ସ୍ୱାର୍ଥପର ଦୁନିଆ
ସ୍ୱାର୍ଥପର ଦୁନିଆ
ସୁନନ୍ଦା :- ସମ୍ବିତ ତୁମେ ଏ ଚାକରଟାକୁ ଏତେ ମୁଣ୍ଡରେ ବସାଇବା କଣ ଦରକାର ।ଏମିତି ରେ ସେ ବୁଢ଼ା ହେଲାଣି, ଠିକ ସେ କୌଣସି କାମ ତା ଦ୍ୱାରା ହେଇ ପାରୁନି ,ଠିକ ସେ ଯିଏ ନିଜକୁ ସମ୍ଭାଳି ପାରୁନି ।ସେ ଆମ ଘର କଣ ସମ୍ଭାଳିବି ।ବରଂ ତା ଜାଗାରେ ଜଣେ କମ ବୟସର ଚାକରଟେ ରଖିଲେ ଆମେ ଆଉ ଆମର ଘର ସୁରକ୍ଷା ରେ ରହିବ ।
ସମ୍ବିତ :- ନାହିଁ ସୁନନ୍ଦା ତୁମେ ଜାଣିନ, ରଘୁକାକା ଏ ଘରର ଚାକର ନୁହେଁ ବରଂ ସେ ଏ ଘରର ସଦସ୍ୟ । ତୁମେ ତ ଏ ଘରକୁ ଏବେ ଏବେ ବୋହୂ ହେଇ ଆସିଛ ।ତୁମେ ରଘୁକାକା ବିଷୟରେ କଣ ବା ଜାଣିଛ ।କିଛି ଦିନ ଅପେକ୍ଷା କର ଦେଖିବ ସେ କେମିତି ନିଜର ହେଇଯିବେ ।ଆଉ ଜାଣି ରଖ ତୁମେ ଯେଉଁ ଘରକୁ ଆମ ଘର ବୋଲି କହୁଛ, ସେ ଘର ପାଇଁ ରଘୁକାକା ର ଅବଦାନ ଅତୁଳନୀୟ । ଆଉ ଆଜି ଯେଉଁ ବିଜନେସ କୁ ମୁଁ ସମ୍ଭାଳିଛି ତାହା କେବଳ ଏ ରଘୁକାକା ପାଇଁ ସମ୍ଭବ ହେଇଛି ।ହଁ ସୁନନ୍ଦା ଏ କଥା ମୁଁ କହୁନି ଏ କଥା କୁହନ୍ତି ମୋ ବାପା ।ସୁନନ୍ଦା ଆଗକୁ ରଜ, ମାର୍କେଟ ରୁ ତୁମ ପାଇଁ କିଛି ସପିଙ୍ଗ କରିଥିଲି ।ନେଲ ନେଲ ୟାକୁ ଭିତରକୁ ନେଇ ଯାଅ ।
ରଘୁକାକା ରଘୁକାକା ଚାହା କପେ ମିଳିବ ।
ରଘୁକାକା :- ଯାଉଛି ସାନବାବୁ ।
(କିଛି ସମୟ ପରେ ଚାହା କପେ ଧରି ଆସି ପହଞ୍ଚେ ରଘୁକାକା, ଆଉ ବେଞ୍ଚ ଝୁଣ୍ଟି ଚାହା କପ ହାତରୁ ଖସି ଭାଙ୍ଗିଯାଏ ।)
ସମ୍ବିତ :-ଆହାଃ !
ରଘୁକାକା :- ଭୁଲ ହେଇଗଲା ସାନ ବାବୁ ।ମୁଁ ଆଉ ଥରେ ଚାହା ନେଇ ଆସୁଛି ।
ସୁନନ୍ଦା :- ଖାଲି ଭୁଲ ମାଗିଦେଲେ କଣ ସବୁ ସରିଗଲା ।ଏତେ ଦାମୀ କପ ଟା ମୋର ଭାଙ୍ଗିଦେଲ ।ଗୋଟେ ଆଖି ତ ନାହିଁ ତା ପରେ ତୁମ ଦ୍ବାରା ଠିକ ସେ କୌଣସି କାମ ହେଉନାହିଁ ।ତୁମେ ଏ ଘର ଛାଡ଼ି ଚାଲିଯାଉନ କାହିଁକି ?
ରଘୁକାକା :- ସେମିତି କୁହନ୍ତୁ ନାହିଁ ଝିଅ ।
ସୁନନ୍ଦା :- ଝିଅ ! ଝିଅ କଣ ମ୍ୟାଡାମ କହ । ସମ୍ବିତ ଙ୍କ ପାଇଁ କଣ କରିଦେଇଛୁ ଯେ ସେ ତୁମକୁ ମୁଣ୍ଡରେ ବସେଇଛନ୍ତି।ହେଲେ ମୁଁ ତୁମ ଭଳିଆ ଛୋଟଲୋକ ମାନଙ୍କୁ ଠିକ ଚିହ୍ନେ ।
ସମ୍ବିତ :- ତୁମେ ତୁମେ ଏ କଣ କହୁଛ ସୁନନ୍ଦା ।ରଘୁକାକା ମୋ ବାପା ବୟସ ର ,ପୁଣି ଆମ ଘର ସହ ତାଙ୍କର ପୁରୁଣା.......
ସୁନନ୍ଦା :-ତୁମେ ଟିକେ ଚୁପ ରହିବ ।ଏଭଳି କର୍ମଠ ମାନଙ୍କୁ ମୁଁ ଭଲ ଭାବରେ ଜାଣେ ।ସେମାନେ ନିଜର ଫାଇଦା ପାଇଁ ତୁମ ମାନଙ୍କୁ ଏଭଳି ଜାଲ ବିଛେଇ ଫସାନ୍ତି ।ବାସ କାର୍ଯ୍ୟ ହାସଲ ପରେ ନିଜ ଘରକୁ ବାହୁଡନ୍ତି ।
ରଘୁକାକା :- ମୋର ଭୁଲ ହେଇଗଲା ଝିଅ ,ନାହିଁ ମାଡାମ ।ଆଗକୁ ଧ୍ୟାନ ଦେଇ କାମ କରିବି ।କୌଣସି ଭୁଲ କରିବି ନାହିଁ ।
ସୁନନ୍ଦା :- ରହିଲେ ତ ଭୁଲ କରିବୁ ।କହ ଆଜି ଯାଏ ତୋର କେତେ ଦରମା ହେଉଛି ।ସିଧା ସଳଖ ସମ୍ବିତ ଙ୍କ ଠୁ ନେଇ ପଳା ।ହଁ ଭବିଷ୍ୟତ ରେ ମୋ ଘର ତ ଦୂରର କଥା ମୋ ଘରର ଖଣ୍ଡେ ଦୂରରେ ବି ତୋତେ ନ ଦେଖେ ।
ସମ୍ବିତ :- ଏ କଣ ତୁମେ କହୁଛ ସୁନନ୍ଦା ?ସେ ଏ ଘରର ଜୀବନ ।ତା ଛଡ଼ା ସେ ଏ ବୟସରେ ଯିବେ କୁଆଡେ ?ଜୀବନ ସାରା ଆମ ଘର ର ସୁଖ ଦୁଃଖର ସାଥି ହେଲେ । ଆମ ଛଡା ଏ ବୟସରେ କିଏ ବା ସହାୟ ହେବ ?
ସୁନନ୍ଦା :- ତୁମେ ଟିକିଏ ଚୁପ ରହିବ ।କାହିଁ ଏ ଦୁନିଆରେ କଣ ବୃଦ୍ଧାଆଶ୍ରମ କମ ଅଛି ଯେ ।
ରଘୁକାକା :-ତୁମେ ଠିକ କହିଛ ମାଡାମ ।ଏ ସ୍ୱାର୍ଥପର ଦୁନିଆଁ ରେ କିଏ ବା କାହାର ।ଯେଉଁଠି ପୁଅ ବାପା ର ନୁହେଁ ,ଭାଇ ଭାଇର ନୁହେଁ ପୁଅ ମାଆ ର ନୁହେଁ , ଭଉଣୀ ଭାଇର ନୁହେଁ ।ମୁଁ ବା ଛାର ପର ଟାଏ ନିଜର ହେବି କେମିତି ?
ସୁନନ୍ଦା :- ଚାକର ହେଇ ବହୁତ ଭଲ ଅଭିନୟ କରୁଛୁ କିନ୍ତୁ ମୁଁ ତୋତେ ଭଲ ଭାବେ ଚିହ୍ନି ସାରିଛି ।
ରଘୁକାକା :-ଠିକ ହେଲା ମୋତେ ମୋର ହୋସ ଫେରେଇ ଦେଲ ।ଭାବୁଥିଲି ମୁଁ ଏ ଘରର ଜଣେ ସଦସ୍ୟ ବୋଲି ।ମୁଁ ଏ ଘରର ଚାକର ବୋଲି ଭୁଲି ଯାଇଥିଲି ।ହଉ ଠିକ ଅଛି ଏ ଘରେ ମୋ ପାଇଁ ବୋଧେ ଏତିକି କର୍ତ୍ତବ୍ୟ ଥିଲା ।ଆଉ ରହିଲା ଦରମା କଥା ।ଜୀବନ ସାରା ଏ ଘରୁ ମୁଁ ଖାଇ ପିଇ ରହି ଆସିଛି କେବେ ଗୋଟେ ଟଙ୍କା ମାଗିନାହିଁ ।ମୁଁ କିଛି କହିବା ଆଗରୁ ମୋ ପାଇଁ ଚାଲିଆସେ ।ମୁଁ ବା କାହିଁ ଟଙ୍କା ମାଗିବି ।ମୋର ବା ଟଙ୍କା କଣ ହେବ ।ଏବେ ମୋତେ ବିଦାୟ ଦିଅ ।
ସମ୍ବିତ :- ରଘୁକାକା.…...
ରଘୁକାକା :- ସାନବାବୁ, ଏ ହେଉଛି ମିଛ ମାୟାର ସଂସାର ।ଏଠି କେହି ନୁହେଁ କାହାର । ହଁ ସାନବାବୁ , ୟା ଭିତରେ ମୁଁ ଭୁଲି ଯାଇଥିଲି ମୁଁ ଗୋଟେ ଚାକର ।ଏତେ ବର୍ଷ ର ସେବା ଭିତରେ ଯଦି ମୋର କିଛି ତ୍ରୁଟି ଥାଏ ତେବେ ମୋତେ ଏ ଘରର ସଦସ୍ୟ ଟିଏ ଭାବି ମୋତେ କ୍ଷମା କରି ଦେବ ।
ସୁନନ୍ଦା :- ଏଇ ନେ ତୋର ଗଣ୍ଠିଲି ।ସୂର୍ଯ୍ୟାସ୍ତ ପୂର୍ବରୁ ଏ ଜାଗା ଛାଡ଼ି ଚାଲି ଯାଆ ।ନଚେତ ତୋ କଣା ଆଖିକୁ ବାଟ ଦିଶିବନି ।
ରଘୁକାକା :- ହଁ ମ୍ୟାଡ଼ାମ ,ଜୀବନର ସୂର୍ଯ୍ୟାସ୍ତ ତ ପାଖେଇ ଆସିଛି ।ଡେରି ବା କାହିଁକି କରିବି ।ଆଉ ରହିଲା ମୋ ଆଖି କଣା ହେବା କଥା ।ତେବେ ଶୁଣ ଯେତେବେଳେ ସମ୍ବିତ ବାବୁ ଛୋଟ ହେଇଥିଲେ ,ଗୋଟେ ବଡ଼ ଦୁର୍ଘଟଣା ରେ ତାଙ୍କର ଗୋଟିଏ ଆଖି ନଷ୍ଟ ହେଇଗଲା ।ସେହି ଦୁର୍ଘଟଣା ରେ ତାଙ୍କ ମାଆ ଆର ପାରିକୁ ଚାଲିଗଲେ ।ବଡବାବୁ ଅଳ୍ପ କେ ବର୍ତ୍ତିଗଲେ ।ଆଉ ମୁଁ ମୋର ଗୋଟିଏ ଆଖି ଓ ଦେହର କିଛି ରକ୍ତ ଦେବାରୁ ଏଇ ସାନବାବୁ ସୁସ୍ଥ ହେଲେ ।ଏ କଥା ନ କହିବାକୁ ମୋତେ ବଡ଼ ବାବୁ ରାଣ ଦେଇଥିଲେ ।ଯେତେବେଳେ ତୁମେମାନେ ଜାଣିବାକୁ ଚାଂହୁଛ ଏ ଆଖି ଟା ବିଷୟରେ ତେବେ ମୋ ପାଟି ଟା ଥୟ ହେଇ ପାରିଲାନି ।ଉପରେ ଥାଇ ମୋତେ କ୍ଷମା କରିବ ବଡବାବୁ ।ମୁଁ ତୁମକୁ କଥା ଦେଇ କଥା ରଖି ପାରିଲିନି ।
ସମ୍ବିତ :- ରଘୁକାକା (ଭେଁ ଭେଁ ହୋଇ କାନ୍ଦି ଚାଲିଥିଲା ସମ୍ବିତ )
*କିଛି ସମୟ ଭିତରେ ଅଦୃଶ୍ୟ ହେଇଯାଏ ରଘୁକାକା ।*
ୟା ଭିତରେ କିଛି ବର୍ଷ ବିତିଯାଇଛି ।
ଆଜି ସୁନନ୍ଦା ଆସିଛି ବୃଦ୍ଧାଆଶ୍ରମ ନିଜ ଜନ୍ମିତ ବାପାକୁ ଦେଖିବାକୁ ।ପୁଅ ବୋହୂ ର ଦୁଃ-ବ୍ୟବହାର, ଅସହ୍ୟ ଗାଳିଗୁଲଜ ସହ୍ୟ କରି ନ ପାରି ବୃଦ୍ଧାଆଶ୍ରମ ରେ ଆଶ୍ରୟ ନେଇଛି ସୁନନ୍ଦା ର ବାପା ।ସେଠି ବାପା ଙ୍କୁ ଦେଖି ବହୁତ ଦୁଃଖ ପ୍ରକାଶ କରେ ଝିଅ ସୁନନ୍ଦା ।ମନେ ପକାଏ ଅତୀତ ର ଘଟଣା ।ବୁଝି ସାରିଛି ଏଇ ସ୍ୱାର୍ଥପର ଦୁନିଆ କୁ ।ସୁନନ୍ଦା ଏଇ ସ୍ୱାର୍ଥପର ଦୁନିଆଁ ରେ ସେହି ନିଃସ୍ୱାର୍ଥପର ଲୋକଟାକୁ ମନେ ପକୋଉଛି । ହଠାତ ବୃଦ୍ଧାଆଶ୍ରମ ର ମୁଖ୍ୟ ଦାୟିତ୍ୱ ରେ ଥିବା ଏକ ଆଖି ଥିବା ବୃଦ୍ଧ ଉପରେ ନଜର ପଡି ଚମକି ପଡ଼ିଲା ସୁନନ୍ଦା ।
