shibaram dalai

Tragedy

5  

shibaram dalai

Tragedy

ନାଲି ସାର୍ଟ

ନାଲି ସାର୍ଟ

5 mins
434



  ମୋର ଅନିଚ୍ଛା ସତ୍ତ୍ୱେ ବାପା "ମୋର ବାହାଘର ତାଙ୍କ ବାଲ୍ୟ କାଳର ଗାଉଁଲି ବନ୍ଧୁଙ୍କ ପୁଅ ସହିତ ଠିକ କରିଦେଲେ । ମୁଁ ଯେତେ ମନା କଲେ ବି ମୋତେ ସଫା ସଫା କହିଦେଲେ ମୁଁ ଅଭିକୁ କଥା ଦେଇଛି ମାନେ ତୋତେ ତା ପୁଅ ଜୟ କୁ ବିବାହ କରିବାକୁ ପଡିବ, ନଚେତ ମୋ ମଲା ମୁଁହ ଦେଖିବୁ । ମୁଁ ଉଚ୍ଚ ଶିକ୍ଷିତା ଥିବା ବେଳେ ସେ ଥିଲା ଗାଉଁଲି ଚାଷୀଟାଏ । ସେଦିନ ବାପା ଙ୍କ ଜିଦ ଆଗରେ ମୁଁ ସିନା ହାରିଗଲି ହେଲେ ଆଜିକୁ ଦେଢ ବର୍ଷ ହେବ ବିବାହ ସରିଲାଣି, ହେଲେ ଘର ସଂସାର ତ ଦୂରର କଥା ମୋ ଦେହରେ ଟିକିଏ ତା ଛାଇ ପଡ଼ିବାକୁ ଦେଇନି ।


  ମୋର ଇଚ୍ଛା ଥିଲା ମୋତେ ଯିଏ ବିବାହ କରିବ ସେ ନିଶ୍ଚୟ ମୋ ପରି ଉଚ୍ଚ ଶିକ୍ଷିତ, ସରକାରୀ ଚାକିରୀଆ ଆଧୁନିକ ସମାଜ ର ହେଇଥିବ । କିନ୍ତୁ ମୋ ଇଚ୍ଛା ସବୁ ପାଣି ଫୋଟକା ଭଳି ମିଳେଇ ଗଲା ।ଯେତେ ଖାପଖୁଆଇ ଚଳିବା କୁ ଚେଷ୍ଟା କଲେ ବି ଜୟ ର ମୁଁହ ଚାହିଁଲେ ମୋ ମନରେ ତା ପ୍ରତି ଘୃଣା ମହୁଫେଣା ଭଳି ବସା ବାନ୍ଧି ସାରିଥିଲା । ସାଙ୍ଗ ମାନଙ୍କ ସହ ଦୂର ଯାତ୍ରା କରି ଯେତେ ମନ ଫ୍ରି କଲେ ବି ମୋ ଭିତରେ କିଛି କମ ଅନୁଭୂତ କରୁଥିଲି । ମୁଁ ସେ ଗାଉଁଲି ମଫକୁ ଯେତେ ଘୃଣା କଲେ ବି ତା ଉପରେ କିଛି ଫରକ ପଡେନାହିଁ ।ମୁଁ ଯେତେ ତା ଉପରେ ଚିଡୁଥାଏ ସେ ସେତିକି ସେତିକି ମୋତେ ଭଲ ପାଉଥିଲା । ମୋର କଟୁ କଥା ଯେମିତି ଚନ୍ଦନ ପରି ଲେପି ହେଉଥିଲା ।


   ଶେଷରେ ସବୁ ଦିନ ପାଇଁ ତା ଠୁ ଦୁରେଇ ଯିବାର ନିଷ୍ପତ୍ତି ନେଲି । ତା ଘରେ ଦିନଟେ କାଟିଲେ ଚାରିଦିନ ବାପଘରେ କାଟିଲି । ତଥାପି ସେଥିରେ ସେ ଖୁସି ଥିଲା ।ମୋର ଛୋଟ ବଡ଼ ଇଚ୍ଛା କୁ ସେ ମନ ପ୍ରାଣ ଦେଇ ପୂରଣ କରୁଥିଲା ।କେତେଥର ତା ନାଁ ରେ ମିଛ କହି ରାଗିକି ଘରୁ ପଳେଇଛି ତାର ହିସାବ ନାହିଁ ।ଫଳ ସ୍ୱରୂପ ମୋତେ ବୁଝେଇ ସୁଝେଇ ବାପା ବୋଉ ତା ଘରକୁ ପଠେଇ ଦିଅନ୍ତି ।


    ଏଥର ତା ଠୁ ସମ୍ପୂର୍ଣ୍ଣ ସ୍ବାଧୀନ ହେବାର ଉପାୟ ପାଇଗଲି। ମୋର ସମସ୍ତ ଆସବାପତ୍ର ଧରି ପୁଣି ବାପ ଘରକୁ ଚାଲିଗଲି । ବାପା ବୋଉ ଜାଣି ନ ଥିବା ତାର ମୋର ଭିତର ସମ୍ପର୍କ ବିଷୟରେ ତା ନାଁରେ ଗୋଟେ ବଡ଼ ମିଛ ଅଭିଯୋଗ ଆଣିଲି ।


  ମାଆ ଆଗରେ କୁମ୍ଭୀର କାନ୍ଦଣା କାନ୍ଦି କହିଲି ଯେ ସେ ଗୋଟେ ଅଣପୁରୁଷା। ତା ସହିତ ମୁଁ ତିଳେହେଲେ ରହି ପାରିବି ନାହିଁ । ବିବାହ ର ଦେଢ ବର୍ଷ ବିତିଯାଇଥିଲା । ତେଣୁ ଅଜ୍ଞାନ୍ତବାପା ବୋଉ ବି ଝିଅ କଥାରେ ସହମତି ଜଣାଇଲେ । କିନ୍ତୁ ମୋ ବାପା ମନରେ କିଛି ଅଲଗା ଭାବ ଜାତ ହେଲା । ଶେଷରେ ଜୟ କୁ ଥରେ ପଚାରିବେ ବୋଲି ମନସ୍ଥ କରି ତାକୁ ଘରକୁ ଡକେଇଲେ ।

  ଜୟ ବି ଘରେ ଆସି ପହଁଚିଲେ । ତା ଠୁ ଦୂରେଇ ଯିବାର ଆଶା ନେଇ ମୁଁ ଜୟ କୁ ଅନେକ ଘୃଣ୍ୟ କଥା କହିଲି ।ନମ୍ପୁସୁକ, ଅଣପୁରୁଷା ଏପରି ଶବ୍ଦ ତା ମନରେ କିଛି ଫରକ ପକାଉନଥିଲା । ସବୁ ଦୋଷକୁ ମଥା ପାତି ସହି ନେଉଥାଏ ଜୟ । ମୁଣ୍ଡ ତଳକୁ କରି ବସି ରହିଥିବା ଜୟ ଆଖି କୋଣରୁ କେଇବୁନ୍ଦା ଲୁହ ଜକେଇ ଆସୁଥାଏ ।କାଁହକି କେଜାଣିବାପା ଙ୍କ ମନରେ ତା ପ୍ରତି ଟିକିଏ ଦୟା ଆସିଲା । ଆଉ ଶେଷ ଥର ପାଇଁ ତୁମ ସହ ପଠେଇବି ବୋଲି ନିଷ୍ପତ୍ତି ନେଲେ ।


  ମୁଁ କିନ୍ତୁ ସେ ଘରକୁ ଯିବାପାଇଁ ସମ୍ପୂର୍ଣ୍ଣ ଅମଙ୍ଗ ଥିଲି ।ତେଣୁ ତା ପାଖରେ ଏକ ବଡ଼ ସର୍ତ୍ତ ରଖିଲି । ସେ ମୋ ବ୍ୟକ୍ତିଗତ ଖର୍ଚ୍ଚ ବାବଦକୁ ମାସକୁ ସାତ ହଜାର ଟଙ୍କା ଦେବାକୁ ପଡିବ ତେବେ ମୁଁ ତା ସାଥିରେ ଯିବି । ବାପା ବୋଉ ମୋ ସର୍ତ୍ତ କୁ ତା ଆଗରେ ପ୍ରକାଶ କଲେ ।

  

  ସେ ଗାଉଁଲି ମଫ ମୋ ସର୍ତ୍ତ ରେ ମୁଣ୍ଡ ହଲେଇ ସହମତି ଜଣାଇଲା । ତାହାର ସହମତି ଦେଖି ମୋ ରାଗ ମୁଣ୍ଡକୁ ଚଢ଼ିଗଲା । ଏଥର ଦେବି ପାନେ ଭାବି ତା ଘରକୁ ଫେରିଲି ।


   ଏମିତି ରେ କିଛି ଦିନ ବିତିଗଲା । ତାକୁ ଯେତେ ହଇରାଣ ହରକତ କଲେ ବି ସେ କିଛି ପ୍ରତିଉତର କରୁ ନ ଥିଲା । ତାର ଖାଇବା ନଖାଇବା ମୋ ମନରେ କିଛି ଫରକ ପକାଉ ନଥିଲା ।


   ଜମିରେ କେତେ ବା ମିଳିବ । ପ୍ରତି ମାସରେ ସାତ ହଜାର ଟଙ୍କା ଦେବାକୁ ପଡିବ ଭାବି ସୁଦୂର ସହରରେ କମ୍ପାନୀ କାମ ଖୋଜିବା ରେ ଲାଗିଲା ଜୟ । ଜଣେ ମୂର୍ଖ କୁ କିଏ ବା ଚାକିରୀ ଦେବ । ଶେଷରେ ଦୂର ସହରକୁ ଦାଦନ ଖଟି ଯିବାକୁ ମନସ୍ତ କଲା । କିନ୍ତୁ ସେ ତା କ୍ଷେତ ବାଡ଼ି ଆଉ ଏକଲା ପତ୍ନୀକୁ ଛାଡି ଯାଇ ପାରିଲା ନାହିଁ। ଶେଷରେ ପାଖ ସହରରେ କିଛି କାମ ଖୋଜି ପାଇଲା ।

    

  ଦେହରେ ଗଞ୍ଜି ପିନ୍ଧି ବିଲରେ ଖଟୁଥିବା ମଫ, କମ୍ପାନୀର ୟୁନିଫର୍ମ ପିନ୍ଧି ସକାଳୁ ବାହାରିପଡ଼େ କାମରେ ।ସବୁମାସର ପ୍ରଥମ ସପ୍ତାହ ରେ ମୋ ହାତକୁ ବଢ଼େଇ ଦେଲା ମୋ ସର୍ତ୍ତ ମୁତାବକ ସାତ ହଜାର ଟଙ୍କା । ଏଥର ବି ସେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ।


  ମୁଁ ମନେ ମନେ ତା ଠାରୁ ଦୂରେଇ ଯିବାର ନୂଆ ଉପାୟ ଖୋଜୁଥାଏ । ଆଗକୁ ନୂଆ ବର୍ଷ ,ମନରେ ଗୋଟେ ଉପାୟ ପାଂଚିଲି। ନୂଆ ବର୍ଷ ପାଇଁ ମୋ ସାଙ୍ଗ ମାନଙ୍କ ସହ ପିକନିକ ଯିବାର ଅଛି ମୋତେ ଦଶ ହଜାର ଟଙ୍କା ଦରକାର, ନଚେତ ସବୁଦିନ ପାଇଁ ମୋ ବାପ ଘରକୁ ଚାଲିଯିବି ଏପରି ଧମକ ଦେଲି । ସେ ମୋତେ କାକୁତି ମିନତୀ ହେଇ କହିଲା ତୁମେ ଯାହା ମାଗୁଛ ମାଗ ,ମୁଁ ତୁମର ସବୁ ଆଶା ସମୟ ମୁତାବକ ପୂରଣ କରିବି କିନ୍ତୁ ମୋତେ କେବେ ଏକୁଟିଆ ଛାଡି ଯିବାକୁ କୁହନି ।ସେମିତିରେ ବାପା ବୋଉ ମୋତେ ଛାଡି ଆର ପାରିରେ ।ତେଣୁ ଏକୁଟିଆ ରହିବା ର ଦୁଃଖ ଆଉ ସହି ହେଉନି । 


   ନୂଆ ବର୍ଷ ପୂର୍ବ ଦିନ ସକାଳୁ ମୋ ହାତକୁ ସେ ଦଶ ହଜାର ଟଙ୍କା ଧରେଇ ଦେଲା । ଖାଦ୍ୟ ପେୟ ରେ ବିଳମ୍ବ ହେଲେ ଟିଫିନ କିଣି ଖାଇନେବ କହି ଆଉ ଶହେ ଟଙ୍କା ଦେଇ ନିଜ କମ୍ପାନୀ କୁ ଚାଲିଗଲା । ଦୁଇପହର କୁ ଆମ୍ଭେମାନେ ପୁରୀ ବାହାରିପଡିଲୁ ।ଅଟୋ ରେ ସବୁ ଆସବାବପତ୍ର ଲଦି ଷ୍ଟେସନ ଅଭିମୁଖେ ଯାତ୍ରା କଲୁ ।ଅଟୋ ପହଁଚିଲା ଷ୍ଟେସନ ପାଖରେ ।ଅନେକ ଗୁଡିଏ ଲଗେଇ ତଥା ଖାଦ୍ୟ ସାମଗ୍ରୀ ଭରା ଥଳି କୁ ଆରପଟ ପ୍ଲାଟଫର୍ମ ନେବାକୁ ଅସମର୍ଥ ଥିଲୁ ।ମୋ ସାଙ୍ଗ ରାନୀ କାହାକୁ ଇସାରା କଲା ଏ କୁଲି ଏ ତକ ଆରପଟ କୁ ନେଇ ଯିବୁ । କୁଲି ଜଣଙ୍କ ଆମ ଆଡ଼କୁ ବୁଲି ପଡ଼ି ଚାହିଁଲା ବେଳକୁ ମୋ ପାଦ ତଳର ମାଟି ଖସି ପଡ଼ିଲା । ଆମ ମାନଙ୍କ ମୁଁହରେ ମାସ୍କ ଥିବାରୁ ସେ ଆମକୁ ସିନା ଚିହ୍ନି ପାରିଲା ନାହିଁ, ମୁଁ କିନ୍ତୁ ଚିହ୍ନି ଗଲି । ସେ ଥିଲା ମୋ ଜୀବନ ସାଥି ଜୟ । ଜୟ ଗାଉଁଲି ମଫ ଥିବାରୁ ସାଙ୍ଗ ମାନଙ୍କ ସହ କେବେ ପରିଚିତ କରେଇ ନଥିଲି । ତେଣୁ ସେମାନେ ତାକୁ ଚିହ୍ନି ପାରିନଥିଲେ ।

  

  କୁଲି ଜଣଙ୍କ ପାଖକୁ ଆସି ପଚାରିଲା , "ଆଜ୍ଞା ମୋତେ ଡାକିଲେ ?


 ହଁ ତୁମକୁ, ଏ ଲଗେଜେ ଆର ପାଖକୁ ନେଇଚାଲ ।


  ଆଜ୍ଞା, ପଚାଶ ଟଙ୍କା ପଡ଼ିବ ।


 ପଚାଶ କାହିଁକି ? କେତେ ଯେ ସାମାନ୍ ,ଏତେ ଟଙ୍କା କହୁଛୁ ?

ତିରିଶ ଟଙ୍କା ଦେବି ।


  ନାହିଁ ଆଜ୍ଞା, ଏତେ ଗୁଡିଏ ଭାରି ଜିନିଷ ....ଆପଣ ମୋତେ ଚାଳିଶ ଟଙ୍କା ଦେବେ ।


ହଉ ବିଳମ୍ବ ହେଉଛି ଜଲଦି ନେଇ ଚାଲ ।


  ମୁଁ ସେମିତି ଜୟ କୁ ଚାହିଁ ରହିଥାଏ । ଏବେ ମୁଁ ବୁଝିଗଲି ସେ ନାଲି ସାର୍ଟ ର ରହସ୍ୟ । ଝାଳ ସରସର ହେଇ ସବୁତକ ଥଳି କାନ୍ଧରେ ଆଉ ମୁଣ୍ଡରେ ମୁଣ୍ଡେଇ ଆରପଟ କୁ ଅଗ୍ରସର ହେଲା । 

  

   ପ୍ଲାଟଫର୍ମ ଆରପଟ ରେ ପହଞ୍ଚିଲା ବେଳକୁ ଟ୍ରେନ ପହଁଚି ଯାଇଥିଲା । ତରତର ହେଇ ଥଳି ଗୁଡିକୁ ମୁଣ୍ଡ ରୁ କାଢିଲା ବେଳକୁ ଗୋଟେ ଥଳି ତଳେ ପଡି ଫାଟିଗଲା ।ରାନୀ ଢୋ କିନା ଚାପୁଡ଼ା ଟେ ତା ଗାଲରେ ଲଗେଇ ଦେଲା । ଗୋଟେ ହାତରେ ଗାଲ ଆଉଁସୁ ଥିଲା, ଆଉ ଗୋଟେ ହାତରେ ବସ୍ତା ସବୁ ଟ୍ରେନ ଭିତରକୁ ଉଠାଉଥିଲା ।


  ଏ ସବୁ ଦେଖି ମୋ ମନରେ ଥିବା ଜୟ ପ୍ରତି ଘୃଣା ସବୁ କେତେବେଳେ ଅହେତୁକ ପ୍ରେମ ର ରୁପ ନେଇ ସାରିଥିଲା ମୁଁ ଜାଣି ପାରିଲି ନାହିଁ ।ରାନୀ ଜୟକୁ ମାରିଥିବା ଚାପୁଡ଼ା ସତେ ଯେମିତି ମୋ ଗାଲରେ ବସି ଯାଇଥିଲା ।ସବୁ ଥଳି ଟ୍ରେନ ଉପରକୁ ଚଢ଼ିଗଲା ।ଛଳଛଳ ଆଖିରେ ଜୟ କହିଲା ମ୍ୟାଡ୍ୟାମ ମୋ ପାଉଣା ?


   ରାନୀ ଆଉ ସବିତା ଏକା ସ୍ୱରରେ କହିବା କୁ ଲାଗିଲେ ପାଉଣା ନା ଫାଉଣା । ଗୋଟାଏ ଟଙ୍କା ବି ଦିଆଯିବ ନାହିଁ ।ଆମର ଯେତିକି ନଷ୍ଟ କଲୁ ତାହାର ଭରଣା କରିବ କିଏ ? ସେ ହାତ ଯୋଡି ପାଉଣା ପାଇଁ ନେହୁରା ହେଉଥାଏ ।ସେତେବେଳକୁ ଟ୍ରେନ ଛୁକ ଛୁକ କରି ଷ୍ଟେସନ ଛାଡିଦେଲା।


  ମୁଁ କିନ୍ତୁ ଟ୍ରେନ ରେ ଗଭୀର ଚିନ୍ତାରେ ବସିପିଡ଼ିଲି ।ଭାବିଲି ଭଗବାନ ରୂପୀ ମଣିଷଟାକୁ ମୁଁ କେମିତି ତୁଠ ପଥର କରିଦେଇଛି । ସେ ମୋ ପାଇଁ କେତେ କଷ୍ଟ ସହ୍ୟ କରୁଛି । ଏବେ ନିଜକୁ ନିଜେ ଘୃଣା କରିବାକୁ ଲାଗିଲି ।ପିକନିକ ରେ ମନ ଲାଗିଲା ନାହିଁ ।ଘରକୁ ଫେରି ତାଙ୍କ ପାଦତଳେ ଲୋଟିପିଡି କ୍ଷମା ପ୍ରାର୍ଥନା କଲି। 

  

 ସୁନେଲି ସକାଳ, କଅଁଳ ଖରାର ଉଷ୍ମତା ରେ କଅଁଳ କଢିଟେ ଫୁଟି ଆସିଲା ।


Rate this content
Log in

Similar oriya story from Tragedy