ବାପା
ବାପା
ହେଇ ଶୁଣୁଛ ଗୁରୁବାର ଦିନ ଜାଗର ,ତୁମ ବାପା କହୁଛନ୍ତି ପ୍ରତିବର୍ଷ ଭଳି ଏ ବର୍ଷ ବି ମନ୍ଦିର ରେ ଭୋଗ ଭାତ କରି ଗରିବଗୁରୁବାଙ୍କୁ ବାଣ୍ଟିବେ।ଏଥର ଭୋଜିଭାତ ନଦେଲେ ଚଳନ୍ତା ନି ? ଆମର ଗୋଟେ ଝିଅ ,ତାହାର ଭବିଷ୍ୟତ ଦେଖିବା କିନ୍ତୁ ତୁମ ବାପା ଙ୍କ ଗୋଟେ ଜିଦ ସବୁ ବର୍ଷ ପରି ଏବର୍ଷ ଭୋଜିଭାତ ହେବ ।ଜୀବନ ସାରା ମୂଲ ଲାଗି ତୁମ ପାଇଁ କଣ ରଖିଦେଇଛନ୍ତି ଯେ ଏମିତି ଜିଦ ଧରିଛନ୍ତି ।ତୁମର ଏ କନେଷ୍ଟବଳ ଚାକିରୀ ରେ କେତେ ଦରମା ଯେ ସେଥିରେ ତ ଆମକୁ ନିଅଁଣ୍ଟ ବାପା ପୁଣି ଏପରି ଜିଦ ।ମୋତେ ତୁମ ବାପା ଙ୍କ କାମ ସବୁ ଭଲ ଲାଗୁନି ।ନିଜର ତ ରୋଜଗାର ବୋଲି କିଛି ନାହିଁ ।ପୁଅ ରୋଜଗାର ରେ ବସି ବସି ଗେଫା ମାରୁଛନ୍ତି ।କୁଟା ଖଣ୍ଡକୁ ଦିଖଣ୍ଡ କରିବାର ସାମର୍ଥ୍ୟ ନାହିଁ ,ସେଥିରେ ପୁଣି ନାହିଁ ନ ଥିବା ଜିଦ ।
ଠକ ଠକ ଠେଙ୍ଗା ଶବ୍ଦ କରି ଘର ଭିତରକୁ ପସି ଆସିଲେ ମୋହନ ବୁଢ଼ା ।ଠେଙ୍ଗା ର ଶବ୍ଦ ଶୁଣି ଦୁହେଁ ନିରବ ହେଇଗଲେ ।
ମୋହନ :- ଆରେ ଶଙ୍କର ମୁଁ ତୋତେ ତ ଅପେକ୍ଷା କରିଥିଲି । ତୋ ସହିତ କିଛି କଥା ହେବାର ଥିଲା ।
ଶଙ୍କର :- କି କଥା କହିବେ ବାପା ?
ମୋହନ :- ମୁଁ ଆମ ସୁରନନା ଙ୍କ ଠୁ ସବୁ ବୁଝି ଆସିଛି ।ଆଉ ସବୁ ବର୍ଷ ପରି ଏ ବର୍ଷ ଜାଗର ରେ ପ୍ରସାଦ ବାଣ୍ଟିବା ।ସୁର ନନା କହୁଥିଲେ ଆନୁମାନିକ ଆଠ ଦଶ ହଜାର ଟଙ୍କା ଲାଗିବ ।ଆଉ ଏଥିରେ ତୋ ମତ କଣ ?
ଶଙ୍କର :- ଯାଉନ ବାଣ୍ଟିବ ।ତୁମ ପାଖରେ ଯଦି ଟଙ୍କା ଅଛି ତେବେ ପ୍ରସାଦ ବାଣ୍ଟିବ ନଚେତ ମୁଁ ସଫା ସଫା କହି ଦେଉଛି ମୋର ଏ ଅଯଥା ଖର୍ଚ୍ଚ ରେ ମୁଣ୍ଡ ପୁରେଇବାର ନାହିଁ ।
ମୋହନ ବୁଢ଼ା :- ଆରେ ତୁ ଏମିତି କହନା ରେ ମୋର ମାନସିକ ବ୍ରତ ଟା ଭାଙ୍ଗିଯିବ ।ମୁଁ ମଲାଯାଏ ଏ ବ୍ରତ କରିବାକୁ ମାନସିକ କରିଥିଲି ।
ବୋହୁ ସୁଲୋଚନା :- ଯାଉନ ମରିବ ,ଆମକୁ ଏମିତି ହଟହଟା କରୁଛ କାହିଁକି ? ଆମର ବି ତ କିଛି ମନ ଅଛି , ତାହା ତ ପୁରା ହେଉନି ତଥାପି ଥରେ ମୋ ଝିଅ କଥା ଚିନ୍ତା କର ? ପୁଅ ପାଇଁ ଏମିତି କଣଟା ରଖି ଦେଇଛ ଯେ ମାନସିକ କରି ଦେଇଛ ?
ବୁଢ଼ା :-ସେମିତି କୁହନା ବୋହୁ । ଦବା ନବା ତ ସେ ଏକା ବୁଝୁଛି।ସେହି ଶିବ ଶଙ୍କର ହିଁ ସବୁକିଛି ।ବାକି ରହିଲା ରଖିବା କଥା । ମୁଁ ଆଉ ରଖିବି ବା କଣ ।ଶଙ୍କର କୁ ଦୁଇ ଗୋଡ଼ରେ ଛିଡା କରେଇଛି ସେହି ମୋର ସମ୍ବଳ ।
ସୁଲୋଚନା :- ଓ ସତେ ଯେମିତି ୟାଙ୍କୁ କଲେକ୍ଟର ବନେଇ ଦେଇଛ ।
ଶଙ୍କର :- ବାପା ,ମୋର ଚେଷ୍ଟା ପରିଶ୍ରମ ବଳରେ ମୁଁ କନଷ୍ଟେବଳ ଚାକିରି ଟେ କଲି ।ବାକି ରହିଲା ବହି ପତ୍ର କିଣା, ଆଉ ବଡ କରିବା କଥା ।ସେଇଟା ସବୁ ବାପାଙ୍କ ଭଳି ତୁମର କର୍ତ୍ତବ୍ୟ । ଆଉ ତା ବଦଳରେ ମୁଁ ବି ଢେର ତୁମକୁ ଦେଇ ସାରିଛି ।
ପୁଅ ଠୁ ଏପରି କଥା ଶୁଣି ସାରିବା ପରେ ନିଜକୁ ନିଷ୍କ୍ରିୟ ମନେକଲା ମୋହନ ବୁଢ଼ା ।
ଦୁଇ ଦିନ ବିତି ଗଲା ।କାଲି ଜାଗର ,ମୋହନ ବୁଢ଼ା ପୁଅ ପାଖକୁ ଆସି ପଚାରିଲା ।ପୁଅରେ କାଲି ଜାଗର ।ମୁଁ ଯୋଉ କଥା କହିଥିଲି କଣ ହେଲା ?
ଶଙ୍କର :-ବାପା , ତୁମେ କଣ ଥରକେ ବୁଝି ପାରୁନ ଯେ ବାରମ୍ବାର ବୁଝେଇବି ।ତୁମ ବୋଝଟା ତ ମୁଁ ସମ୍ଭାଳିଛି ।ତା ପରେ ଏ ଭୋଜି ଭାତର ବୋଝ ମୋ ଉପରେ ଲଦୁଛ ।
ମୋହନ ବୁଢ଼ା ଏବେ ବୁଝି ସାରିଥିଲା ବାପା ମାନେ ବୁଢ଼ା ହେଇଗଲେ ପୁଅ ପାଇଁ ଗୋଟେ ବୋଝ ହେଇ ଯାଆନ୍ତି ବୋଲି ।
ସୁଲୋଚନା :- ହେଇଟି ଶୁଣ ,ତୁମେ ଗୋଟେ କାମ କର ,ଏ ବୁଢ଼ା ସେମିତି ରେ ଆମ ଉପରେ ବୋଝ ,ତା ସାଙ୍ଗକୁ ବଦ ଖର୍ଚ୍ଚ କରିବା ପାଇଁ ଜିଦ ।ମୁଁ ଆଉ ଏ ବୋଝ କୁ ମୁଣ୍ଡେଇ ପାରିବିନି ।ପାରୁଛ ଯଦି ତାଙ୍କୁ ନେଇ ଗୋଟେ ଭଲ ବୃଦ୍ଧାଶ୍ରମ ରେ ଛାଡିଦିଅ ନଚେତ ମୁଁ ମୋ ଝିଅକୁ ନେଇ ବାପ ଘର ଚାଲିଯିବି ।
*ଏମିତି ରେ କିଛି ଦିନ ବିତିଗଲା* ।ମୋହନ ବୁଢ଼ା କୁ ବୃଦ୍ଧାଶ୍ରମ ରେ ଛାଡି ଦେଇ ଆସିଲେ ପୁଅ ବୋହୂ ।ବହୁତ ଦିନ ମନ୍ଦିର ନ ଆସିବା ଦେଖି ପୂଜାରୀ ନନା ଶଙ୍କର ଘରେ ପହଞ୍ଚିଲେ ।
ନନା :- ଶଙ୍କର ,ଶଙ୍କର ଘରେ ଅଛୁ କିରେ ?
ଶଙ୍କର :-ହଁ ନନା ମୁଁ ଘରେ ଅଛି ।କଣ ହେଲା ଯେ ତୁମେ ଆମ ଘରେ ?
ନନା :- ଆରେ ବାପା ଙ୍କ ଦେହ ଠିକ ଅଛି ତ ? ସେ କଣ ଆଉ ମନ୍ଦିର ଯାଉ ନାହାଁନ୍ତି ? କଣ ହେଇଛି ତାଙ୍କର ?
ଶଙ୍କର :-ସେ ଆଉ ଆମ ସହିତ ରହୁ ନାହାନ୍ତି ।
ନନା :- ରହୁନାହାନ୍ତି,ହେଲେ କଣ ପାଇଁ ? ତେବେ ସେ ରହୁଛନ୍ତି କୋଉଠି ?
ଶଙ୍କର :- ବୃଦ୍ଧାଆଶ୍ରମ ରେ
ନନା:- ବୃଦ୍ଧାଆଶ୍ରମ ରେ ହେଲେ .........
ସୁଲୋଚନା :- ନନା ,ବାପା ଆମ ସହ ରହିବାକୁ ଅମଙ୍ଗ ହେଲେ ଆଉ ନିଜେ ବୃଦ୍ଧାଆଶ୍ରମ ରେ ରହିବାକୁ ସ୍ଥିର କଲେ ।
ନନା :- ମୁଁ ଯେତିକି ଜାଣିଛି ସେ କେବେ ଏପରି ନିଷ୍ପତ୍ତି ନେଇ ନଥିବ ।ତୁମେ ନିଶ୍ଚୟ ମୋତେ କିଛି ଲୁଚାଉଛ । ସତ କୁହ କଣ ଘଟଣା ।
ଶଙ୍କର :- ନନା ,ବାପା କହୁଥିଲେ ଏ ବର୍ଷ ଜାଗର ରେ ମାନସିକ ଭୋଗ ରାନ୍ଧି ବାଣ୍ଟିବାକୁ ।ଏ ସ୍ୱଳ୍ପ ଦରମା ରେ ଆମ ପେଟ ଉପାସ ରହୁଛି ସେଥିରେ ପୁଣି ମାନସିକ ।ହୁଁ........
ନନା:- ଆରେ ସେଥିପାଇଁ ତାଙ୍କୁ ନେଇ ବୃଦ୍ଧାଆଶ୍ରମ ରେ ଛାଡ଼ିଦେଲୁ ,ବେଶ ଭଲ କଲୁ ।ସେ ତୋ ପାଇଁ, ତୋ ଭବିଷ୍ୟତ ପାଇଁ ମୋ ସମ୍ମୁଖରେ ମାନସିକ କରିଥିଲେ ରେ ।ପ୍ରକୃତରେ ତୁ ସାବ୍ୟସ୍ତ କରିଦେଲୁ ରକ୍ତ ହେଉଛି ରକ୍ତର ।ପର କେବେ ଆପଣାର ହେଇପାରେନା ।
ଶଙ୍କର :- ମାନେ ?
ନନା :- ମାନେ ଶୁଣିବୁ ଶୁଣ । ତୁ, ତାହାର ନିଜ ରକ୍ତ ର ନୁହଁ ।ସ୍ୱାମୀ ସ୍ତ୍ରୀ ଦୁହେଁ କେତେ ଓଷା ବ୍ରତ କରିଥିଲେ କୋଳରେ ପିଲାଟିଏ ପାଇବାକୁ ।ସବୁ ପରେ ବି ତାହା ସମ୍ଭବ ହେଲା ନାହିଁ । ସେଦିନ ଥିଲା ଜାଗର । ବଡିଭୋରୁ ପୂଜା ପାଇଁ ମୁଁ ମନ୍ଦିର ଆସିଥାଏ । ରକ୍ତ ନାଡ଼ ଲାଗିଥିବା ପୁଅଟିଏ ମନ୍ଦିର ବେଢ଼ା ରୁ ପାଇ ମୁଁ ତା ହାତକୁ ଟେକିଦେଲି ।ସେ ବି ପିଲାଟିକୁ ବହୁତ ଖୁସିର ସହ କୋଳକୁ ନେଇ ସେହିଠାରେ ମାନସିକ ଯାଚିଦେଲା ।ନିଜ ଲୁହ ଲହୁ ନିଗାଡି ପିଲାଟିକୁ ପାଳିଲା ।ଜାଣିଛୁ ସେ ପିଲା ଟି ହେଉଛି "ତୁ "।
ଏକଥା ମୁଁ ହିଁ ଜାଣେ ।ତୁମକୁ ଶିବ ମନ୍ଦିର ରୁ ପାଇଥିବାରୁ ମୁଁ ତୋ ନାଁ ଦେଇଥିଲି ଶଙ୍କର ।
ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଆଖିରୁ ପଶ୍ଚାତାପ ର ଅଶ୍ରୁ ନିଗିଡି ପଡୁଥିଲା ଏବଂ ନିଜକୁ ସେ ଭଗବାନ ରୁପୀ ମଣିଷ କୁ ଫେରାଇ ଆଣିବାକୁ ପ୍ରସ୍ତୁତ କରୁଥିଲେ ।
