ଶୁଣ ମହିୟସୀ
ଶୁଣ ମହିୟସୀ
ଶୁଣ ମହିୟସୀ କାନକୁ ଆଉଁସି
ପଣତ ସଜାତି ଧର
ଲକ୍ଷେ ଦୁଃଶାସନ ଚିର ହରିବାକୁ
ଅଟ୍ଟହାସ୍ୟେ ଆଗୁସାର ।
ଦ୍ୱାପର ଯୁଗରେ ଦୌପଦୀ ଡାକରେ
କୃଷ୍ଣ ଆସିଥିଲେ ଧାଇଁ
ଘୋର କଳିକାଳେ କେହି ନ ଆସିବେ
ନାଟକ ଦେଖିବେ ଚାହିଁ ।
ମେହେନ୍ଦୀ ହାତଟେ କରାଟେ କୁହାଟେ
ଫଟେଇବ ଦୁଷ୍ଟ ନେତ୍ର
କୁଟିଳ ଶକୁନି ପଶା ଖେଳିବନି
ଲାଙ୍ଗୁଡ ଜାକିବେ ତତ୍ର ।
ଅର୍ଦ୍ଧନଗ୍ନ ନାରୀ ବିଜ୍ଞାପନ ପ୍ରସାରୀ
ଲଜ଼୍ଯାହୀନ। କୂଳଶୀଳା
ସଂସ୍କୃତି ସମ୍ଭାଳି ସରମ କରାଳି
ଶଶକ୍ତିକରଣ ଜ୍ଵାଳା ।
ପୁରୁଷ ରାଜ୍ୟରେ ଅମାତ୍ୟ ନଷ୍ଟରେ
ତୁଣ୍ଡ ଫିଟେନି ପ୍ରଜାର
ଲୁହବି ନିଜର ମାନେନା ଗୁହାର
ଝରିବାକୁ ସଦା ତତ୍ପର ।
ବିପଦେ ଆପଦେ ଅସ୍ତ୍ର ଧରିବାକୁ
ମତି ଶକ୍ତି ଦରକାର
ଶିକ୍ଷାଦୀକ୍ଷା ସାଥେ ଅର୍ଥ ସ୍ଵାଧୀନତା
ମନୋବଳ ତତୋପର ।
ଯୁଗେ ଯୁଗେ ନାରୀ ସଂହାରକାରିଣୀ
ଡେଉଁଗଲେ ତିନିଗାର
ଅବଳା ଦୁର୍ବଳା ଦୂରେ ଫିଙ୍ଗି ଦିଅ
ସମାଧାନ ସୂତ୍ର ଧର ।
ପୁରୁଷ ପିଠିରେ ଲାଉ ହେବ। ଛାଡ଼
ନିର୍ମୁଳିଲତା ନୁହଁ କେବେ
ସବୁରି ବିଭାଗେ ଅଣ୍ଟାଭିଡ଼ି ଆଗେ
ଦେଖେଇ ଦିଅ ଏବେ ।
ସଂସାର ଧାରଣ ଭୃଣ ସଂରକ୍ଷଣ
ନୂତନ ଜୀବନ ଦାତ୍ରୀ
ଆଡ଼ ଆଖି ଦେଖି ତାଡିଆଣ ସଖୀ
କୁପୁରୁଷ ପାଇଁ କାଳରାତ୍ରୀ ।
