ଲୋହିତ ଗୋଧୂଳି
ଲୋହିତ ଗୋଧୂଳି
ଅସ୍ତରବିର ଅସ୍ତରାଗ ରଙ୍ଗରେ,
ପ୍ରତିଚୀ ଗଗନ ନିଜକୁ ରଙ୍ଗାଉ ଥାଏ,
ଗାଁ ଦାଣ୍ଡ ଲୋହିତ ଗୋଧୂଳି ରେ,
ନିଜ ଦେହେ ମାଖି ନିଜକୁ ସଜାଉଥାଏ।
ସବୁଜ ବନାନୀ ହସେ ସେ ରଙ୍ଗେ,
ପଲାଶହସେ, କୃଷ୍ଣ ଚୁଡ଼ା ବି ହସେ,
ଘର ବାହୁଡ଼ା ଚଷାପୁଅ ମୁହଁରେ ହସ ଖେଳେ,
ତୁଳସୀ ଚଉରାମୂଳେ ସଞ୍ଜବତୀ ବି ହସେ,
ଲୋହିତ ଗୋଧୂଳି କେଜାଣି କି କିମିଆ କରେ,
ପ୍ରାଚୀତଟେ ଉଦିତ ଜହ୍ନ ବି ହସୁଥାଏ,
ଚଢେଇ ଛୁଆର କିଚିରି ମିଚିରି ଶବଦେ,
ଗାଁ ଆକାଶରେ ଆଖି ମେଲି ରାତିବି ହସୁଥାଏ।
ହେଲେ ସହର ଆକାଶର ଧୂଳି, ଧୂଆଁ ରେ,
ଲୋହିତ ଗୋଧୂଳି ର ହସ ଫିକା ଲାଗୁଥାଏ,
ଘର ଫେରନ୍ତା ମଣିଷର ହସ ହଜି ଯାଇଥାଏ,
ଲୋହିତ ଗୋଧୂଳି ସେ ସହର ର ଭିଡ଼ ଭିତରେ,
ନିଜ ଅସ୍ତିତ୍ଵ ହରାଇ ନିଜକୁ ନିଜେ,
ଖୋଜିବାର ବୃଥା ଚେଷ୍ଟା କରୁଥାଏ।
