STORYMIRROR

shibaram dalai

Romance Inspirational

4  

shibaram dalai

Romance Inspirational

ଉଆଁସୀ କନ୍ୟା

ଉଆଁସୀ କନ୍ୟା

3 mins
487


ସବୁଜ ବୃକ୍ଷ ଲତାରେ ପରିପୂର୍ଣ୍ଣ ଜଳୋକା ପାହାଡର ପାଦ ଦେଶରେ ନାଳୀକୂଳ ଏକ ଛୋଟିଆ ଗାଆଁ ।ସେହି ଗାଁ କଡେ କଡେ ଜଳୋକା ପାହାଡର ପାଦ ଛୁଇଁ ଅଙ୍କେଇ ବଙ୍କେଇ ହେଇ ବହି ଯାଇଛି ବିରୂପା ନଦୀ ।ଥରେ ସେହି ପାହାଡର ଜଙ୍ଗଲ ଭିତରକୁ ପଶିଗଲେ ମନେ ହୁଏ ନାହିଁ ସେହି ପ୍ରାକୃତିକ ସୌନ୍ଦର୍ଯ୍ୟ ଠାରୁ ଦୂରେଇ ଯିବାକୁ ।ଚଢେଇ ମାନଙ୍କ କିଚିରି ମିଚିରି ଶବ୍ଦ,କୋଇଲିର କୁହୁକୁହୁ ସ୍ୱର ସାଙ୍ଗକୁ ବିରୂପା ନଦୀର କୁଳୁକୁଳୁ ଶବ୍ଦ ରମେଶକୁ ବେସ ଆନନ୍ଦିତ କରିଥିଲା ।ସେହି ପାହାଡ଼ର ଆର କଡରେ ଗୋବିନ୍ଦପୁର ଗାଁ ।ଦୁଇ ଗାଁର ମଝିରେ ପ୍ରାଥମିକ ବିଦ୍ୟାଳୟଟିଏ ।ସେହି ବିଦ୍ୟାଳୟରେ ରମେଶର ପ୍ରଥମ ଶିକ୍ଷକତା । ସମୟ ମିଳିଲେ ରମେଶ ସେହି ନଦୀ କୂଳକୁ ଯାଇ ପ୍ରକୃତିର ସେ ମନୋରମ ଦୃଶ୍ୟକୁ ମନ ଭରି ଉପଭୋଗ କରେ ।ପଶ୍ଚିମ ଆକାଶରେ ସୂର୍ଯ୍ୟାସ୍ତ ,ପୂର୍ବ ଆକାଶର ସୂର୍ଯୋଦୟ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ।


     ସେଦିନ ସକାଳର ସୁନେଲି କିରଣ ବିରୂପା ନଦୀ ଜଳରେ ପଡି ଚକମକ କରୁଥାଏ ।ରମେଶ ଏହି ଦୃଶ୍ୟକୁ ଉପଭୋଗ କରୁକରୁ ହଠାତ ତାହାର ନଜର ପଡ଼ିଲା ଗୋଟେ ପିନ୍ଧା ବସ୍ତ୍ର ଭିତରୁ ଫାଟି ପଡୁଥିବା ଗୋରା ତକତକ ତରୁଣୀର ଦେହ ଉପରେ ।ତାର ଗୋରା ଦେହ ସାଙ୍ଗକୁ କଳା ମେଘ ପରି ଲମ୍ବା କେଶ , ନୀଳ ନୀଳ ଆଖି , ପଦ୍ମ ପାଖୁଡା ଭଳି ଓଠ ସତେ ଯେପରି ଫିକା କରି ଦେଉଥିଲା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ।ସେଦିନ ସେହି ତରୁଣୀକୁ ଦେଖି ରାତିରେ ତାହାର ନିଦ ହଜିଗଲା ।ପ୍ରତିଟି ମୁହୂର୍ତ୍ତରେ ତା ଆଖି ଆଗରେ ନାଚି ଉଠୁଥିଲା ସେହି ତରୁଣୀର ଛବି । ତା ହୃଦୟର ସ୍ପନ୍ଦନ ପତି ମୁହୂର୍ତ୍ତରେ ସେହି ତରୁଣୀ ବିଷୟରେ ଜାଣିବାକୁ ପ୍ରବର୍ତ୍ତାଉ ଥିଲା । ଏମିତିରେ ଦୁଇ ଚାରି ଦିନ ବିତିଗଲା । ପ୍ରଥମ ଦେଖାରେ ରମେଶ ନିଜ ହୃଦୟକୁ ସେହି ତରୁଣୀ ପାଖରେ ଛାଡି ଦେଇଥିଲା ।


ପରଦିନ ସକାଳୁ ନିଜ ମନକୁ ପଞ୍ଜୁରୀ ଭିତରେ ରଖିପାରିଲା ନାହିଁ , ଧାଇଁଗଲା ସେହି ନଦୀ ତୁଠ ଆଡ଼କୁ ।ପୂର୍ବପରି ଠିକ ସମୟରେ ସ୍ନାନ ପାଇଁ ପହଞ୍ଚି ସାରିଥିଲା ସେହି ତରୁଣୀ । ଦୂରରୁ ଥାଇ ଲକ୍ଷ୍ୟ କରୁଥାଏ ରମେଶ ।ଯୌବନରେ ନୂଆ ନୂଆ ପାଦ ପାଦ ଥାପିଥିବା ତରୁଣୀ ଜଣକ ସ୍ନାନ ସାରି ବାହାରିଲା ।ସେଦିନ ସେ ପୁନେଇଁର ଚାନ୍ଦ ଠାରୁ ଆହୁରି ସୁନ୍ଦର ଦିଶୁଥିଲା । ତାହାର ପିଛା କରି ଘରଟାକୁ ଦେଖି ନେଲା ରମେଶ ।ସ୍କୁଲ ପିଅନ ମଥୁରା ବି ସେହି ଗାଁର ଥିଲା । ତାକୁ ସେହି ଝିଅ ବିଷୟରେ ପଚାରିବାରୁ ମଥୁରା ଏତିକି କହିଲା ସାର ସେ ହେଉଛି ଗୋଟେ ଉଆଁସୀ କନ୍ୟା । ଆଉ ଯେତେ ଯାହା ପଚାରିଲେ ବି କିଛି କହିଲା ନାହିଁ ।


   ପରଦିନ ରମେଶ ଚୁମ୍ବକର ଆକର୍ଷଣ ପରି ସେହି ତୁଠ ପାଖରେ ପହଞ୍ଚି ଗଲା ।ଆଜି ସାହସର ସହ କଥା ହେବାକୁ ନିଷ୍ପତ୍ତି ନେଲା ।ସବୁଦିନ ପରି ଆଜି ବି ଆସିଥଲା ସେ ।ଏତେ ପାଖରୁ କୌଣସି ଯୁବତୀକୁ ଦେଖିନଥିଲା ରମେଶ ।ରମେଶ ଆକାଶର ଚାନ୍ଦକୁ ଚାହିଁଲା ପରି ଚାହିଁରହିଥାଏ ।ଏପରି ଚାହିଁବା ଦେଖି ତରୁଣୀ ଜଣଙ୍କ ପାଖକୁ ଆସି ପଚାରିଲା "ଓ ବାବୁ ଏପରି ଅଭଦ୍ରାମିର ମାନେ କଣ ? ମୁଁ ଦେଖୁଛି କିଛି ଦିନ ହେବ ତୁମେ ମୋର ପିଛା କରୁଛ ? କଣ ଚାହଁ ତୁମେ ? "  ରମେଶ କିନ୍ତୁ ଆଖି ମେଲି ସେମିତି ଚାହିଁରହିଥାଏ ।ତାକୁ ଯୁବତୀର କଥା ସବୁ ନୂଆ ନୂଆ ଲାଗୁଥାଏ, ସେ କଣ ସବୁ କହୁଥାଏ ତାକୁ ଭ୍ରୁକ୍ଷେପ ନ କରି ତାହାର ଓଠର ମାଦକତା, ଆଖିର ଚାହାଣିକୁ ପଥର ପରି ଚାହିଁରହିଥାଏ । ସେ ରମେଶର ମୁଁହ ଆଗରେ ହାତ ହଲେଇ ପ୍ରକୃତିସ୍ଥ କରାଇଲା ।


ରମେଶ :-ମୁଁ ମାନେ.......... ମୁଁ..... ମାନେ...


ତରୁଣୀ :-କଣ ଅଭଦ୍ରଙ୍କ ଭଳି ମୁଁ ମାନେ....ମୁଁ ମାନେ ହଉଛ । ଅଧିକ ଅଭଦ୍ରାମି କରିବାକୁ ଚେଷ୍ଟା କରନି, ନଚେତ ମୁଁ ମୋ ଘରେ ଜଣେଇବାକୁ ବାଧ୍ୟ ହେବି ।


"ରମେଶ ମନେ ମନେ ଭାବୁଥାଏ ଭଲ ହୁଅନ୍ତା ଯଦି ମୋ କହିବା ଆଗରୁ ତୁମେ ତୁମ ଘରେ ଜଣେଇ ଦିଅନ୍ତ ।"

ଏତିକି ଭିତରେ ସେ ସ୍ନାନ ନ କରି ଚାଲିଗଲା ତା ଘରକୁ ।


   ଅଳ୍ପ କିଛି ସମୟ ଭିତରେ ସ୍କୁଲ ପିଅନ ମଥୁରା ଆସି ରମେଶ ସାରଙ୍କୁ କହିଲା ସାର ଆପଣ ଯୋଉଟା କରୁଛନ୍ତି ତାହା ଠିକ ନୁହେଁ ।ସାର ସେ ଗୋଟେ ଉଆଁସୀ କନ୍ୟା ।ଜନ୍ମରୁ ତା ମାଆକୁ ଖାଇଛି ,ଆଉ ଦୁଇ ଦୁଇଟା ବାହାଘର ଜୁଟେଇ ଥିଲି ଯେ ଜଣେ ବାହା ହେବାକୁ ଆସୁ ଆସୁ ଅଧା ବାଟରେ ଦୁର୍ଘଟଣାରେ ପ୍ରାଣ ହରାଇଲା !ଆଉ ଜଣେ ବାହା ବେଦୀରୁ ଉଆଁସୀ କନ୍ୟା ଜାଣି ଚାଲିଗଲା ।ସେହିଦିନ ପରଠାରୁ କୋଣସି ପ୍ରସ୍ତାବ ଆସିଲେ ଗାଁ ମୁଣ୍ଡରୁ ଫେରିଯାଆନ୍ତି ସେମାନେ । ଏତିକି କହିଲା ବେଳକୁ ଆଣ୍ଠୁମାଡ଼ି ଭେଁ ଭେଁ କାନ୍ଦୁଥିଲା ମଥୁରା ।


ରମେଶ ସାର :-ହେଲେ ତୁମେ ଏତେ ସବୁ .....


ମଥୁରା :- ମୁଁ ତାହାର ହତଭାଗା ବାପ 


ରମେଶ ସାର :- ତେବେ ତାହାର କଣ ବିବାହ ଅସମ୍ଭବ ?


ମଥୁରା :- ତାହାର ଜାତକ ନେଇ ଆର ଗାଁ ଅବଧାନଙ୍କୁ ଦେଖେଇଲି ଯେ ସେ କହିଲେ ସେ ଗୋଟେ ଉଆଁସୀ କନ୍ୟା । ତା ରାଶିଟା ଭାରି ଉଚ୍ଚା । ଚଉଠିରାତିରେ ତା ସ୍ବାମୀ ମୃତ୍ୟୁ ଯୋଗ ଅଛି।

   

    ରମେଶ ସାର କିନ୍ତୁ ଏ ସବୁର ବିଶ୍ୱାସ ନକରି ଯଥା ବିଧିରେ ଉଆଁସୀ କନ୍ୟାକୁ ବିବାହ ପାଇଁ ପ୍ରସ୍ତାବ ଦେଲେ । ବଡ଼ ଧୁମଧାମରେ ବିବାହ ସମ୍ପର୍ଣ୍ଣ ହେଲା । ବିବାହର ଆଜିକୁ ସାତ ବର୍ଷ ବିତିଗଲାଣି । ରମେଶ ସାରଙ୍କ ଦୁଇ ଦୁଇଟା ପୁଅ । ସେହିଦିନୁ ଲୋକଙ୍କ ମନରୁ ଉଆଁସୀ ଶବ୍ଦଟା ଉଭେଇ ଗଲା ।ରମେଶ ସାର ଆଜି ସେହି ଜଳୋକାର ଦୃଶ୍ୟ ଦେଖୁଥିଲେ,ଆଜି କାହିଁ ଜଳୋକା ଆଗ ଜଳୋକା ଠାରୁ ଦ୍ୱିଗୁଣିତ ସୁନ୍ଦର ଦିଶୁଥିଲା ।


Rate this content
Log in

Similar oriya story from Romance