କ୍ଷୀରାବ୍ଧି ତନୟା ଲୋକଜନନୀ
କ୍ଷୀରାବ୍ଧି ତନୟା ଲୋକଜନନୀ
ମାର୍ଗଶୀର ମାସ ହେମ ଶିଶିର l
କମଳା ତେଜିଲେ ବୈକୁଣ୍ଠ ପୁର ll
ଆକାଶରେ ମୃଗଶୀରା ନକ୍ଷତ୍ର l
ମାଆ ବୁଲି ଯିବେ ମରତପୁର ll
ଗୋଟି ଗୋଟି ସର୍ଷପ ଫୁଲ ଫୁଟି l
ଘରେ ଘରେ ପଡ଼ିଛି ଚିତାଝୋଟି ll
ମର୍ତ୍ତ୍ୟେ ହୁଳହୁଳି, ଢ଼ୋଲ, ମହୁରୀ l
କମଳାଙ୍କୁ ଡାକି ବୋଲନ୍ତି ହରି ll
କେଣେ ବାହାରିଲ ହେ ପ୍ରାଣପ୍ରିୟl l
ମରତେ ପୂଜା ମୋ ବୋଲନ୍ତି ମାଆ ll
ମାର୍ଗଶୀର ମାସ ମାସ ମୋହରି l
ଅନୁମତି ଦେଲେ ଯିବି ବାହାରି ll
ଦିବ୍ୟ ଧାମୁଁ ପେଚା ବାହନେ ଚଢ଼ି l
ମାଆ ଆସିଲେ ମରତେ ଉଡି଼ଉଡି଼ ll
ବଳରାମ ଦାସ ଲକ୍ଷ୍ମୀ ପୁରାଣ l
ଘରେ ଘରେ ହେଉଅଛି ଗାୟନ ll
ଗୁରୁବାରେ ଧାନ ମାଣ ବସାଇ l
ଘରଣୀଙ୍କ ପୂଜା ସିନ୍ଧୁ ତନୟୀ ll
ଶସ୍ୟ ସମ୍ପଦରେ ମରତ ପୂର୍ଣ୍ଣ l
କୃଷକ ଖଳାରେ କଳେଇ ଧାନ ll
ବିଷ୍ଣୁପ୍ରୀୟା ମାଆ ବିଷ୍ଣୁ ବଲ୍ଲଭା l
ଭକତଙ୍କ ପାଶେ ହୋଇଲେ ଉଭା ll
ଘରେ ଘରେ ପାଇ ପୂଜା ନୈବେଦ୍ୟ l
ମାଆ ତୋଷହେଲେ ବାଜେ ବାଇଦ ll
ମାଆ କମଳିନୀ ଲୋ ପଦ୍ମାଳୟା l
ରଖିଥିବୁ ମାଆ ତୁ ଜୀବେ ଦୟା ll
ସାଗର ଦୁଲଣୀ ବିଷ୍ଣୁ ଘରଣୀ l
ଧନ ଧାନ୍ୟେ ପୂର୍ଣ୍ଣ କର ଧରଣୀ ll
ସନ୍ତାନେ ରଖିବୁ ଘଣ୍ଟ ଘୋଡ଼ାଇ l
କମଳଲୋଚନୀ କରୁଣାମୟୀ ll
ନମଃ ନାରାୟଣୀ ସିନ୍ଧୁ ଦୁଲଣୀ l
କ୍ଷୀରାବ୍ଧି ତନୟା ଲୋକଜନନୀ ll
ବନ୍ଦନା କରେ ତୋ ପଦ୍ମ ପୟର l
ଆସୁଥିବୁ ମାଆ କୁଟୀରେ ମୋର ll
