ଏକତାର ବନ୍ଧନ
ଏକତାର ବନ୍ଧନ
ଜନ୍ମର ମିଠା ମିଠା ପରଶ
ମୃତ୍ୟୁର ଶୀତଳ ଆଲିଙ୍ଗନ
ଜୀବନର ପଥେ ପଥେ
ଏକ ନିରାଟ ସତ୍ଯର ଅବଲୋକନ ।
ପଞ୍ଚଭୂତେ ଗଢା ହାଡ, ମାଂସର ଏ ମଣିଷ ,
ଲହୁ ଲୁହ କରି ଏକାକାର
ମାୟା ମରୀଚିକା ପଛେ ଧାବିତ
' ମୁଁ ' ତ୍ବର ବୋହି ଚାଲିଛି ବୋଝ
ଅବୋଧ , ନିର୍ବୋଧ ମାନବ
ଭୁଲିଛି ନିଜର ବିବେକ ।
ଈଶ୍ବର ଏକ, ପ୍ରାର୍ଥନା ବି ଏକ
ଧମନୀରେ ବହେ ଏକ ଲହୁର ରଂଗ
ମାଁର ମମତା
ଜାୟାର ପ୍ରେମ ପରଶ
ଭଗିନୀର ସ୍ନେହ ଉପହାର
ଏ ସବୁ ଭାବନା ନୁହେଁ ଯେ ଭିନ୍ନ
ତେବେ କିଂପା ଏ ହତ୍ଯା, ଲୁଣ୍ଠନ, ରକ୍ତପାତ
ମୋର, ମୋର, ତୋର, ତୋର
ନାହିଁ ଅନ୍ତ ଏଇ ସ୍ବାର୍ଥ, ଈର୍ଷା, ଅହଂ ଭାବର
ଏକକୁ ଅନେକ କରିବାରେ
ନିର୍ବୋଧ ମାନବ ଆଜି ସତତ ଚେଷ୍ଟିତ
ଅନେକତାର ଅସି ଘାତେ ଆଜି ଏକତା ଜର୍ଜର ।
ଜନ୍ମରୁ ମୃତ୍ୟୁ ଯାଏ ଜୀଇଁବାକୁ ଅଛି ଏକଇ ଜୀବନ
ବନ୍ଦ କର ତେବେ ଏ ମିଛ ପ୍ରହସନ
ଶୁଣ ଥରେ ମାଟି ମା' କରେ ରୋଦନ
ନିଜ ସନ୍ତାନର ଦେଖି ରୁଧିର ସ୍ନାନ
ପାର ଯଦି ଭୁଲି ତବ ଅଭିମାନ
କର ଏକ ସୁନ୍ଦର ସ୍ବର୍ଗର ନିର୍ମାଣ
ସ୍ବର୍ଗୀୟ ସୁଖର କରି ଆସ୍ବାଦନ
ଏକତାର ବନ୍ଧନେ ବାନ୍ଧି ଦିଅ ସଭିଁଙ୍କ ମନ ।