ଉପହାର
ଉପହାର
ଯେବେଠାରୁ ଦୁଇ ଭାଇଙ୍କ ବାହାଘର ସରିଲା ସେବେଠୁ କାଳିଆ ର ଖୁସିରେ ସତେ ଯେମିତି ପୂର୍ଣ୍ଣଛେଦ ପଡିଗଲା ।ଦୁଇ ବଡ଼ ଭାଇ ସିନା ମାଆ ପେଟର ,ହେଲେ ଭାଉଜ ମାନେ ପରା ଅନ୍ୟ ରକ୍ତ ର ।ସେମାନେ କେମିତି ଅବା ଏ ଅପଙ୍ଗ କାଳିଆକୁ ଆଦର କରିବେ ।କଥା କଥାରେ କାଳିଆ ଟାକୁ ପରିହାସ କରିବା ସେମାନଙ୍କର ନୀତି ଦିନିଆ ଅଭ୍ୟାସ ।ପରିହାସ ଟା ଦିନକୁ ଦିନ ଭାଉଜ ମାନଙ୍କ ଠୁ ଗତି କରି ଭାଇ ମାନଙ୍କ ପାଖରେ ପହଂଚିଲାଣି ।
କାଳିଆ ଆଉ ପରିହାସ କୁ କେତେ ବା ସହି ପାରନ୍ତା । କାକୁତି ମିନତି ହୁଏ କାଳିଆ ଠାକୁର ପାଖରେ ।ହେ ପ୍ରଭୁ ଯଦି ପଙ୍ଗୁ କରିବାର ଥିଲା ତେବେ ଏ ମୂଲ୍ୟହୀନ ଜୀବନ ଦେଲ କାହିଁକି ?ତିଳ ତିଳ କରି ମାରିବା ଅପେକ୍ଷା ଏକାଥରେ ମାରିଦେଲେ ଭଲ ହୁଅନ୍ତା । ତୁମର ସିନା ହାତ ଗୋଡ଼ ନଥାଇ ଚକାଆଖି ମେଲି ସାରା ସଂସାରକୁ ଆୟତ କରୁଛ ।ମୁଁ କିନ୍ତୁ ଅପଙ୍ଗ ହେଇ ପ୍ରତି ମୁହୂର୍ତ୍ତରେ ସାରା ସଂସାରଠୁ କେବଳ ନିନ୍ଦା, ଅପବାଦ ଆଉ ଘୃଣା ପାଉଛି ।
କାଲି ଥିଲା ରକ୍ଷାବନ୍ଧନ।ସବୁ ଭଉଣୀ ମାନେ ନିଜ ନିଜର ଭାଇ ହାତରେ ସମ୍ପର୍କର ଅତୁଟ ବନ୍ଧନ ର ସୁତାଖିଅ ଟିକୁ ବାନ୍ଧିଥାନ୍ତି ।ତୃଷ୍ଣା ନିଜ
ଭାଇ ହାତରେ ସେହି ଅତୁଟ ବନ୍ଧନ ର ସୂତା ଖିଅ ବାନ୍ଧିବାକୁ ବାପ ଘରକୁ ଧାଇଁ ଆସିଥିଲା ।ଦୁଇ ବଡଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ରାକ୍ଷୀ ପାଉଣା ମାଗିନେଲା ।ଯେବେ ସାନ ଭାଇ କାଳିଆ ହାତରେ ରାକ୍ଷୀ ବାନ୍ଧିବାକୁ ଯାଏ ତେବେ ବଡ ଭାଉଜ କହିଲେ ହଁ ଯାଅ ସେ ତ କର୍ମଠ ସାଙ୍ଗେ ସାଙ୍ଗେ ଗାଡିଏ ପାଉଣା ଅଜାଡ଼ି ଦବ ।ସାନ ଭାଉଜ କହିଲେ ଖାଲି ଭାଇ ମାନଙ୍କ ଅନ୍ନ ଧ୍ଵଂସ କରିବା ଛଡ଼ା ସେ ଆଉ ଜାଣିଛି କଣ ? ଯିଏ ଜୀବନ ଯାକ ଭାଇ ମାନଙ୍କ ଉପରେ ବୋଝ ସିଏ କଣ ବା ଅଜାଡ଼ି ଦବ ତା ପାଖକୁ ଯାଉଛ ?ବରଂ ତୁମ ରାକ୍ଷୀ ପଇସା ବି ବୁଡିଯିବ ।କିନ୍ତୁ ତୃଷ୍ଣା ଭାଇ ଭାଉଜ ଙ୍କ କଥାକୁ ଭ୍ରୁକ୍ଷେପ ନକରି ନିଜ ସାନ ଭାଇ ହାତରେ ରାକ୍ଷୀ ବାନ୍ଧିବା କୁ ଚାଲିଗଲା ।
ରାକ୍ଷୀ ବାନ୍ଧି ନିଜ ସ୍ୱାମୀ ସାଥିରେ ଶାଶୂଘର ଫେରୁଥାଏ ।ତୃଷ୍ଣା ଭାବୁଥାଏ ନିଜ ପିଲାଦିନ କଥା । ବାପା ବୋଉ ଥିବା ବେଳେ କେତେ ଗେହ୍ଲା ହେଇଥିଲା ମୋ ସାନ ଭାଇ ।ତାକୁ କେବେ ସେ ଅପଙ୍ଗ ତଥା ପଙ୍ଗୁ ବୋଲି ଭାବିବାକୁ ଦିଆଯାଇନଥିଲା । ହଠାତ ଦ୍ରୁତ ଗତିରେ ମାଡି ଆସୁଥିବା ଯାନଟାଏ ତୃଷ୍ଣା ର ଗାଡ଼ିରେ ଧକ୍କା ଦେଇ ଚାଲିଗଲା ।ଖଣ୍ଡେ ଦୁରକୁ ଦୁହେଁ ଛିଟିକି ପଡିଲେ ।ସ୍ଥାନୀୟ ଲୋକେ ତୃଷ୍ଣା ଓ ତା ସ୍ବାମୀ କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ ।ତୃଷ୍ଣା ସ୍ୱାମୀ ର ବିଶେଷ କିଛି କ୍ଷତି ଘଟି ନଥିଲା ।ତଥାପି ତା ବାମ ଗୋଡ଼ ବୁଢ଼ାଆଙ୍ଗୁଳିର ହାଡ ଫାଟି ଯାଇଥିଲା । କିନ୍ତୁ ତୃଷ୍ଣା ର ସମ୍ପୂର୍ଣ୍ଣ ଶରୀର ଖଣ୍ଡିଆ ଖାବରା ସହ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ୨୪ ଘଣ୍ଟା ପର୍ଯ୍ୟନ୍ତ ଚେତାଶୂନ୍ୟ ଥିଲା ।ଦୁଇ ପରିବାର ଡାକ୍ତରଖାନାରେ ପହଞ୍ଚି ସାରିଥିଲେ ।ଡାକ୍ତର ବାବୁ କହିଗଲେ ଆମେ ଯାହା କରିବାର ଥିଲା କରିସାରିଛୁ ବାକି ଭଗବାନଙ୍କ ଭରଷା ।
ତୃଷ୍ଣା ଡାକ୍ତରଖାନା ବେଡ଼ ଉପରେ ଅଚେତ ଅବସ୍ଥାରେ ସେମିତି ପଡି ରହିଥିଲା । ଉଭୟଙ୍କ ଘରର କିଛି ସଦସ୍ୟ ନିରାଶ ହେଇ ଘରକୁ ଫେରିଲେ ।ଆଉ କିଛି ତା କୋଠରୀ ସମ୍ମୁଖରେ ବସି ରହିଲେ ।ସାନଭାଇ କାଳିଆ ଭି କେଜାଣି କେମିତି ଡାକ୍ତରଖାନାରେ ପହଞ୍ଚି ସାରିଥିଲା ।
କିଛି କ୍ଷଣ ଭିତରେ ତୃଷ୍ଣା ର ଚେତା ଫେରିଲା । ବାଡେଇ ପିଟି ଚିତ୍କାର କରୁଥାଏ ମୋତେ କିଛି ଦେଖାଯାଉନାହିଁ ।ଡାକ୍ତର ବାବୁ ଦୌଡ଼ି ଆସି ପରୀକ୍ଷା କରି ଜାଣିବାକୁ ପାଇଲେ ତୃଷ୍ଣା ର ମୁଣ୍ଡ ରେ ଆଘାତ ପାଇଁ ତା ଆଖି ଦୁଇଟା ନଷ୍ଟ ହେଇ ସାରିଛି ।ଏବେ ଆଉ କିଛି କରିହେବ ନାହିଁ ।ସାନ ଭାଇ ଭାବିଲା ଏ ଜୀବନ ଟା ମୋର ତ ମୂଲ୍ୟହୀନ।ଏ ଆଖି ଦୁଇଟା ଥାଇ କଣ ବା ଲାଭ ।ସେମିତି ରେ ଭଉଣୀ ର ରାକ୍ଷୀ ଋଣରେ ମୁଁ ସର୍ବଦା ରୁଣୀ ।ଏ ଆଖି ଦୁଇଟା କୁଉପହାର ସ୍ୱରୂପ ମୋ ତୃଷ୍ଣା କୁ ଦେଲେ ସେ ଏ ଦୁନିଆଁ କୁ ପୁଣି ଦେଖିପାରିବ ।କାଳ ବିଳମ୍ବ ନକରି କାଳିଆ ଡାକ୍ତର ବାବୁଙ୍କ ସହ ପରାମର୍ଶ କଲା ।
