
ଅବା କିଛି ବାଦ ବିବାଦର ଘେରରେ
ମନ ଜଣାଇ ପାରେନି ତା' କଥା
ଭଲକୁ ଯେତିକି ମନେ ରଖିଥାଏ
ତା'ଠାରୁ ବେଶି ମନେ ରଖିଥାଏ ତିକ୍ତତା
ଯା' ପାଇଁ ବଦିଳି ଥାଏ ଗତି ପଥର ମୋଡ଼
ପାଇ ଶିକ୍ଷା ହୋଇଥାଏ ବିଜ୍ଞ ଅଭିଜ୍ଞ
ଏତେ ସବୁ ସେ ଭୁଲି ଯିବ କେମିତି ଯେ
ଥାଉଁ ଥାଉଁ ସ୍ମୃତି ଶକ୍ତି ତା' ମନରେ ସାଇତା
ସ୍ମରଣ କରାଇବାକୁ ମନ କହେ ଏମିତି
ଭୁଲି ଯିବା କ'ଣ...ଏତେ ସହଜ କି ?
