କେମିତି ସହିଛ ମାଆ ତୁମେ ?
କେମିତି ସହିଛ ମାଆ ତୁମେ ?
~୧~
ସକାଳେ ସାନ୍ଧ୍ୟା ଆଉ ରାତିରେ ,
ଯେ ଖୋଜେ ମାଆଙ୍କୁ ,
କିପରି ସେ ବଞ୍ଚିବ ମାତୃ ବିୟୋଗେ ?
ଏମିତି ଦେଖିଛି କେତେ ପିଲା ,
ମାଆ ବାପା ନାହାଁନ୍ତି ତାଙ୍କର ।
ହେଲେ ସେମାନେ ସବୁ ବଞ୍ଚନ୍ତି ,
ଆଖି ଲୁହ ମନ କୋହ ସବୁ ଚାପି ।।
~୨~
ହେଲେ ମୁଁ ଜାଣେନି,
ମୋର ଅବସ୍ଥା ହେବ କିପରି ?
ଦେହ ଟିକେ ଖରାପ ହେଲେ ,
ମାଆ ପାଖ ଯେ ନ ଛାଡେ !!
କେମିତି ବଞ୍ଚିବି ମାଆ ତୁମ ବିନା ?
ଭାବିଲେ ଘୁରାଏ ମୁଣ୍ଡ ଏଠି ।।
~୩~
ଏଡ଼େ ବଡ଼ ଦୁନିଆରେ ନାହିଁ ,
ଜଣେ କେହି ଯେ ବୁଝିବ ମୋତେ ?
ସମସ୍ତଙ୍କୁ ତାଙ୍କ ମାଆ ପ୍ରିୟ ଲାଗେ !!
ହେଲେ ମାଆ ବିନା ଲାଗେ ଯେପରି
ଦୁନିଆ ଘୋର ଅନ୍ଧାର ବିରାଟ କୂପ ପରି,
ମାଆ ବିନା ମୁଁ ସମ୍ପୂର୍ଣ୍ଣ ଅଚଳ ।।
~୪~
ସେ ଖାଲି ଜନ୍ମ ଦେଇ ହୋଇନି ଜନ୍ମଦାତ୍ରୀ ,
ସ୍ନେହ ମମତାର ଗଙ୍ଗା ଜଳେ,
କରିଛନ୍ତି ଆମ୍ଭର ପୋଷଣ,
ଲାଳନ ପାଳନ ନୀତି ଶିକ୍ଷା ସଂସ୍କାରେ,
କରିଛନ୍ତି ଆମ୍ଭର ବିକାଶ ,
ତାଙ୍କ ଦୀକ୍ଷାରେ ଆଜି ମୁଁ ଦୀକ୍ଷିତ ।।
~୫~
କେତେ ଥର ତୁମେ ଦେଇଛ ଜୀବନ ଦାନ ,
ଏ ଜୀବନ କାଳେ ନ ଭୁଲିବି କେବେ !!
ମାଆ ତୁମେ ଥିଲ ବୋଲି ବଞ୍ଚିଛି ମୁଁ ଆଜି ।।
ବଞ୍ଚାଇଲ ମୋତେ ନିଷ୍ଠୁର ନିର୍ଦୟ କ୍ରୁର କବଳୁ ।।
~୬~
ଏମିତି ତ ଏ ଦୁନିଆରେ
ଲୋକେ କେତେ କଣ ଦିଅନ୍ତି ଉପମା ।
ମାଆ ଠାରୁ କେ ନାହିଁ ବଡ଼ ।
ମା' ଋଣ ନ ସୁଝିପାରେ କେହି ?
ସ୍ୱୟଂ ଭଗବାନ ମାଆ ମମତା ଆଗେ,
ପଡ଼ନ୍ତି ବନ୍ଧା, ହୁଅନ୍ତି ଅଚଳ ଵିଵଶ ।।
~୭~
ହେଲେ ମା' ସତରେ କଣ ଆଜି ,
କେହି ପୁଜୁଛି କି ତୋତେ ?
ମାଆର ଅକୁହା ବେଦନା ...
କେ କରି ପାରେ ହୃଦବୋଧ ?
ନିଜ ଛୁଆ ପାଇଁ ଲଢ଼ିଯାଏ ଯେ ,
ଈଶ୍ୱରଙ୍କୁ ମଧ୍ୟ ଛାଡେନା ଯିଏ ।।
ସେହି ଛୁଆ ଆଜି ବଡ଼ ହୋଇ ଯେବେ,
ମାଆକୁ କନ୍ଦାଏ ଅପମାନିତ କରେ,
ଲାଂଛନାର ନିଆଁରେ ଜାଳି ମାରେ,
ଶୁଣିଛ କି କେବେ ସେହି ମାଆର
ବୁକୁ ଫଟା ରୋଦନ, କ୍ରନ୍ଦନର ସ୍ୱର ?
~୮~
ପୁଅମାନେ ଆଜି ନ ଚିନ୍ହି ପାରନ୍ତି ମାଆକୁ
ମାଆ ପାଖରେ ଅଛି କଣ ଆଉ ?
କଣ ଅଧିକା ତୁମେ କରିଛ ମାଆ ?
ଆମେ ଆଜି ସବୁ ନିଜ ଗୋଡ଼ରେ ନିଜେ ଛିଡ଼ା ।
ଦରକାର ନାହିଁ ଆଉ ତୁମ ସ୍ନେହ, ମମତା ।।
ଏବେ ଆମେ ଚାଲିଲୁ ଆମ ଦୁନିଆକୁ ,
ରଙ୍ଗୀନ ଦୁନିଆର ରଙ୍ଗୀନ ନାୟିକା ପାଖେ ।।
~୯~
ଆଜି ମାଆ ଜରାଜୀର୍ଣ୍ଣ ଆଉ ବ୍ୟାଧିଗ୍ରସ୍ତ ।
କିଏ କରିବ ତୁମର ସେବା ଆଉ କାମ ?
ପୁଅ କହୁଛି - ମାଆ ଭଲ ଲାଗୁନ ଆଉ ତୁମେ ।
ନା , ନା, ତୁମେ ଆଉ ଭଲ ମାଆ ନୁହଁ ।।
ସବୁ ଭୁଲ ତୁମର ମାଆ ।।
କିଛି ବି ଆମ ପାଇଁ କରିନାହଁ ତୁମେ ।।
ତୁମେ କିମ୍ପାଇଁ ଏ ଘରେ ରହିଛ ?
କି ପ୍ରୟୋଜନ ତୁମ୍ଭର ଆଉ ଆମ ଜୀବନେ ??
ଯେବେ ଛାଡି ଚାଲିଯିବ ଏ ଘର ତୁମେ,
ସେବେ ଆମେ ଫେରି ଆସିବୁ ଏ ଘର ଆମ୍ଭର ।।
~୧୦~
ଏମିତି ଚଣ୍ଡାଳ ହେଇଛନ୍ତି କିଛି କିଛି,
ଅନେକ ପରିବାର ଘରେ ଊଣା ଅଧିକେ ।।
ଟଙ୍କା ଘର ଗାଡି ଆଉ ସ୍ତ୍ରୀ ,
ହୋଇଛି ତାଙ୍କର ସବୁକିଛି ।।
ତାଙ୍କ ପାଇଁ ସବୁ ସମୟ ଅର୍ଥ ଆଜି ହୁଏ ସ୍ୱାହା ।।
ଘରେ ବାପା ମାଆ ବୁଢ଼ା ବୁଢ଼ୀ ହୋଇ ।
ପଡ଼ିଛନ୍ତି ଆଜି ହୋଇ ଶଯ୍ୟାଶାୟୀ ।।
~୧୧~
ହେଲେ ମାଆ ଯେତେ ପର୍ଯ୍ୟନ୍ତ ଅଛି ମୁଁ ...
ରହିଥିବି ତୁମ ପାଖେ ପାଖେ ।।
କରୁଛି, କରିବି ସବୁ ସେବା ତୁମର !
ହାତ ଗୋଡ଼ ଚାଲୁଥିବା ଯାଏଁ ।।
ମୁଁ ବି ଆଜି ଏ ନିଷ୍ଠୁର ପାଷାଣ୍ଡଙ୍କ ପାଇଁ ,
ହେଲି ନିଃସ୍ବ ଆଉ ରୋଗଗ୍ରସ୍ତ ।।
ହେ ଈଶ୍ୱର, କୃପା କର ପ୍ରଭୁ ଏବେ,
ସମାପ୍ତ କର ଏବେ ଜୀବନ ଘଟିକା ଆମ୍ଭର ।।
ଆଉ ନ ସହି ହୁଏ ଏ ପୀଡ଼ା ।।
ତୁମ ପାଦ ତଳେ ଦିଅ ପ୍ରଭୂ ଟିକେ ଆଶ୍ରା ।।
ଏତିକି ଗୁହାରି ମୋର ଶୁଣ ହେ ପ୍ରଭୁ ।।
ହରିନିଅ ପ୍ରଭୁ ଏଇ ଜୀବନ ଆମର ।।
© ଧରିତ୍ରୀ ମଲ୍ଲିକ୍ , ଭୁବନେଶ୍ୱର