କଥାଟିଏ କହୁଁ କଥାଟିଏ
କଥାଟିଏ କହୁଁ କଥାଟିଏ
କଥାଟିଏ କହୁଁ କଥାଟିଏ,
ଓଡ଼ିଶାର ଥିଲା ନେତାଟିଏ-
ସାରା ଦୁନିଆରେ ଉଚ୍ଚା କରିଗଲା,
ଆମ ରାଇଜର ମଥା ସିଏ।
ଜନମିଥିଲା ସେ କଟକରେ,
ବଢିଥିଲା କେଡ଼େ ଛଟକରେ-
ପିଲାଦିନୁ ଥିଲା ଭାରି ଦୁଃସାହସୀ,
ଜାଣି ନ ଥିଲା ସେ ଅଟକରେ।
ପାଠ-ଶାଠରେ ସେ ଧୁରନ୍ଧର,
କର୍ମରେ ପ୍ରବୀଣ କର୍ମବୀର-
ନିଜ ଭାଗ୍ୟ ସେ ତ ନିଜେ ଗଢ଼ିଗଲା,
ନାହିଁ ଜମା ତା'ର ପଟାନ୍ତର ।
ଅଦମ୍ୟ-ଉଦ୍ୟମ ବଳେ ସିଏ,
ହେଲା,ବିମାନ ଚାଳକ ଟିଏ-
କେତେ ବେଗ ଆଉ ବାଗରେ ଚାଳିଲା,
ନ ଜଣେ ତାହାର ଗାଥା କିଏ !
ଆପଣା ଦେଶର ସଂଗ୍ରାମୀଙ୍କୁ,
କେତେ ଗୁପତରେ ନେଇ ତାଙ୍କୁ-
ସେ ଦୁର୍ଦ୍ଧର୍ଷ ବୀର ଜାରି ରଖିଥିଲା,
ସ୍ୱାଧୀନ ସଂଗ୍ରାମେ ଆପଣାକୁ।
ଧରା ପଡି ଗଲା କାରାବାସେ,
ଦେଶ ଚିନ୍ତା ଥିଲା ପ୍ରତି ଶ୍ଵାସେ-
ସ୍ୱାଧୀନତା ପରେ ଘର୍ଘର ନାଦରେ,
ପୁନଶ୍ଚ ଉଡିଲା ସେ ଆକାଶେ।
ସ୍ୱାଧୀନତା ପର ଲଢେଇରେ,
କେତେ ବାଗେ ଯାନ ଉଡେଇରେ-
ସେନାଙ୍କୁ ସାହାଯ୍ୟ କରିଥିଲା ସିଏ,
ସେ ଗାଥା ସବୁରି ବଡେଇରେ ।
ଥରେ ଦୂରଦେଶ ରାଷ୍ଟ୍ର-ମୁଖ୍ୟ,
ବିପଦରେ ପଡି ଦେଲେ ଡାକ-
ବିଜୁଳି ବେଗରେ ବିମାନ ଚଳେଇ,
ଉଦ୍ଧରି ରଖିଲେ ଦେଶ ଟେକ ।
କୃତକୃତ୍ୟ ହୋଇ ସେ ଶାସକ,
ଭାଷିଲେ-"ହେ ବୀର ମୋ ରକ୍ଷକ-
ଆଜିଠାରୁ ତୁମେ ଭୂମିପୁତ୍ର ହେଲ,
ଘେନି ଏ ଉପାଧି ମାନ ରଖ ।"
ସେହି ବୀର ଆମ ପ୍ରଦେଶରେ,
ମୁଖ୍ୟମନ୍ତ୍ରୀ ଦିନେ ହୋଇଲେରେ-
କରିଗଲେ କେତେ ମହତ କରମ,
ଇତିହାସ ହୋଇ ରହିଲାରେ ।
ତାଙ୍କରି ଶାସନ ରାଜନୀତି,
ଯୋଗୁଁ ହେଲା ରାଜ୍ୟର ଉନ୍ନତି-
ଦୁଃଖୀ,ରଙ୍କିଙ୍କର ବାପ,ମାଆ ସିଏ,
ଖଳ ଲୋକଙ୍କର ପାଇଁ ଭୀତି।
ରାଇଜବାସୀଙ୍କୁ ପୁଅ-ଝିଅ,
କହି କରୁଥିଲେ ଭାରି ସ୍ନେହ-
ଆବିଳତା ଜମା ନ ଥିଲା ସେଥିରେ,
ତାଙ୍କ ସରି କିଏ ହେବ କୁହ !
ଆମପାଇଁ କାମ କରି କରି,
ଗଲା ତାଙ୍କ ଦିନ ସରି ସରି-
ଶୋଇଗଲେ ଚୀର ନିଦ୍ରାରେ ସେ ଦିନେ,
ସରଗ ରାଇଜେ ଗଲେ ଫେରି।
ତାଙ୍କ ଯଶ-କୀର୍ତ୍ତୀ ଗଲା ରହି,
ଗାଉଅଛି ଯାହା ସାରା ମହୀ-
ମାନବ ଭିତରେ ମହାମାନବ ସେ,
'ବିଜୁବାବୁ' ଆମ ଦେଲି କହି ।
ବି ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।